ମହାମାରୀରେ ଧନୀ ମାଲାମାଲ୍‌: ପ୍ରତି ୩୦ ଘଣ୍ଟାରେ ଜଣେ ନୂଆ ବିଲିୟନେୟାର

ପ୍ରତି ୩୩ ଘଣ୍ଟାରେ ଉତ୍କଟ ଦାରିଦ୍ର୍ୟ କବଳରେ ୧ ନିୟୁତ

ନୂଆଦିଲ୍ଲୀ: କରୋନା ମହାମାରୀ ‌ଲୋକ ଏବଂ ଅର୍ଥନୀତି ଉପରେ ଯେତେ ପ୍ରଭାବ ପକାଇଲେ ବି ବିଶ୍ବର ଅନେକ ଧନୀ ବ୍ୟକ୍ତିଙ୍କୁ ଏହା ଆହୁରି ଅଧିକ ଧନୀ କରିଛି। ମହାମାରୀ ସମୟରେ ବିଶ୍ବରେ ପ୍ରତି ୩୦ ଘଣ୍ଟାରେ ଜଣେ ବିଲିୟନେୟାର ସୃଷ୍ଟି ହୋଇଛନ୍ତି ବୋଲି ଅକ୍ସଫାମ୍ ଇଣ୍ଟରନ୍ୟାସନାଲ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ସୋମବାର କୁହାଯାଇଛି। ସ୍ବିଜରଲାଣ୍ଡର ଡାଭୋସ ସହରରେ ବିଶ୍ବ ଅର୍ଥନୈତିକ ଫୋରମର ବାର୍ଷିକ ବୈଠକ ଚାଲିଥିବା ଚାଲିଥିବାବେଳେ ସଂସ୍ଥା ପକ୍ଷରୁ ‘ପ୍ରଫିଟିଂ ଫ୍ରମ ପେନ୍‌’ ଶୀର୍ଷକରେ ପ୍ରସ୍ତୁତ ରିପୋର୍ଟ ଉନ୍ମୋଚନ କରାଯାଇ ଏହା କୁହାଯାଇଛି। କରୋନା ମହାମାରୀ ସମୟରେ ବିଶ୍ବରେ ୫୭୩ ଜଣ ବିଲିୟନେୟାରରେ ପରିଣତ ହୋଇଛନ୍ତି। ଅର୍ଥାତ ପ୍ରତି ୩୦ ଘଣ୍ଟାରେ ଜଣେ ନୂଆ ବିଲିୟନେୟାର ସୃଷ୍ଟି ହୋଇଛନ୍ତି। ଉଲ୍ଲେଖଯୋଗ୍ୟ, ‌୧ ବିଲିଅନ ୧୦୦ କୋଟି ସହିତ ସମାନ। ଗୋଟିଏ ପଟେ ଧନୀ ବ୍ୟକ୍ତିମାନେ ଅଧିକ ଧନୀ ହୋଇଥିବାବେଳେ ଅନ୍ୟପଟେ ଉତ୍କଟ ଦାରିଦ୍ର୍ୟ ମଧ୍ୟକୁ ୨୬୩ ନିୟୁତ ଲୋକ ଚାଲିଯିବେ। ଅର୍ଥାତ ପ୍ରତି ୩୩ ଘଣ୍ଟାରେ ୧ ନିୟୁତ ଲୋକ ଉତ୍କଟ ଦାରିଦ୍ର୍ୟ ଭିତରକୁ ଠେଲି ହୋଇଯିବେ ବୋଲି ରିପୋର୍ଟରେ କୁହାଯାଇଛି।

ବିଶ୍ବରେ ବର୍ତ୍ତମାନ ଯେତିକି ସଂଖ୍ୟକ ବିଲିୟନେୟାର ଅଛନ୍ତି ସେମାନଙ୍କ ମୋଟ ସଂପତ୍ତି ବିଶ୍ବର ଜିଡିପିର ୧୩.୯ ପ୍ରତିଶତ ସହ ସମାନ। ୨୦୨୦ ମସିହାରେ ଏହା ୪.୪ ପ୍ରତିଶତ ଥିଲା। ତେଣୁ ୨୦୨୦ରୁ ୨୦୨୨ ସୁଦ୍ଧା ଏଥିରେ ତିନିଗୁଣା ବୃଦ୍ଧି ପାଇଛି। ମହାମାରୀ ବେଳେ ଖାଦ୍ୟ ଏବଂ ଶକ୍ତି କ୍ଷେତ୍ରରୁ ବିଲିୟନେୟାରମାନଙ୍କ ସଂପତ୍ତି ପ୍ରତି ଦୁଇଦିନରେ ୧ ବିଲିଅନ ଡଲାର ବୃଦ୍ଧି ପାଇଛି। ବିଶ୍ବରେ ବର୍ତ୍ତମାନ ୨୬୬୮ ଜଣ ବିଲିୟନେୟାର ଅଛନ୍ତି। ବିଶ୍ବର ‌ମୋଟ ଲୋକସଂଖ୍ୟାର ତଳେ ଥିବା ୪୦ ପ୍ରତିଶତ ଲୋକ (୩୧୦ କୋଟି)ଙ୍କ ପାଖରେ ଯେତିକି ସଂପତ୍ତି ରହିଛି ଶୀର୍ଷ ୧୦ ଜଣ ଧନୀବ୍ୟକ୍ତିଙ୍କ ପାଖରେ ତାହାଠାରୁ ଅଧିକ ସଂପତ୍ତି ରହିଛି।

ଡାଭୋସରେ ବିଶ୍ବ ଅର୍ଥନୈତିକ ଫୋରମରେ ଯୋଗଦେବା ପାଇଁ ବିଶ୍ବର ଧନୀବ୍ୟକ୍ତିମାନେ ଆସିଛନ୍ତି। ପ୍ରଥମେ ମହାମାରୀ ଏବଂ ପରେ ଶକ୍ତି ଓ ଖାଦ୍ୟ ଦରରେ ଅତ୍ୟଧିକ ବୃଦ୍ଧି ସେମାନଙ୍କ ପାଇଁ ବୋନାଞ୍ଜାରେ ପରିଣତ ହୋଇଛି। ଦଶନ୍ଧି ଦଶନ୍ଧି ଧରି ଦ୍ରାରିଦ୍ୟ ହ୍ରାସ କ୍ଷେତ୍ରରେ ଯେଉଁ ଅଗ୍ରଗତି ହୋଇଥିଲା ‌ସେଥିରେ ଏବେ ବିପରୀତ ଗତି ଦେଖିବାକୁ ମିଳିଛି। କେବଳ ବଞ୍ଚି ରହିବା ଲାଗି ନିହାତି ଆବଶ୍ୟକ ହେଉଥିବା ଖର୍ଚ୍ଚ ‌କୋଟି କୋଟି ଲୋକଙ୍କ ପାଇଁ ଅସମ୍ଭବ ଭାବେ ବୃଦ୍ଧି ପାଇଛି ବୋଲି ଅକ୍ସଫାମ ଇଣ୍ଟରନ୍ୟାସନାଲର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଗେବ୍ରିଏଲା ବୁଚର କହିଛନ୍ତି। କଠୋର ପରିଶ୍ରମ କରି ଧନୀବ୍ୟକ୍ତିମାନେ ଧନୀ ହୋଇନାହାନ୍ତି। ବରଂ ଦୀର୍ଘବର୍ଷ ଧରି ସେମାନେ ବ୍ୟବସ୍ଥାର ଦୁରୁପଯୋଗ କରି ଏବେ ତାହାର ଫାଇଦା ଉଠାଉଛନ୍ତି। ଗତ ୨୦ ବର୍ଷ ମଧ୍ୟରେ ଦାରିଦ୍ର୍ୟରେ ଦେଖାଇଥିବା ବୃଦ୍ଧିକୁ ରୋକିବା ଲାଗି ତୁରନ୍ତ ମିଲିୟନେୟାରମାନଙ୍କ ଉପରେ ସଂପତ୍ତି ଟିକସ ଲାଗୁ କରିବା ପାଇଁ ଅକ୍ସଫାମ ବିଶ୍ବ ନେତୃବୃନ୍ଦଙ୍କୁ ଆହ୍ବାନ କରିଛି।

ସମ୍ବନ୍ଧିତ ଖବର