ପିଏସ୍‌ୟୁ ଜମି ବିକିବାକୁ ଗଠନ ହେବ ନୂଆ ସଂସ୍ଥା, ଖୁବ୍‌ଶୀଘ୍ର କ୍ୟାବିନେଟ୍‌ ଅନୁମୋଦନ

ନୂଆଦିଲ୍ଲୀ: ଘରୋଇକରଣ ହେବାକୁ ଯାଉଥିବା କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ପିଏସ୍‌ୟୁ)ଗୁଡ଼ିକର ଜମି ଓ ଅନ୍ୟାନ୍ୟ ଅଣ ମୌଳିକ ସମ୍ପତ୍ତିଗୁଡ଼ିକୁ ବିକ୍ରି କରିବା ଲାଗି କେନ୍ଦ୍ର ସରକାର ଏକ ସ୍ବତନ୍ତ୍ର ସଂସ୍ଥା ଗଠନ କରିବେ। ସେହି ନୂଆ ସଂସ୍ଥାକୁ ସମସ୍ତ ଜମି ଓ ଅନ୍ୟାନ୍ୟ ସମ୍ପତ୍ତି ହସ୍ତାନ୍ତର କରାଯିବ। ସେଗୁଡ଼ିକୁ ବିକ୍ରି କରିବା ଦାୟିତ୍ବ ଉକ୍ତ ସଂସ୍ଥା ଉପରେ ନ୍ୟସ୍ତ କରାଯିବ। ଏହି ସଂସ୍ଥା ଗଠନ କରିବା ସମ୍ପର୍କିତ ପ୍ରସ୍ତାବକୁ ଖୁବ୍‌ଶୀଘ୍ର କ୍ୟାବିନେଟ୍ କମିଟିରେ ଉପସ୍ଥାପନ କରାଯିବ। ନିବେଶ ଓ ସରକାରୀ ସମ୍ପତ୍ତି ପରିଚାଳନା ବିଭାଗ (ଦିପମ୍‌)ର ସଚିବ ତୁହିନ୍‌ କାନ୍ତ ପାଣ୍ଡେ କହିଛନ୍ତି ଯେ ଏକ ସ୍ପେସିଆଲ୍‌ ପର୍‌ପସ୍‌ ଭେଇକିଲ୍ (ଏସ୍‌ପିଭି) ଗଠନ କରାଯିବ। ସେହି ସଂସ୍ଥା ପାଖରେ ଘରୋଇକରଣ ହେବାକୁ ଥିବା କଂପାନିଗୁଡ଼ିର ଜମି ରହିବ। କ୍ୟାବିନେଟ୍‌ ମଞ୍ଜୁରି ମିଳିବା ପରେ ଏହି ସଂସ୍ଥା ଶୀଘ୍ର ଗଠନ କରାଯିବ। ଆମେ ବହୁ ବର୍ଷ ଧରି ଏଭଳି ଏକ ସଂସ୍ଥା ସ୍ଥାପନ କରିବା ଲାଗି ଆଲୋଚନା କରୁଥିଲୁ ବୋଲି ସେ କହିଛନ୍ତି। କେତେକ କେନ୍ଦ୍ରୀୟ ପିଏସ୍‌ୟୁରୁ ପୁଞ୍ଜିପ୍ରତ୍ୟାହାର ହେବାକୁ ଯାଉଛି। ଆମ ଭାବୁଛୁ ସେମାନଙ୍କ ପାଖରେ କିଛି ଜମି ରହିଛି ଯାହାକୁ କଂପାନି ସହ ବିକି ଦେଲେ ସେତେ ଭଲ ମୂଲ୍ୟ ମିଳିବ ନାହିଁ। ସେହି ପ୍ରକାର ଜମିକୁ ଏକ ନୂଆ ସଂସ୍ଥାକୁ ହସ୍ତାନ୍ତର କରାଯିବ ବୋଲି ସେ କହିଛନ୍ତି।

ଚଳିତ ଆର୍ଥିକ ବର୍ଷରେ ବିପିସିଏଲ୍, ସିପିଙ୍ଗ୍‌ କର୍ପୋରେସନ୍ ଅଫ୍‌ ଇଣ୍ଡିଆ, ଆଇଡିବିଆଇ ବ୍ୟାଙ୍କ, ବିଇଏମ୍‌ଏଲ୍‌, ପୱନ୍ ହଂସ, ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍‌ ଆଦିର ଘରୋଇକରଣ କାର୍ଯ୍ୟ ସମାପନ କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। କିଛି ଦିନ ତଳେ ୧୮ ହଜାର କୋଟି ଟଙ୍କାରେ ଏୟାର ଇଣ୍ଡିଆକୁ ବିକ୍ରି କରାଯାଇଛି। ଟାଟା ଗ୍ରୁପ୍‌ ଏହାକୁ ହାସଲ କରିଛି। ପୁଞ୍ଜିପ୍ରତ୍ୟାହାର ଉପରେ ବିଶେଷ ଗୁରୁତ୍ବ ଦେଉଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏନ୍‌ଡିଏ ସରକାର ୨୦୨୧-୨୨ ଆର୍ଥିକ ବର୍ଷର ବଜେଟ୍‌ରେ ଏହାକୁ ନେଇ ସ୍ପଷ୍ଟ ରୂପରେଖ ପ୍ରଦାନ କରିଛି। ଆଣବିକ ଶକ୍ତି ଓ ପ୍ରତିରକ୍ଷା; ପରିବହନ ଓ ଟେଲିଯୋଗଯୋଗ; ଶକ୍ତି, ପେଟ୍ରୋଲିୟମ୍, କୋଇଲା ଓ ଅନ୍ୟାନ୍ୟ ଖଣିଜ ପଦାର୍ଥ ଏବଂ ବ୍ୟାଙ୍କିଙ୍ଗ୍‌, ବୀମା ଓ ଆର୍ଥିକ ସେବା ଭଳି ଚାରିଟି ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରର ସରକାରୀ ଉଦ୍ୟୋଗକୁ ବାଦ ଦେ‌ଇ ଅନ୍ୟ ସବୁ କ୍ଷେତ୍ରରେ ଥିବା ପିଏସ୍‌ୟୁଗୁଡ଼ିକର ଘରୋଇକରଣ କରିବାକୁ ସ୍ପଷ୍ଟ ନୀତି ପ୍ରସ୍ତୁତ କରାଯାଇଛି।

ସରକାର ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେଉଁ ଚାରିଟି ଗୁରୁତ୍ବପୂର୍ଣ୍ଣ କ୍ଷେତ୍ର ଚିହ୍ନଟ କରାଯାଇଛି ସେଥିରେ ସର୍ବନିମ୍ନ ସଂଖ୍ୟକ ପିଏସ୍‌ୟୁ ରହିବ। ଚଳିତ ଆର୍ଥିକ ବର୍ଷରେ ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି)ର ଆଇପିଓ ଆଣିବାକୁ ମଧ୍ୟ ସରକାର ଯୋଜନା ରଖିଛନ୍ତି।
ପୁଞ୍ଜିପ୍ରତ୍ୟାହାର ଜରିଆରେ ୨୦୨୦-୨୧ରେ ୨,୧୦,୦୦୦ କୋଟି ଟଙ୍କା ଆୟ କରିବାକୁ ସରକାର ଲକ୍ଷ୍ୟ ରଖିଥିଲେ। ମାତ୍ର କୋଭିଡ୍ ମହାମାରୀ ପ୍ରଭାବ ଯୋଗୁଁ ମାତ୍ର ୧୯,୪୯୯ କୋଟି ଟଙ୍କା ମିଳିପାରିଥିଲା। ୨୦୨୧-୨୨ ଆର୍ଥିକ ବର୍ଷରେ ପୁଞ୍ଜିପ୍ରତ୍ୟାହାର ଜରିଆରେ ୧,୭୫,୦୦୦ କୋଟି ଟଙ୍କା ହାସଲ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ୨୦୭-୧୮ ଓ ୨୦୧୮-୧୯କୁ ବାଦ ଦେଲେ ଅନ୍ୟ କୌଣସି ଆର୍ଥିକ ବର୍ଷରେ ସରକାର ଧାର୍ଯ୍ୟ କରିଥିବା ପୁଞ୍ଜିପ୍ରତ୍ୟାହାର ଲକ୍ଷ୍ୟ ହାସଲ କରିପାରିନାହାନ୍ତି।

ସମ୍ବନ୍ଧିତ ଖବର