ରିଲିଫ୍ ସାମଗ୍ରୀ ଆମଦାନିରେ ସହାୟତା ପାଇଁ ନୋଡାଲ୍ ଅଫିସର ନିଯୁକ୍ତ, ହୃଷୀକେଶ ମିଶ୍ର ନୋଡାଲ୍ ଅଫିସର

ଭୁବନେଶ୍ବର: ଦେଶରେ ଦେଖାଦେଇଥିବା କୋଭିଡ୍-୧୯ ମହାମାରୀର ଭୟଙ୍କର ଦ୍ବିତୀୟ ଲହରର ମୁକାବିଲା ଲାଗି ବିଦେଶରେ ଥିବା ପ୍ରବାସୀ ଭାରତୀୟ, ଏଜେନ୍ସି, ଏନ୍‌ଜିଓଗୁଡ଼ିକ ସହାୟତାର ହାତ ବଢ଼ାଇଛନ୍ତି। ସେମାନେ ଔଷଧ ଠାରୁ ଆରମ୍ଭ କରି ଟିକା, ଅକ୍ସିଜେନ୍ କନ୍‌ସେଣ୍ଟ୍ରେଟର ଏବଂ ବିଭିନ୍ନ ଉପକରଣକୁ ମାଗଣାରେ ବଣ୍ଟନ କରିବା ଲାଗି ଓଡ଼ିଶା ପଠାଇବାକୁ ଚାହୁଛନ୍ତି। ଏହି ସହାୟତା ବା ରିଲିଫ୍‌ ସାମଗ୍ରୀଗୁଡ଼ିକ ‌‌ଯେଭଳି ସୁବିଧାରେ ରାଜ୍ୟକୁ ଆମଦାନି ହୋଇପାରିବ ସେଥିପାଇଁ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ପକ୍ଷରୁ ସ୍ବତନ୍ତ୍ର ବାଣିଜ୍ୟକର ଓ ଜିଏସ୍‌ଟି କମିସନର ହୃଷିକେଶ ମିଶ୍ରଙ୍କୁ ନୋଡାଲ୍ ଅଫିସର ଭାବେ ନିଯୁକ୍ତ କରାଯାଇଛି। କୋଭିଡ୍ ରିଲିଫ୍ ସାମଗ୍ରୀ ଆମଦାନି ପୂର୍ବରୁ ସେ ଆମଦାନିକାରୀମାନଙ୍କୁ ସାର୍ଟିଫିକେଟ୍ ଜାରି କରିବେ। ଆମଦାନିକାରୀମାନେ ତାଙ୍କୁ ୯୯୩୭୬୭୯୨୫୦ ମୋବାଇଲ୍‌ ନମ୍ବର, ୦୬୭୧-୨୩୦୫୪୭୭ ଟେଲିଫୋନ୍ ନମ୍ବର କିମ୍ବା [email protected] ଇ-ମେଲ୍ ଆଇଡି ଜରିଆରେ ଯୋଗାଯୋଗ କରିପାରିବେ। ଏଥିପାଇଁ ବାଣିଜ୍ୟକର ଓ ଜିଏସ୍‌ଟି ଯୁଗ୍ମ କମିସନର ସିଦ୍ଧାନ୍ତ ଦାସଙ୍କୁ ସଂଯୋଜକ ଅଧିକାରୀ ଓ ଦୁଇ ବାଣିଜ୍ୟକର ଓ ଜିଏସ୍‌ଟି ଅଧିକାରୀ ନିଳୟମ ଷଡ଼ଙ୍ଗୀ ଓ ଅଜିତ ପ୍ରଧାନଙ୍କୁ ଯୋଗାଯୋଗ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି।

କୋଭିଡ୍ ମୁକାବିଲା ଲାଗି ବିଦେଶରୁ ସହାୟତା ଭାବେ ଆସୁଥିବା ସାମଗ୍ରୀ ଉପରୁ କେନ୍ଦ୍ର ସରକାର ସୀମା ଶୁଳ୍କ ଓ ଆଇଜିଏସ୍‌ଟି ଛାଡ଼ କରିଛନ୍ତି। କିନ୍ତୁ ସର୍ତ୍ତ ରହିଛି ଯେ ଏହି ସୁବିଧା କେବଳ ସେତେବେଳେ ଲାଗୁ କରାଯିବ ଯେତେବେଳେ ସାମଗ୍ରୀଗୁଡ଼ିକୁ ଆମଦାନି କରିବା ଲାଗି ରାଜ୍ୟ ସରକାର ନିଜ ଆଡ଼ୁ ଅନୁମତି ଲୋଡ଼ିବେ। ରିଲିଫ୍ ସାମଗ୍ରୀ ଆଣିବା ଲାଗି ଆମଦାନିକାରୀମାନଙ୍କୁ ରାଜ୍ୟ ସରକାରଙ୍କ ସଂପୃକ୍ତ ବିଭାଗରେ ଆବେଦନ କରିବାକୁ ପଡ଼ିବ। ବିଭାଗର ଅନୁମତି ମିଳିବା ପରେ ହିଁ ‌ସାମଗ୍ରୀ ରାଜ୍ୟକୁ ଆସିପାରିବ। ସାମଗ୍ରୀ ଆମଦାନି ହେବା ପରେ ସୀମା ଶୁଳ୍କ କ୍ଲିୟରାନ୍ସ ପାଇଁ ଆମଦାନିକାରୀମାନଙ୍କୁ ସାର୍ଟିଫିକେଟ୍ ପାଇବା ଲାଗି ‌ନୋଡାଲ୍ ଅଫିସର ଶ୍ରୀଯୁକ୍ତ ମିଶ୍ରଙ୍କ ନିକଟରେ ଆବେଦନ କରିବାକୁ ପଡ଼ିବ। ଏଥିପାଇଁ ବାଣିଜ୍ୟ କର ଓ ଜିଏସ୍‌ଟି କମିସନରେଟ୍ ତରଫରୁ ଏକ ହେଲ୍‌ପ ଡେସ୍କ ସ୍ଥାପନ କରାଯିବା ସହ ଦେୟମୁକ୍ତ ନମ୍ବର ୧୮୦୦୩୪୫୬୭୫୩ ଜାରି କରାଯାଇଛି। ଏକ ହେଲ୍‌ପ ଡେସ୍କ ଟିମ୍ ମଧ୍ୟ ଗଠନ କରାଯାଇଛି।

ସମ୍ବନ୍ଧିତ ଖବର