ନୂଆଦିଲ୍ଲୀ: ଦେଶରେ ବିକ୍ରି ହେଉଥିବା ପ୍ରାୟ ସବୁ ପ୍ରକାର ଫୋନ୍‌ରେ ଡୁଆଲ୍ ସିମ୍‌ ବ୍ୟବସ୍ଥା ରହିଛି।‌ ତେଣୁ ମୋବାଇଲ୍ ବ୍ୟବହାରକାରୀମାନେ ନିଜ ନାମରେ ଏକାଧିକ ସିମ୍‌ କାର୍ଡ କିଣୁଛନ୍ତି। ‌ଏଭଳି କିଛି ଲୋକ ଅଛନ୍ତି ଯେଉଁମାନଙ୍କ ନାମରେ ବହୁ ପରିମାଣର ସିମ୍‌ କିଣାଯାଇଛି। ଗୋଟିଏ ନାମରେ ଯଦି ୯ରୁ ଅଧିକ ସିମ୍ କାର୍ଡ ରହିଥିବ ତେବେ ସେହି ସିମ୍‌ଗୁଡ଼ିକୁ ଟେଲିକମ୍ ବିଭାଗ ପୁଣି ଥରେ ଭେରିଫାଏ ବା ଯାଞ୍ଚ କରିବ। ୯ଟିରୁ ଯେତିକି ଅଧିକ ସିମ୍‌ ଜଣେ ବ୍ୟକ୍ତିଙ୍କ ନାମରେ ଥିବ ସେଗୁଡ଼ିକୁ ଅଚଳ କରିଦିଆଯିବ। ଅବଶ୍ୟ ଏହା ପୂର୍ବରୁ ଗ୍ରାହକଙ୍କୁ ଏକ ବିକଳ୍ପ ପ୍ରଦାନ କରାଯିବ। କେଉଁ ସିମ୍‌ଗୁଡ଼ିକୁ ସେ ସକ୍ରିୟ ରଖିବାକୁ ଚାହୁଛନ୍ତି ତାହା ଜଣାଇପାରିବେ।

Advertisment

ଜାମ୍ମୁ ଓ କାଶ୍ମୀର ଏବଂ ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ଜଣେ ବ୍ୟକ୍ତିଙ୍କ ନାମରେ ନାମରେ ୬ରୁ ଅଧିକ ସିମ୍‌ କାର୍ଡ ଥିଲେ ସେଗୁଡ଼ିକୁ ପୁଣି ଭେରିଫାଏ କରାଯିବ। ଟେଲିକମ୍ ବିଭାଗ ଏହାର ଡାଟା ଆନାଲିଟିକ୍ସ ଜ୍ଞାନକୌଶଳକୁ ବ୍ୟବହାର କରି ଏକାଧିକ ସିମ୍ ରଖିଥିବା ଗ୍ରାହକଙ୍କୁ ଚିହ୍ନଟ କରିବ। ୯ଟିରୁ ଅଧିକ ନମ୍ବର ରଖିଥିବା ଗ୍ରାହକଙ୍କୁ ପୁଣି ଥରେ ସିମ୍‌ଗୁଡ଼ିକୁ ଭେରିଫାଏ କରିବାକୁ କୁହାଯିବ।

ଯେଉଁ ଗ୍ରାହକ ଏହି କାମ କରିବାରେ ବିଫଳ ହେବେ ତାଙ୍କର ସବୁ ନମ୍ବରକୁ ଅଚଳ କରିଦିଆଯିବ। ଯେଉଁମାନେ ପୁନଃ ଯାଞ୍ଚ ବା ରିଭେରିଫିକେସନ କରିବାକୁ ଚାହିବେ ସେମାନଙ୍କୁ ପସନ୍ଦର ୯ଟି ନମ୍ବର ଜଣାଇବାକୁ କୁହାଯିବ। ଭେରିଫିକେସନ୍ ପ୍ରକ୍ରିୟା ଶେଷ ହେବା ପରେ ବଳକା ନମ୍ବରଗୁଡ଼ିକୁ ନିସ୍କ୍ରିୟ କରାଯିବ।

ଦେଶରେ ଅର୍ଥିକ ଅପରାଧ, ଅବାଞ୍ଛିତ କଲ୍‌, ସ୍ବୟଂକ୍ରିୟ କଲ୍ ଓ ଠକେଇ ମାମଲା ବୃଦ୍ଧି ପାଇଥିବାରୁ ମୋବାଇଲ୍‌ ନମ୍ବରଗୁଡ଼ିକୁ ଭେରିଫାଏ କରିବାକୁ ନିଷ୍ପତ୍ତି ନିଆଯାଇଛି। ଟେଲିକମ୍ ବିଭାଗ ସ୍ପଷ୍ଟ କରିଛି ‌ଯେ ନିୟମ ଅନୁସାରେ ଯେଉଁ ନମ୍ବରଗୁଡ଼ିକ ବ୍ୟବହାର ହେଉନାହିଁ ସେଗୁଡ଼ିକୁ ଟେଲିକମ୍ କଂପାନି ୩୦ ଦିନ ଭିତରେ ବାତିଲ କରିବେ। ୪୫ ଦିନ ଭିତରେ ସେହି ନମ୍ବରରେ ଇନ୍‌କମିଂ କଲ୍ ସୁବିଧା ବନ୍ଦ କରାଯିବ। ନିଜ ନାମରେ ୯ରୁ ଅଧିକ ସିମ୍ ରଖିଥିବା ଯେଉଁ ଗ୍ରାହକମାନେ ରିଭେରିଫିକେସନ୍ କରିବେ ନାହିଁ ସେମାନଙ୍କ ନମ୍ବରଗୁଡ଼ିକୁ ଡିସେମ୍ବର ୭ ପରେ ୬୦ ଦିନ ଭିତରେ ବନ୍ଦ କରିଦିଆଯିବ।

ତେବେ ଦିବ୍ୟାଙ୍ଗ, ଆନ୍ତର୍ଜାତିକ ରୋମିଂରେ ଥିବା ବ୍ୟକ୍ତି କିମ୍ବା ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିବା ଗ୍ରାହକଙ୍କୁ ଅଧିକ ୩୦ ଦିନର ସମୟ ଦିଆଯିବ। ଯଦି କୌଣସି ନମ୍ବରକୁ ଆଇନ କାର୍ଯ୍ୟକାରୀ କରୁଥିବା ସଂସ୍ଥା, କିମ୍ବା ଆର୍ଥିକ ଅନୁଷ୍ଠାନ ଅବାଞ୍ଛିତ କଲ୍‌ ବର୍ଗର ବୋଲି ଚିହ୍ନଟ କରିବେ ତେବେ ସେହି ନମ୍ବରକୁ ୫ ଦିନ ଭିତରେ ବନ୍ଦ କରିଦିଆଯିବ।