ରେଳରେ ରେକର୍ଡ : ୧୨୩୩ ନିୟୁତ ଟନ୍‌ ମାଲ୍‌ ପରିବହନ

ନୂଆଦିଲ୍ଲୀ: ଦେଶରେ ରେଳବାଇ ପକ୍ଷରୁ ୨୦୨୦-୨୧ ଆର୍ଥିକ ବର୍ଷରେ ରେକର୍ଡ ୧୨୩୨.୬୪ ନିୟୁତ ଟନ୍‌ ମାଲ୍ ବୋଝେଇ ହେବା ସହିତ ପରିବହନ ହୋଇଛି। ଏହାଫଳରେ ରେଳବାଇର ରାଜସ୍ବ ଆୟ ପାଖାପାଖି ୧,୧୭,୩୮୬ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ୨୦୧୯-୨୦ ଆର୍ଥିକ ବର୍ଷରେ ଭାରତୀୟ ରେଳବାଇର ମାଲ ପରିବହନ ବାବଦ ରାଜସ୍ବ ୧,୧୩,୮୯୭ କୋଟି ଟଙ୍କା ରହିଥିଲା। ଏଥିସହିତ ଏହି ମାଲବାହୀ ଟ୍ରେନଗୁଡ଼ିକର ହାରାହାରି ବେଗ ଗତ ଆର୍ଥିକ ବର୍ଷରେ ଘଣ୍ଟା ପ୍ରତି ୨୪ କିମିରୁ ୪୪ କିମିକୁ ବୃଦ୍ଧି ପାଇଛି। ଗତବର୍ଷ ଅଗଷ୍ଟ ମାସରୁ ରେଳବାଇ ପକ୍ଷରୁ ୪୫୦ଟି କିଷାନ ରେଳ ଚଳାଯାଇଛି। ଏହି ଟ୍ରେନ୍ ମାଧ୍ୟମରେ ୧.୪୫ ଲକ୍ଷ ଟନ୍ କୃଷିଜାତ ସାମଗ୍ରୀ ପରିବହନ କରାଯାଇଛି ବୋଲି ରେଳ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ଦେଶରେ ଏବେ ଦିନକୁ ହାରାହାରି ୧୪୦୨ଟି ‌ସ୍ବତନ୍ତ୍ର ଟ୍ରେନ୍ ଚାଲିଛି। ଏଥିସହିତ ଦେଶରେ ବର୍ତ୍ତମାନ ୫୩୮୧ଟି ସବ୍‌ ଅର୍ବାନ ଟ୍ରେନ୍ ଏବଂ ୮୩୦ଟି ପାସେଞ୍ଜର ଟ୍ରେନ ମଧ୍ୟ ଚାଲିଛି। ଚଳିତବର୍ଷ ଏପ୍ରିଲ ଏବଂ ମେ ମାସରେ ସେଣ୍ଟ୍ରାଲ ରେଲ‌୍‌ୱେ ପକ୍ଷରୁ ଅଧିକ ଟ୍ରେନ୍ ଚଳାଚଳ କରିବ। ‌ଆସନ୍ତା ଦୁଇମାସ ମଧ୍ୟରେ ଟ୍ରେନ ଚଳାଚଳକୁ କରୋନା ପୂର୍ବସ୍ଥିତିକୁ ଅଣାଯିବା ନେଇ ରେଳବାଇ ଆଶା ରଖିଛି। କିନ୍ତୁ ଏଥିପାଇଁ ରାଜ୍ୟ ସରକାରଗୁଡ଼ିକ ପକ୍ଷରୁ ଅନୁମତି ଆବଶ୍ୟକ। କରୋନା ନିୟନ୍ତ୍ରଣକୁ ଆସିଲେ ଏ ନେଇ ଅନୁରୋଧ ପଠାଯିବ। ଏହି ଟ୍ରେନଗୁଡ଼ିକ ମଧ୍ୟ ନିୟମିତ ନ ହୋଇ ସ୍ବତନ୍ତ୍ର ଟ୍ରେନ୍ ଭାବେ ଚଳାଚଳ କରିବ।

ସମ୍ବନ୍ଧିତ ଖବର