ଏପ୍ରିଲ୍‌ରେ ରେକର୍ଡ ୧୭.୫ ଲକ୍ଷ ଏସି ବିକ୍ରି

ନୂଆଦିଲ୍ଲୀ: ଏପ୍ରିଲ୍ ମାସରେ ପ୍ରବଳ ଗରମ ହେବାରୁ ଏୟାର କଣ୍ଡିସନର (ଏସି) ବିକ୍ରି ବହୁତ ବଢ଼ିଛି। ଏହି ମାସରେ ଦେଶରେ ସାଢ଼େ ୧୭ ଲକ୍ଷ ଏସି ବିକ୍ରି ହୋଇଛି। ପୂର୍ବରୁ କୌଣସି ଗୋଟିଏ ମାସରେ ଏତେ ଅଧିକ ସଂଖ୍ୟକ ଏସି ବିକ୍ରି ହୋଇନଥିଲା। ଏହି ଧାରା ବଜାୟ ରହିଲେ ଚଳିତ ବର୍ଷ ଏସି ବିକ୍ରି ୯୦ ଲକ୍ଷ ଅତିକ୍ରମ କରିବ ବୋଲି କଞ୍ଜ୍ୟୁମର ଇଲେକ୍ଟ୍ରୋନିକ୍ସ ଓ ଆପ୍ଲାଏନ୍‌ସ ନିର୍ମାତା ସଂଘ ଆକଳନ କରିଛି। ଏପ୍ରିଲ୍‌ରେ ଭୋଲଟାସ୍, ପାନା‌ସୋନିକ, ହିଟାଚି, ଏଲ୍‌ଜି ଓ ହାୟର ଭଳି କଂପାନିଙ୍କ ବିକ୍ରି ବହୁତ ଭଲ ରହିଛି। ସଂଘର ସଭାପତି ଏରିକ୍ ବ୍ରିଗାଞ୍ଜା କହିଛନ୍ତି ଯେ ୫-ଷ୍ଟାର ଏସିର ଚାହିଦା ବହୁତ ରହିଛି। କିନ୍ତୁ ସେହି ପ୍ରକାର ଏସିର କେତେକ କଞ୍ଚାମାଲ ଯଥା କଣ୍ଟ୍ରୋଲର ଓ କମ୍ପ୍ରେସର ଆଦି ମଗାଇବାରେ ଅସୁବିଧା ରହିଥିବାରୁ ଗ୍ରାହକ ଚାହିଦା ପୂରଣ ହୋଇପାରୁନାହିଁ। ତଥାପି ଏପ୍ରିଲ୍ ମାସରେ ରେକର୍ଡ ୧୭.୫ ଲକ୍ଷରୁ ଅଧିକ ଏସି ବିକ୍ରି ହୋଇଛି ଯାହା ୨୦୨୧ ଏପ୍ରିଲ୍‌ରେ ହୋଇଥିବା ବିକ୍ରି ତୁଳନାରେ ଦୁଇ ଗୁଣା ଅଧିକ ଓ ୨୦୧୯ ଏପ୍ରିଲ୍‌ର ବିକ୍ରି ଠାରୁ ୩୦-୩୫% ଅଧିକ ରହିଛି। ମେ’ ଓ ଜୁନ୍‌ରେ ମଧ୍ୟ ଏସି ବିକ୍ରି ଭଲ ରହିବ ବୋଲି ‌ସେ ଆଶା ପ୍ରକଟ କରିଛନ୍ତି। ଚଳିତ ବର୍ଷର ପ୍ରଥମ ଚାରି ମାସରେ ଯେଉଁଭଳି ଏସି ବିକ୍ରି ହୋଇଛି ଯଦି ସେହି ଧାରା ବଜାୟ ରହିବ ତେବେ ବର୍ଷ ସାରାରେ ୯୦ ଲକ୍ଷରୁ ଅଧିକ ଏସି ବିକ୍ରି ହେବ। କୌଣସି ଗୋଟିଏ ବର୍ଷରେ ପୂର୍ବରୁ କେବେ ବି ଏତେ ଅଧିକ ଏସି ବିକ୍ରି ହୋଇନାହିଁ।

ସମ୍ବନ୍ଧିତ ଖବର