ଦ୍ବିତୀୟ ସବୁଜ ବିପ୍ଳବ ଆବଶ୍ୟକ: ରିଜର୍ଭ ବ୍ୟାଙ୍କ

ମୁମ୍ବାଇ: ପାଣିପାଗରେ ହେଉଥିବା ପରିବର୍ତ୍ତନ ଓ ପରିବେଶ ନିରନ୍ତରତା ଦୃଷ୍ଟିରୁ କୃଷି କ୍ଷେତ୍ରକୁ ଅଧିକ ସହନଶୀଳ କରିବା ଲାଗି ଦ୍ବିତୀୟ ସବୁଜ ବିପ୍ଳବର ଆବଶ୍ୟକତା ରହିଛି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ଏକ ନିବନ୍ଧରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଲେଖାଯାଇଛି ଯେ କୃଷି କ୍ଷେତ୍ରରେ ଯେଉଁ ସବୁ ନୂଆ ଆହ୍ବାନ ସୃଷ୍ଟି ହୋଇଛି ସେଥିପାଇଁ ଦ୍ବିତୀୟ ସବୁଜ ବିପ୍ଳବ ଓ ପରବର୍ତ୍ତୀ ପିଢ଼ିର ସଂସ୍କାର ଦରକାର।

ଦେଶରେ ରେକର୍ଡ ପରିମାଣର ଖାଦ୍ୟଶସ୍ୟ ଉତ୍ପାଦନ ହେଉଥିବାରୁ ଖାଦ୍ୟ ନିରାପତ୍ତା ନିଶ୍ଚିତ ହୋଇପାରିଛି। ମାତ୍ର, ଖାଦ୍ୟ ସାମଗ୍ରୀର ଦରବୃଦ୍ଧି ଏକ ସମସ୍ୟା ହୋଇ ରହିଛି। ବହୁ ସମୟରେ ଖାଦ୍ୟ ସାମଗ୍ରୀ ମୂଲ୍ୟ ଅସ୍ଥିର ରହୁଛି। ସେଥିପାଇଁ ଯୋଗାଣ କ୍ଷେତ୍ରରେ ହସ୍ତକ୍ଷେପ କରିବାକୁ ପଡ଼ିବ। ଗୋଦାମ ଭିତ୍ତିଭୂମିରେ ସରକାରୀ ନିବେଶ ବଢ଼ାଇବା ସହ ଖାଦ୍ୟ ପ୍ରକ୍ରିୟାକରଣର ପ୍ରସାର କରିବାକୁ ହେବ ବୋଲି କୁହାଯାଇଛି। ଏବେବି ଭାରତର ଖାଦ୍ୟଶସ୍ୟ ଉତ୍ପାଦନ ବିକଶିତ ଓ ଉଦୀୟମାନ ଦେଶଗୁଡ଼ିକ ତୁଳନାରେ କମ୍ ରହିଛି। ଧାନ, ଗହମ ଓ ଆଖୁ ଅଧିକ ପରିମାଣରରେ ଚାଷ କରାଯାଉଥିବାରୁ ଭୂତଳ ଜଳ ସ୍ତର ଦ୍ରୁତ ଗତିରେ ହ୍ରାସ ପାଉଛି, ମୃତ୍ତିକା ମାନରେ ଅବନତି ହେଉଛି ଏବଂ ବ୍ୟାପକ ବାୟୁ ପ୍ରଦୂଷଣ ମଧ୍ୟ ହେଉଛି। ଦରଦାମ୍ ଅଧିକ ରହୁଥିବାରୁ ଗ୍ରାହକମାନଙ୍କୁ ଅସୁବିଧା ସାମ୍ନା କରିବାକୁ ପଡ଼ୁଛି ଓ ଚାଷୀମାନଙ୍କ ଆୟ ମଧ୍ୟ ଅସ୍ଥିର ରହୁଛି ବୋଲି ରିପୋର୍ଟରେ କୁହାଯାଇଛି।

ସମ୍ବନ୍ଧିତ ଖବର