ଖୋଲିବ ସ୍ବତନ୍ତ୍ର ଜିଏସ୍‌ଟି ପୋର୍ଟାଲ୍: ଗୋଟିଏ ୱେବସାଇଟ୍‌ରେ ସବୁ କାମ ହେବ

ଲକ୍ଷ୍ନୌରେ ଜିଏସ୍‌ଟି ପରିଷଦ ବୈଠକ ୧୭ରେ

ନୂଆଦିଲ୍ଲୀ: ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି)କୁ ନେଇ ଏକ ସ୍ବତନ୍ତ୍ର ପୋର୍ଟାଲ୍ ଉନ୍ମୋଚିତ ହେବ। ଏହା ଏକକ ପୋର୍ଟାଲ୍ ଭାବେ କାର୍ଯ୍ୟ କରିବ। ଟିକସଦାତାମାନେ ଏହି ପୋର୍ଟାଲ୍‌ରେ ସବୁ ପ୍ରକାର ସେବା ପାଇବେ। ପଞ୍ଜୀକରଣ ଠାରୁ ଆରମ୍ଭ କରି ଟିକସ ପଇଠ କରିବା, ରିଟର୍ଣ୍ଣ ଦାଖଲ କରିବା, ଟିକସ ହିସାବ ଏବଂ ସମନ୍ବିତ ଜିଏସ୍‌ଟିର ଫଇସଲା ଆଦି ଅନେକ କାର୍ଯ୍ୟ ଏହି ପୋର୍ଟାଲ୍ ଜରିଆରେ ହେବ। gst.gov.in ନାମରେ ଏହି ପୋର୍ଟାଲ୍‌ ଖୋଲାଯାଇଛି।ଚଳିତ ମାସ ୧୭ ତାରିଖରେ ଉତ୍ତରପ୍ରଦେଶର ଲକ୍ଷ୍ନୌ ସହରରେ ଜିଏସ୍‌ଟି ପରିଷଦର ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଗତବର୍ଷ କରୋନା ମହାମାରୀ ବ୍ୟାପିବା ପରେ ପ୍ରଥମ ଥର ଲାଗି ପ୍ରତ୍ୟକ୍ଷ ବୈଠକ ବସିବ। ସେଥିରେ କେନ୍ଦ୍ର ସରକାର ଓ ରାଜ୍ୟଗୁଡ଼ିକର ପ୍ରତିନିଧି ଅଂଶଗ୍ରହଣ କରିବେ। ମହାମାରୀ ବ୍ୟାପିବା ପରେ କେବଳ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଜିଏସ୍‌ଟି ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଏକକ ଜିଏସ୍‌ଟି ପୋର୍ଟାଲ୍‌ ବିଷୟରେ ଆଲୋଚନା ହେବ।

ଜିଏସ୍‌ଟି ନିୟମ ପାଳନକୁ ସହଜ କରିବା ଲାଗି ମଧ୍ୟ କେତେକ ପ୍ରସ୍ତାବ ଉପରେ ଆଲୋଚନା ହେବ। ପଞ୍ଜୀକୃତ ହୋଇଥିବା ଜିଏସ୍‌ଟି ବ୍ୟବହାରକାରୀଙ୍କ ଆଧାର ମାଧ୍ୟମରେ ଯାଞ୍ଚ ଲାଗି ବୈଠକରେ ନିଷ୍ପତ୍ତି ନିଆଯାଇପାରେ ବୋଲି କୁହାଯାଉଛି। ତ୍ରୁଟିପୂର୍ଣ୍ଣ ଓ ଅଯୋଗ୍ୟ ଇନପୁଟ୍‌ ଟ୍ୟାକ୍ସ କ୍ରେଡିଟ୍‌ (ଆଇଟିସି) ଉପରେ ସୁଧ ଲଗାଇବା ଉପରେ ପରିଷଦ ସ୍ପଷ୍ଟୀକରଣ ପ୍ରଦାନ କରିବ। ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ସିକିମ୍‌କୁ ନେଇ ମଧ୍ୟ ବୈଠକରେ ଆଲୋଚନା ହେବ। ଔଷଧ ଓ ବିଦ୍ୟୁତ ଉପରେ ସ୍ବତନ୍ତ୍ର ସେସ୍‌ ଲଗାଇବା ଲାଗି ଏହି ରାଜ୍ୟକୁ ଅନୁମତି ପ୍ରଦାନ କରାଯିବାର ସମ୍ଭାବନା ରହିଛି। ପ୍ରାକୃତିକ ଗ୍ୟାସ୍‌କୁ ଜିଏସ୍‌ଟି ପରିସରରେ ସାମିଲ କରିବା ବିଷୟରେ ମଧ୍ୟ ଆଲୋଚନା ହେବାର ସମ୍ଭାବନା ରହିଛି। ସର୍ବଭାରତୀୟ ସ୍ତରରେ ଜିଏସ୍‌ଟି ସଂଗ୍ରହ ଅଗଷ୍ଟ ମାସରେ ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ ରହିଛି। ଯେହେତୁ ଟିକସ ସଂଗ୍ରହ ଉତ୍ସାହଜନକ ସ୍ଥିତିରେ ରହିଛି ତେଣୁ ରାଜ୍ୟଗୁଡ଼ିକୁ ଦିଆଯାଉଥିବା କ୍ଷତିପୂରଣ ବିଷୟରେ ବୈଠକରେ ଆଲୋଚନା ହେବ। ୨୦୧୭ରେ ଜିଏସ୍‌ଟି ଲାଗୁ ହେବା ପରେ ରାଜ୍ୟଗୁଡ଼ିକୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ କ୍ଷତିପୂରଣ ଦେବା‌ ଲାଗି ସାମ୍ବିଧାନିକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଏହି ସମୟ ସୀମା ୨୦୨୨ ଜୁନ୍‌ରେ ଶେଷ ହେବ। କ୍ଷତିପୂରଣ ସମୟକୁ ଆଉ କିଛି ବର୍ଷ ବଢ଼ାଇବା ଲାଗି କେତେକ ରାଜ୍ୟ ଦାବି କରୁଛନ୍ତି। ସେବିଷୟରେ ଜିଏସଟି ପରିଷଦ ବୈଠକରେ ଆଲୋଚନା ହେବାର ସମ୍ଭାବନା ରହିଛି।

ପେଟ୍ରୋଲିୟମ୍ ସାମଗ୍ରୀ ଯଥା ପେଟ୍ରୋଲ୍, ଡିଜେଲ୍, ବିମାନ ଇନ୍ଧନ ଆଦିକୁ ଜିଏସ୍‌ଟି ପରିସରରେ ସାମିଲ କରିବା ଲାଗି କେନ୍ଦ୍ର ସରକାର ଆହ୍ବାନ ଦେଉଥିବା ବେଳେ ରାଜସ୍ବ ହରାଇବା ଆଶଙ୍କା ଥିବାରୁ ରାଜ୍ୟଗୁଡ଼ିକ ଏଥିପ୍ରତି ବିଶେଷ ଧ୍ୟାନ ଦେଉନାହାନ୍ତି। କିନ୍ତୁ ସାରା ଦେଶରେ ଏକ ଲିଟର ପେଟ୍ରୋଲ୍ ୧୦୦ ଟଙ୍କାରୁ ଅଧିକ ଦାମ୍‌ରେ ବିକ୍ରି ହେଉଥିବାରୁ ଏହି ପ୍ରସ୍ତାବର ପ୍ରସଙ୍ଗିକତା ବୃଦ୍ଧି ପାଇଛି। ଏହା ବ୍ୟତୀତ ଜିଏସ୍‌ଟି ଟ୍ରିବ୍ୟୁନାଲ୍‌ର ଜାତୀୟ ଖଣ୍ଡପୀଠ ଓ ଆଞ୍ଚଳିକ ଖଣ୍ଡପୀଠ କେବେଠାରୁ କାର୍ଯ୍ୟକାରୀ ହେବ ସେନେଇ ଜିଏସ୍‌ଟି ପରିଷଦ ବୈଠକରେ ନିଷ୍ପତ୍ତି ହୋଇପାରେ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର