ଭୁବନେଶ୍ବର: ରାଜ୍ୟକୁ ଆସିଥିବା ପୁଞ୍ଜିନିବେଶ ପ୍ରସ୍ତାବଗୁଡ଼ିକୁ କାର୍ଯ୍ୟକାରୀ କରିବା ଉପରେ ସରକାର ଧ୍ୟାନ ଦେଉଛନ୍ତି। ପ୍ରକଳ୍ପ କାର୍ଯ୍ୟକାରିତାର ନିରୀକ୍ଷଣ କରିବା ଲାଗି ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ‘ଦି ୱିକ୍‌’କୁ ଦେଇଥିବା ସାକ୍ଷାତକାରରେ ସେ କହିଛନ୍ତି ଯେ ପ୍ରକଳ୍ପ ସ୍ଥାପନ ଲାଗି ନିବେଶକମାନଙ୍କୁ ଉତ୍ସାହିତ କରିବା ପାଇଁ ସେମାନଙ୍କୁ ଭିତ୍ତିଭୂମି ସହାୟତା, ବଜାର ଲିଙ୍କେଜ୍ ଓ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରାଯାଉଛି। ଜମି ଅଧିଗ୍ରହଣ ସମସ୍ୟା ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଶିଳ୍ପ ପାଇଁ ଜମି ଅଧିଗ୍ରହଣ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ। ଏକ ପ୍ରତିକ୍ରିୟାଶୀଳ ସରକାର ଭାବେ ଆମେ ତାହା ଭଲ ଭାବେ ବୁଝିଛୁ। ଏହି ପ୍ରକ୍ରିୟାକୁ ସଂଗଠିତ କରିବା ଲାଗି ପଦକ୍ଷେପ ନେଉଛୁ। ଇଡ୍‌କୋ ଜରିଆରେ ଶିଳ୍ପ ପାଇଁ ଜମି ବ୍ୟାଙ୍କ ଗଠନ କରାଯାଇଛି। ଶିଳ୍ପ ସଂସ୍ଥା ଚାହୁଥିବା ଜମି ଯେଭଳି ପାଇପାରିବେ, ସେଥିପାଇଁ ମଧ୍ୟ ସେମାନଙ୍କ ସହ ଆଲୋଚନା କରାଯାଉଛି ବୋଲି ସେ କହିଛନ୍ତି। 

Advertisment

ପୂର୍ବ ଭାରତରେ ଏକ ପ୍ରଭାବଶାଳୀ ଅର୍ଥନୈତିକ ଶକ୍ତି ଭାବେ ଓଡ଼ିଶାକୁ ଗଢ଼ି ତୋଳିବା ଲାଗି ସରକାରଙ୍କ ରହିଥିବା ଲକ୍ଷ୍ୟ ସମ୍ପର୍କରେ ସେ କହିଛନ୍ତି ଯେ ରାଜ୍ୟରେ ଥିବା ପ୍ରାକୃତିକ ସମ୍ବଳ ଓ ପ୍ରଗତିଶୀଳ ନୀତି ଓଡ଼ିଶାକୁ ଶିଳ୍ପାୟନରେ ପ୍ରତିଦ୍ବନ୍ଦ୍ବୀ ରାଜ୍ୟଗୁଡ଼ିକୁ ଅତିକ୍ରମ କରିବାର ଭଲ ସ୍ଥିତିରେ ରଖିଛି। ଭିତ୍ତିଭୂମି ଓ ମାନବ ସମ୍ବଳରେ ନିବେଶ ସହିତ ବ୍ୟବସାୟ ବାତାବରଣକୁ ସହଜ କରିବା ଉପ‌ରେ ଆମେ ଧ୍ୟାନ ଦେଉଛୁ ବୋଲି ସେ କହିଛନ୍ତି। ତେବେ, ଗତ ଫେବ୍ରୁଆରି ୨୮ରେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁଙ୍କ ଅକ୍ଷ୍ୟତାରେ ଖାରବେଳ ଭବନରେ ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା ୨୦୨୫ରେ ସ୍ବାକ୍ଷର ହୋଇଥିବା ଏମ୍‌ଓୟୁଗୁଡ଼ିକର କାର୍ଯ୍ୟକାରିତାକୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। କନ୍‌କ୍ଲେଭ୍‌ ଆୟୋଜନର ଏକ ମାସ ପୂରଣ ଅବସରରେ ସେହି ବୈଠକ ଆୟୋଜନ କରାଯାଇଥିଲା। ଉତ୍କର୍ଷ ଓଡ଼ିଶାରେ ସ୍ବାକ୍ଷରିତ ହୋଇଥିବା ଏମ୍‌ଓୟୁଗୁଡ଼ିକ ସମ୍ପର୍କରେ ସଦ୍ୟତମ ସୂଚନା ପ୍ରଦାନ କରିବାକୁ ଶିଳ୍ପମନ୍ତ୍ରୀ ଶ୍ରୀ ସ୍ବାଇଁ ଶିଳ୍ପ ବିଭାଗର ବରିଷ୍ଠ ଅଧିକାରୀ, ଇଡ୍‌କୋ ଓ ଇପିକଲ୍‌ର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କର୍ତ୍ତୃପକ୍ଷଙ୍କ ବୈଠକରେ ମଞ୍ଜୁର କରାଯାଇଥିବା ବିଭିନ୍ନ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ବିଷୟରେ ମଧ୍ୟ ବୈଠକରେ ସମୀକ୍ଷା କରାଯାଇଥିଲା। ବୈଠକରେ ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମା ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। 

ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ୍‌ ୨୦୨୫ରେ ରାଜ୍ୟ ସରକାର ୧୬.୭୩ ଲକ୍ଷ କୋଟି ଟଙ୍କା ନିବେଶ ପ୍ରସ୍ତାବ ହାସଲ କରିଥିଲେ। ୧୪୫ଟି ଏମ୍‌ଓୟୁ ସ୍ବାକ୍ଷର ହୋଇଥିଲା। ଦେଶବିଦେଶରୁ ପ୍ରାୟ ୫୦୦୦ ପ୍ରତିନିଧି ଯୋଗଦେଇଥିଲେ। ଖଣି ଓ ଧାତବ, ରସାୟନ ଓ ପେଟ୍ରୋକେମିକାଲ୍‌ସ, ବୟନ, ଅକ୍ଷୟ ଶକ୍ତି, ସୂଚନା ପ୍ରଯୁକ୍ତି, ପର୍ଯ୍ୟଟନ ଓ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରକୁ ନିବେଶ ପ୍ରସ୍ତାବଗୁଡ଼ିକ ଆସିଛି। ପୂର୍ବର ନବୀନ ପଟ୍ଟନାୟକଙ୍କ ସରକାର ଅମଳରେ ୨୦୧୬, ୨୦୧୮ ଓ ୨୦୨୨ରେ ତିନି ଥର ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌ ଆୟୋଜନ କରାଯାଇଥିଲା। ସେହି ତିନିଟି ସଂସ୍କରଣରେ ଯଥାକ୍ରମେ ୨.୦୩ ଲକ୍ଷ କୋଟି ଟଙ୍କା, ୪.୨୩ ଲକ୍ଷ ‌କୋଟି ଟଙ୍କା ଓ ୧୦.୫ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଥିଲା।