ମଣିଷର ଭାଷା, କଳ୍ପନା ଶକ୍ତିକୁ ନେଇ ପ୍ରଯୁକ୍ତି ଲଢ଼େଇ

‘ଚାଟ୍‌ଜିପିଟି’ର ଅପାର ସଫଳତା ପରେ ଦୌଡ଼ରେ ଗୁଗୁଲ୍, ମାଇକ୍ରୋସଫ୍ଟ, ବାଇଡୁ ସାମିଲ

ନୂଆଦିଲ୍ଲୀ: ବାର୍ତାଳାପ ଲାଗି ମଣିଷ ବ୍ୟବହାର କରୁଥିବା ସ୍ବାଭାବିକ ଭାଷା ଏବଂ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ଲାଗି ମନରେ ଯେଉଁ କଳ୍ପନା କରିଥାଏ ତାହା ପ୍ରଯୁକ୍ତି ରୂପରେ ଆବିର୍ଭାବ ହୋଇଛି। ମେସିନ କହୁଛି ମଣିଷର ଭାଷା। ଚାଟ୍‌ବଟ୍‌ ଜରିଆରେ ତାହା ସମ୍ଭବ ହୋଇଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (କୃତ୍ରିମ ବୁଦ୍ଧିମତା) ପ୍ରଯୁକ୍ତିକୁ ବ୍ୟବହାର କରି ଚାଟ୍‌ବଟ୍‌ ବିକାଶ କରାଯାଇଛି। ଏହା କିଛି ନୂଆ କଥା ନୁହେଁ। କୌଣସି କଲ୍ ସେଣ୍ଟର କିମ୍ବା କଷ୍ଟମର କେୟାରକୁ ଫୋନ୍ କଲେ ମେସିନର ଯେଉଁ ସ୍ବର ଶୁଣାଯାଏ ତାହା ହେଉଛି ଚାଟ୍‌ବଟ୍‌। ଏକ୍ଷେତ୍ରରେ ବିପ୍ଳବ ଆଣିଛି ‘ଓପୋନ୍‌ଏଆଇ’ ନାମକ ଏକ ଷ୍ଟାର୍ଟଅପ୍ ସଂସ୍ଥା। ଏହା ବିକାଶ କରିଥିବା ଏଆଇ ଚାଟ୍‌ବଟ୍ ହେଉଛି ‘ଚାଟ୍‌ଜିପିଟି’ ଯାହା ଗତବର୍ଷ ନଭେମ୍ବରରେ ଶୁଭାରମ୍ଭ ହେବାର କିଛିଦିନ ଭିତରେ ଏତେ ଲୋକପ୍ରିୟ ହୋଇଯାଇଛି ଯେ ତାହାର ମୁକାବିଲା କରିବା ଲାଗି ଗୁଗୁଲ୍‌, ମାଇକ୍ରୋସଫ୍ଟ ଓ ବାଇଡୁ ଭଳି ବିଶ୍ବସ୍ତରୀୟ ସଂସ୍ଥା ‌ଆଗେଇ ଆସିଛନ୍ତି।

ଚାଟ୍‌ଜିପିଟି ହେଉଛି ଏବେ ପ୍ରଯୁକ୍ତି ଦୁନିଆର ସବୁଠୁ ଚର୍ଚ୍ଚିତ ଶବ୍ଦ। ମେସିନ ଓ ମଣିଷ ଭିତରେ ହେଉଥିବା ବାର୍ତାଳାପକୁ ଅବିକଳ ପ୍ରାକୃତିକ ଭାଷା ଭଳି ଏହା ଉପସ୍ଥାପନ କରିବାରେ ସଫଳ ହୋଇଥିବାରୁ ଦ୍ରୁତ ଗତିରେ ଗ୍ରହଣୀୟ ହେବାରେ ଲାଗିଛି। ବିଭିନ୍ନ ପ୍ରସଙ୍ଗ ସର୍ଚ୍ଚ କରିବାଠାରୁ ଆରମ୍ଭ କରି ଗ୍ରାହକ, କ୍ଲାଏଣ୍ଟ୍‌ମାନଙ୍କ ସହ ବ୍ୟାବସାୟିକ ସଂସ୍ଥା କରୁଥିବା ବାର୍ତାଳାପରେ ଏହା ବୈପ୍ଳବିକ ପରିବର୍ତ୍ତନ ଆଣିଛି। ଫ୍ରିଜ୍‌ରେ ଯେଉଁ ପନିପରିବା ରହିଛି ତାହାକୁ ନେଇ କ’ଣ ଖାଦ୍ୟ ପ୍ରସ୍ତୁତ କରାଯାଇପାରିବ? କେଉଁ ପାର୍ଟି କିଭଳି ଆୟୋଜନ କରାଯିବ? ଏହିଭଳି ଜଟିଳ ପ୍ରଶ୍ନର ଉତ୍ତରକୁ ଚାଟ୍‌ଜିପିଟି ଏତେ ସହଜ ପ୍ରାକୃତିକ ଭାଷାରେ ଉପସ୍ଥାପନ କରୁଛି ଯେ ତାହାକୁ ଜଣେ ଶିଶୁ ବି ବୁଝିବାରେ ଅସୁବିଧା ହେଉନାହିଁ। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବ୍ୟତୀତ ମେସିନ୍ ଲର୍ଣ୍ଣିଂ ଓ ଆଲ୍‌ଗୋରିମ୍‌ ଭଳି ନୂଆ ଓ ଅଭିନବ ପ୍ରଯୁକ୍ତିକୁ ଏହା ବ୍ୟବହାର କରି ମଣିଷର ଭାଷା ଭଳି ଅନୁଭୂତି ପ୍ରଦାନ କରୁଛି। ଚାଟ୍‌ଜିପିଟି ଏବେ କେବଳ ୱେବସାଇଟ୍‌ରେ ଉପଲବ୍ଧ ହେଉଛି।

ଚାଟ୍‌ଜିପିଟିର ଅପାର ସଫଳତାକୁ ଦେଖି ବିଶ୍ବର ଅଗ୍ରଣୀ ଇଣ୍ଟରନେଟ୍‌ ସର୍ଚ୍ଚ କଂପାନି ଗୁଗୁଲ୍‌ ନିଜର ଚାଟ୍‌ଜିପିଟି ଭଳି ପ୍ରଯୁକ୍ତି ବିକାଶ କରିବା ଲାଗି ଆଗେଇ ଆସିଛି। ତାହାର ନାମ ରଖାଯାଇଛି ‘ବାର୍ଡ’। କଂପାନିର ସିଇଓ ସୁନ୍ଦର ପିଚ୍ଚାଇ କହିଛନ୍ତି ଯେ ବାର୍ଡ ହେଉଛି ଗୁଗୁଲ୍‌ର ଆର୍ଟିଫିସିଆଲ ଇଣ୍ଟେଜେନ୍ସ ଶକ୍ତି ଥିବା ବାର୍ତାଳାପ ଭିତ୍ତିକ ଚାଟ୍‌ବଟ୍। ଅନେକ ଜଟିଳ ପ୍ରଶ୍ନକୁ ତାହା ଅତି ସହଜରେ ଉପସ୍ଥାପନ କରିପାରିବ। ଆସନ୍ତା କିଛି ସପ୍ତାହ ଭିତରେ ଗୁଗୁଲ୍‌ର ବାର୍ଡ ସାଧାରଣ ଜନତାଙ୍କ ବ୍ୟବହାର ପାଇଁ ଉପଲବ୍ଧ ହେବ।

ଏଆଇ ଚାଟ୍‌ବଟ୍‌ ଲଢ଼େଇରେ ଚୀନ୍‌ର ଇଣ୍ଟରନେଟ୍‌ କଂପାନି ବାଇଡୁ ସାମିଲ ହୋଇଛି। ବାଇଡୁ ନିଜସ୍ବ ଏଆଇ ଚାଟ୍‌ବଟ୍ ‘ଏର୍‌ନି’ ବିକାଶ କରିବ ବୋଲି ଘୋଷଣା କରିଛି। ଆସନ୍ତା ମାର୍ଚ୍ଚ ସୁଦ୍ଧା କଂପାନି ଏହାର ପରୀକ୍ଷଣ ଶେଷ କରିବ। ଏହି ଘୋଷଣା କରିବା ପରେ ଷ୍ଟକ ବଜାରରେ ବାଇଡୁର ସେୟ‌ାର ମୂଲ୍ୟରେ ବଡ଼ ଧରଣର ବୃଦ୍ଧି ଘଟିଛି। ଅନ୍ୟ ପକ୍ଷରେ ମାଇକ୍ରୋସଫ୍ଟ ମଧ୍ୟ ନିଜସ୍ବ ଏଆଇ ଚାଟ୍‌ବଟ୍‌ ‘ବିଞ୍ଜ୍‌ ଚାଟ୍‌ଜିପିଟି’ ବିକାଶ କରୁଥିବା ଚର୍ଚ୍ଚା ହେଉଛି। ଏଥିପାଇଁ କଂପାନି ଓପୋନ୍‌ଏଆଇ ସହ ସହଯୋଗିତା ମଧ୍ୟ ସ୍ଥାପନ କରିଥିବା କୁହାଯାଉଛି।

ସମ୍ବନ୍ଧିତ ଖବର