ଭାରତ ବର୍ତ୍ତମାନ ବିଶ୍ବର ପଞ୍ଚମ ବୃହତ୍‌ ଅର୍ଥନୀତି ଭାବେ ବିବେଚିତ ହେଉଛି। ଆଗାମୀ ଦିନରେ ତୃତୀୟ ବୃହତ୍‌ ଅର୍ଥନୀତିରେ ପରିଣତ ହେବା ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ଯେଉଁ ଗୋଟିଏ କ୍ଷେତ୍ରରୁ ଭାରତ ଫାଇଦା ପାଇବ ବୋଲି ଆଶା ରଖିଛି ତାହା ହେଲା ‘ଚୀନ ପ୍ଲସ ୱାନ୍‌ ଷ୍ଟ୍ରାଟେଜି’। କିନ୍ତୁ ଭାରତ ଏଥିରୁ ଉପକୃତ ହେବ ତ? ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନର ରାସ୍ତା କେତେ ସହଜ ହେବ?

Advertisment

ଏ ସଂପର୍କରେ ଅର୍ଥନୈତିକ ସର୍ଭେରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ବିକଶିତ ରାଷ୍ଟ୍ରରେ ପରିଣତ ହେବା ପାଇଁ ଭାରତର ରାସ୍ତା ଚୀନ ଠାରୁ ଭିନ୍ନ ରହିବ। ଏହା ସେତେଟା ସହଜ ହେବ ନାହିଁ। ଗତବର୍ଷ ଜାନୁଆରିରେ ଉପସ୍ଥାପିତ ହୋଇଥିବା ଅର୍ଥନୈତିକ ସ‌ର୍ଭେ ଏବଂ ଏବେ ଉପସ୍ଥାପିତ ରିପୋର୍ଟର କାଳଖଣ୍ଡ ମଧ୍ୟରେ ରାଜନୈତିକ ଓ ଭୌଗୋଳିକ ପରିବେଶରେ ବଡ଼ ପରିବର୍ତ୍ତନ ଆସିଛି। ୧୯୮୦-୨୦୧୫ ମଧ୍ୟରେ ଚୀନ ଯେଉଁ ଅଭିବୃଦ୍ଧି ଦେଖିଥିଲା ୨୦୪୭ରେ ‘ବିକଶିତ ଭାରତ’ ଆଡ଼କୁ ଭାରତର ଯାତ୍ରା ମଧ୍ୟରେ ସେ‌ତେଟା ପାର୍ଥକ୍ୟ ନଥାଇ ପାରେ। ତଥାପି ଚୀନର ଦ୍ରୁତ ଅଭିବୃଦ୍ଧି ସମୟରେ ଜଗତୀକରଣର ଦ୍ରୁତ ସଂପ୍ରସାରଣ ହେଉଥିଲା। ଭୌଗୋଳିକ ଓ ରାଜନୈତିକ ସ୍ଥିତି ମୋଟାମୋଟି ଭାବେ ଶାନ୍ତ ଥିଲା। ଚୀନର ଉତ୍‌ଥାନକୁ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ସ୍ବାଗତ ଏବଂ ଏପରିକି ଉତ୍ସାହିତ କରୁଥିଲେ। ଜଳବାୟୁ ପରିବର୍ତ୍ତନ କିମ୍ବା ବିଶ୍ବ ତାପନକୁ ନେଇ ବର୍ତ୍ତମାନ ଯେତେ‌ ମାତ୍ରାରେ ଚିନ୍ତା ପ୍ରକଟ କରାଯାଉଛି ସେତେବେଳେ ତାହା ନଥିଲା ବୋଲି ରିପୋର୍ଟରେ କୁହାଯାଇଛି।

ଏଥିସହିତ ବର୍ତ୍ତମାନ କୃତ୍ରିମ ମେଧା (ଏଆଇ) ଆସିବା ଫଳରେ ଏହାକୁ ନେଇ ସବୁ ପ୍ରକାର ଦକ୍ଷତା (ନିମ୍ନ, ଅର୍ଦ୍ଧ ଏବଂ ଉଚ୍ଚ କୁଶଳୀ)ରେ ବଡ଼ଧରଣର ଅନିଶ୍ଚିତତା ଦେଖାଦେଇଛି। ଆଗାମୀ ବର୍ଷ ଏବଂ ଦଶନ୍ଧିଗୁଡ଼ିକରେ ଏହା ଭାରତର ଉଚ୍ଚ ଏବଂ ନିରନ୍ତର ଅଭିବୃଦ୍ଧି କ୍ଷେତ୍ରରେ ପ୍ରତିବନ୍ଧକ ଭାବେ ଉଭା ହେବ। ଏହାକୁ ଅତିକ୍ରମ କରିବାକୁ ହେଲେ କେନ୍ଦ୍ର ସରକାର, ରାଜ୍ୟ ସରକାର ଏବଂ ଘରୋଇ କ୍ଷେତ୍ର ମଧ୍ୟରେ ବଡ଼ଧରଣର ସହଯୋଗ ଆବଶ୍ୟକ ବୋଲି ରିପୋର୍ଟରେ ଦର୍ଶାଯାଇଛି। ଚୀନ ପ୍ଲସ୍‌ ୱାନ୍‌ ରଣନୀତି (ବିଶ୍ବର ବଡ଼ ବଡ଼ କମ୍ପାନିଗୁଡ଼ିକ ଚୀନ ସମେତ ଅନ୍ୟ ଏକ ଦେଶକୁ ଉତ୍ପାଦନ କେନ୍ଦ୍ର ଭାବେ ବିବେଚନା କରୁଥିବା ପନ୍ଥା)ରୁ ଫାଇଦା ପାଇବାକୁ ହେଲେ ଭାରତକୁ ଦୁଇଟି ରଣନୀତି ଆପଣାଇବାକୁ ହେବ। ଭାରତକୁ ଚୀନର ଯୋଗାଣ ଶୃଙ୍ଖଳ ସହିତ ଯୋଡ଼ି ହେବାକୁ ପଡ଼ିବ କିମ୍ବା ଭାରତକୁ ଚୀନର ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ (ଏଫ୍‌ଡିଆଇ)କୁ ଆକୃଷ୍ଟ କରିବାକୁ ‌ପଡ଼ିବ। ଏହି ଦୁଇଟି ମଧ୍ୟରୁ ଏଫ୍‌ଡିଆଇ ବିକଳ୍ପ ଅଧିକ ଉତ୍ତମ ମନେହୁଏ। କାରଣ ଏହାଦ୍ବାରା ଭାରତ ଆମେରିକା ଓ ଅନ୍ୟାନ୍ୟ ଦେଶକୁ ରପ୍ତାନି ବଢ଼ାଇ ପାରିବ। ଅତୀତରେ ପୂର୍ବ ଏସୀୟ ଦେଶଗୁଡ଼ିକ ଏଭଳି ଉଦାହରଣ ସୃଷ୍ଟି କରିଛନ୍ତି ବୋଲି ଅର୍ଥନୈତିକ ସର୍ଭେ ରିପୋର୍ଟରେ କୁହାଯାଇଛି।