ଆମେରିକା ବାଣିଜ୍ୟ ଦୂତାବାସର ପ୍ରମୁଖ ବାଣିଜ୍ୟିକ ଅଧିକାରୀଙ୍କ ‘ସମ୍ବାଦ’ ଗ୍ରୁପ୍ ପରିଦର୍ଶନ

୫ଟି କ୍ଷେତ୍ରରେ ସହଯୋଗିତା ବଢ଼ାଇବା ଉପରେ ଗୁରୁତ୍ବ

ଭୁବନେଶ୍ବର: ହାଇଦ୍ରାବାଦ ସ୍ଥିତ ଯୁକ୍ତରାଷ୍ଟ୍ର ଆମେରିକାର ବାଣିଜ୍ୟ ଦୂତାବାସର ପ୍ରମୁଖ ବାଣିଜ୍ୟିକ ଅଧିକାରୀ ଆଣ୍ଡ୍ରୁ ଏଡ୍‌ଲେଫ୍‌ସେନ୍ ଓଡ଼ିଶା ଗସ୍ତରେ ଆସିଥିବା ବେଳେ ‌ଆଜି ସେ ସମ୍ବାଦ ଗ୍ରୁପ୍ ପରିଦର୍ଶନ କରି ଫିକି ଓଡ଼ିଶା ରାଜ୍ୟ ପରିଷଦର ପୂର୍ବତନ ଅଧ୍ୟକ୍ଷା ତଥା ‘ସମ୍ବାଦ’ ଗ୍ରୁପ୍‌ର ପରିଚାଳନା ନି‌ର୍ଦେଶିକା ମୋନିକା ନୈୟାର ପଟ୍ଟନାୟକଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ପରିବେଶ, ଶକ୍ତି, ଏରୋସ୍ପେସ୍, ପର୍ଯ୍ୟଟନ ଓ ଶିକ୍ଷା ଭଳି ପାଞ୍ଚଟି କ୍ଷେତ୍ର‌ ଉପରେ ଗୁରୁତ୍ବ ଦେଇ ଆମେରିକା ସହିତ ସମ୍ପର୍କକୁ ଆହୁରି ଦୃଢ଼ କରିବା ବିଷୟରେ ବୈଠକରେ ଆଲୋଚନା ହୋଇଛି।

ରୁଷ୍‌-ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ପାଇଁ ସୃଷ୍ଟି ହୋଇଥିବା ସଙ୍କଟ ଯୋଗୁଁ ଯୋଗାଣ ଶୃଙ୍ଖଳ ବ୍ୟବସ୍ଥାରେ ଦେଖାଦେଇଥିବା ବିଭ୍ରାଟ ସମ୍ପର୍କରେ ‘ସମ୍ବାଦ’ର ପ୍ରକାଶକ ଓ ସିଇଓ କମଳାକାନ୍ତ ମହାପାତ୍ର ଗୁରୁତ୍ବାରୋପ କରିଛନ୍ତି ଓ ଏହାର ମୁକାବିଲା ଲାଗି ସେ ଆମେରିକା ବାଣିଜ୍ୟ ସେବାର ସହଯୋଗ ଲୋଡ଼ିଛନ୍ତି। ଫିକି ଓଡ଼ିଶା ରାଜ୍ୟ ପରିଷଦର ମୁଖ୍ୟ ସଞ୍ଜୀବ କୁମାର ମହାନ୍ତି କହିଛନ୍ତି ଯେ ଆମେରିକା ବ୍ୟବସାୟ ପ୍ରତି ଆଗ୍ରହ ଥିବା ଫିକିର ସଦସ୍ୟମାନଙ୍କ ପାଇଁ ସମ୍ପର୍କ ସେତୁ ଭାବେ ଫିକି କାର୍ଯ୍ୟ କରିବ। ଜୁନ୍‌ରେ ୱାସିଂଟନରେ ହେବାକୁ ଥିବା ନିବେଶକ ସମ୍ମିଳନୀରେ ଓଡ଼ିଶାର ଏକ ପ୍ରତିନିଧି ଦଳ ଅଂଶଗ୍ରହଣ କରିପାରେ ବୋଲି ସେ କହିଛନ୍ତି। ଏହି ଅବସରରେ ଆମେରିକା ବାଣିଜ୍ୟ ଦୂତାବାସର ବରିଷ୍ଠ ବାଣିଜ୍ୟିକ ବିଶେଷଜ୍ଞ ଥିଓଡେୟାର ଇମାନୁଏଲ୍‌ ଆମେରିକା ଓ ଓଡ଼ିଶା ମଧ୍ୟରେ ଥିବା ଦ୍ବିପାକ୍ଷିକ ବାଣିଜ୍ୟ ଓ ନିବେଶ ସହଯୋଗିତା ଉପରେ ଆଲୋଚନା କରିଛନ୍ତି।

ସମ୍ବନ୍ଧିତ ଖବର