ମୁମ୍ବାଇ: ଚଳିତ ସପ୍ତାହଟି ବମ୍ବେ ‌ଷ୍ଟକ୍ ଏକ୍ସଚେଞ୍ଜ ନିବେଶକଙ୍କ ଲାଗି ହତାଶାର ସପ୍ତାହରେ ପରିଣତ ହୋଇଛି। ଲଗାତାର ଭାବେ ସେନ୍‌ସେକ୍ସ ତଳକୁ ଖସିବାରୁ ନିବେଶକମାନେ ୧୮.୪୩ ଲକ୍ଷ କୋଟି ଟଙ୍କା ହରାଇଛନ୍ତି। ବିଦେଶୀ ନିବେଶକମାନେ ନିୟମିତ ଭାବେ ପାଣ୍ଠି ପ୍ରତ୍ୟାହାର କରିବା ଓ ବିଶ୍ବ ସ୍ତରରେ ଘଟିଥିବା କିଛି ଘଟଣାର ନକାରାତ୍ମକ ପ୍ରଭାବରେ ସେନ୍‌ସେକ୍ସ ସପ୍ତାହ ସାରା ତଳକୁ ଖସିଥିଲା। ଗୋଟିଏ ସପ୍ତାହରେ ଏହା ୪୦୯୧ ପଏଣ୍ଟ ହରାଇଛି। ଶୁକ୍ରବାର ସେନ୍‌ସେକ୍ସ ୧୧୭୬ ପଏଣ୍ଟ ହ୍ରାସ ପାଇ ୭୮,୦୪୧ ପଏଣ୍ଟରେ ବନ୍ଦ ହୋଇଛି। ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍‌ଟି ୩୬୪ ପଏଣ୍ଟ ହ୍ରାସ ପାଇ ୨୩୫୮୭ ପଏଣ୍ଟରେ ବନ୍ଦ ହୋଇଛି। ଗତ ସୋମବାର (ଡିସେମ୍ବର ୧୬)ରେ ସେନ୍‌ସେକ୍ସ ୮୧,୭୪୮ ପଏଣ୍ଟରେ ଥିଲା। ଶୁକ୍ରବାର ସୁଦ୍ଧା ତାହା ୭୮,୦୪୧ ପଏଣ୍ଟକୁ ଖସିଆସିଛି।

Advertisment

ବ୍ଲୁ୍‌ ଚିପ୍ କମ୍ପାନିଗୁଡ଼ିକ ମଧ୍ୟରୁ ଟେକ୍ ମହିନ୍ଦ୍ରା, ଇଣ୍ଡସ୍‌ଇଣ୍ଡ୍‌ ବ୍ୟାଙ୍କ, ଆକ୍ସିସ୍ ବ୍ୟାଙ୍କ, ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା, ଟାଟା ମୋଟର୍ସ, ଲାର୍ସନ୍ ଆଣ୍ଡ ଟୁବ୍ରୋ, ଷ୍ଟେଟ୍‌ ବ୍ୟାଙ୍କ, ଟାଟା କନ୍‌ସଲ୍‌ଟାନ୍ସି ସର୍ଭିସେସ୍‌, ଅଲ୍‌ଟ୍ରା ଟେକ୍ ସିମେଣ୍ଟ ଓ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ସେୟାର ମୂଲ୍ୟ ହ୍ରାସ ପାଇଛି। ତେବେ ଏଭଳି ଏକ ଦିନରେ ଜେଏସ୍‌ଡବ୍ଲୁ ଷ୍ଟିଲ୍‌, ନେସ୍‌ଲେ ଓ ଟାଇଟାନ୍‌ର ସେୟାର ମୂଲ୍ୟ ବଢ଼ିଛି। ସମଗ୍ର ଏସିଆରେ ଦକ୍ଷିଣ କୋରିଆ, ଜାପାନ, ଚୀନ୍‌ରେ ମଧ୍ୟ ଷ୍ଟକ୍ ବଜାରରେ କାରବାର ମାନ୍ଦା ରହିଥିଲା। ୟୁରୋପରେ ମଧ୍ୟ ଷ୍ଟକ୍ ସୂଚୀ ତଳକୁ ଖସିଥିବା ବେଳେ ଆମେରିକାରେ ହୋଇଥିବା କାରବାରରେ ମିଶ୍ରିତ ଫଳ ଦେଖିବାକୁ ମିଳିଥିଲା। ଗତକାଲି ବୈଦେଶିକ ସଂସ୍ଥାଗତ ନିବେଶକମାନେ ଭାରତୀୟ ଷ୍ଟକ୍ ବଜାରରୁ ୪୨୨୪.୯୨ କୋଟି ଟଙ୍କା ପ୍ରତ୍ୟାହାର କରିଥିଲେ।