ଆମ୍ଵାନୀଙ୍କୁ ଟପି ଏସିଆର ସବୁଠୁ ଧନୀ ବ୍ୟକ୍ତି ହେଲେ ଗୌତମ ଆଦାନୀ

ନୂଆଦିଲ୍ଲୀ: ବିଶ୍ବ ଶେୟାର ବଜାରରେ ହ୍ରାସ ଜାରି ରହିଥିବା ଯୋଗୁଁ  ଧନାଢ଼୍ୟ ତାଲିକାର ଶୀର୍ଷ ସ୍ଥାନରେ ଥିବା ଆରବପତିଙ୍କ ସମ୍ପତ୍ତି ଉପରେ ଏହାର ନକାରାତ୍ମକ ପ୍ରଭାବ ପଡିଛି। ଏହା ଯୋଗୁଁ ଆରବପତିଙ୍କ ତାଲିକାରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ଆଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନୀ ରିଲାଏନ୍ସ ଅଧ୍ୟକ୍ଷ ମୁକେଶ ଅମ୍ଵାନୀଙ୍କୁ ପଛରେ ପକାଇ ଏସିଆ ମହାଦେଶର ସବୁଠୁ ଧନୀ ବ୍ୟକ୍ତିର ମାନ୍ୟତା ପାଇଛନ୍ତି। ଗୌତମ ଆଦାନୀ ଆଗରୁ ବି ମୁକେଶ ଅମ୍ଵାନୀଙ୍କୁ ପଛରେ ପକାଇବାର ନିକଟତର ହୋଇଥିଲେ ହେଁ କେବେ ତାଙ୍କୁ ପଛରେ ପକାଇ ପାରି ନ ଥିଲେ। କିନ୍ତୁ ଏବେ ମୁକେଶ ଅମ୍ଵାନୀଙ୍କଠାରୁ ଆଗେଇ ଯାଇଛନ୍ତି ‌ଆଦାନୀ। ଗୌତମ ବିଶ୍ଵର ନମ୍ବର ୧୦ ଧନୀର ବି ମାନ୍ୟତା ହାସଲ କରିଛନ୍ତି।

ଫୋର୍ବସର ରିୟଲ୍ ଟାଇମ୍ ଲିଷ୍ଟ୍ ଅନୁସାରେ ‘ଗୌତମ ଆଦାନୀ ଏଣ୍ଡ୍ ଫ୍ୟାମିଲି’ ୯୦ ବିଲିଅନ ଡଲାର ସମ୍ପତ୍ତି ସହ ବିଶ୍ଵର ୧୦ ନମ୍ବର ଧନୀର ମାନ୍ୟତା ପାଇଛନ୍ତି। ଗତ ୨୪ ଘଣ୍ଟାରେ ଗୌତମଙ୍କ ସମ୍ପତ୍ତି ୬୭୨ ମିଲିଅନ୍ ଡଲାର କମ୍ ହୋଇଛି। ତେବେ ଅନ୍ୟ ଆରବପତିଙ୍କ ସମ୍ପତ୍ତି ଆହୁରି ଅଧିକ ହ୍ରାସ ହୋଇଛି। ଅନେକ ଦିନ ଧରି ଭାରତ ଓ ଏସିଆର ସବୁଠାରୁ ଧନୀ ବ୍ୟକ୍ତିର ମାନ୍ୟତା ପାଇଥିବା ମୁକେଶଙ୍କ ସମ୍ପତ୍ତି ଗତ ଗୋଟିଏ ଦିନରେ ୨.୨ ବିଲିଅନ ଡଲାର ହ୍ରାସ ପାଇଛି। ଏହାଦ୍ଵାରା ତାଙ୍କ ସମ୍ପତ୍ତି ୮୯ ବିଲିଅନ ଡଲାର ହୋଇଯାଇଛି। ମୁକେଶ ଅମ୍ବାନୀ ଏବେ ଭାରତର ଦ୍ଵିତୀୟ ଓ ବିଶ୍ଵର ୧୧ତମ ଧନୀ ହୋଇଛନ୍ତି। ଫେସବୁକର ମାଲିକ ମାର୍କ ଜୁକରବର୍ଗଙ୍କ ସବୁଠୁ ଅଧିକ କ୍ଷତି ହୋଇଛି। ମାର୍କ ଜୁକରବର୍ଗଙ୍କ ଶେୟାରରେ ୨୬ ପ୍ରତିଶତ ହ୍ରାସ ପାଇ ୨୯.୭ ବିଲିଅନ ଡଲାର କ୍ଷତି ହୋଇଛି।

ପୃଥିବୀର ସବୁଠୁ ଧନୀ ବ୍ୟକ୍ତି  ଟେସଲା ମାଲିକ ଏଲନ ମସ୍କଙ୍କର ମଧ୍ୟ ଶେୟାର ବଜାରରେ ସପତ୍ତିର ପରିମାଣ ଗତ ଦିନକରେ ୩.୩ ବିଲିଅନ ଡଲାର ହ୍ରାସ ପାଇଛି। ତେବେ ସେ ଏବେ ବି ପୃଥିବୀର ସବୁଠୁ ଧନୀ ବ୍ୟକ୍ତି ହୋଇ ରହିଛନ୍ତି। ପୃଥିବୀର ସବୁଠୁ ଧନୀ ୧୫ ବ୍ୟକ୍ତିଙ୍କ ମଧ୍ୟରେ କେବଳ ଝଙ୍ଗ୍ ସାନସାନଙ୍କ ସମ୍ପତ୍ତି ଗତ ୨୪ ଘଣ୍ଚାରେ ୨.୨ ବିଲିଅନ ଡଲାର ବଢି ୭୭.୩ ବିଲିଅନ ଡଲାର ହୋଇଛି।

ସମ୍ବନ୍ଧିତ ଖବର