ସରକାରୀ ଲାଭ ପାଇଁ ଆଧାର ବାଧ୍ୟତାମୂଳକ: ୯୯% ପ୍ରାପ୍ତବୟସ୍କଙ୍କ ପାଖରେ ଆଧାର

ନୂଆଦିଲ୍ଲୀ: ସରକାରୀ ସ୍କିମ୍‌ର ଲାଭ ଓ ସବ୍‌ସିଡି ପାଇବା ଲାଗି ଆଧାର କିମ୍ବା ତାହାର ଏନ୍‌ରଲ୍‌ମେଣ୍ଟ୍‌ ସ୍ଲିପ୍‌କୁ ବାଧ୍ୟତାମୂଳକ କରାଯାଇଛି। ଚଳିତ ମାସ ୧୧ ତାରିଖରେ ଭାରତୀୟ ସ୍ବତନ୍ତ୍ର ପରିଚୟପତ୍ର କର୍ତ୍ତୃପକ୍ଷ (ୟୁଆଇଡିଏଆଇ) ଏନେଇ ଏକ ସର୍କୁଲାର ଜାରି କରିଛି। କେନ୍ଦ୍ର ସରକାରଙ୍କ ସମସ୍ତ ମନ୍ତ୍ରାଳୟ ଓ ବିଭାଗ ସମେତ ରାଜ୍ୟ ସରକାରଙ୍କ ପାଖକୁ ସେହି ସର୍କୁଲାର ପଠାଯାଇଛି।

ଲୋକମାନଙ୍କ ଆଧାର ପ୍ରସ୍ତୁତ କରିବା ଦାୟିତ୍ବରେ ଥିବା ୟୁଆଇଡିଏଆଇ ଜଣାଇଛି ଯେ ଦେଶରେ ୯୯ ପ୍ରତିଶତରୁ ଅଧିକ ପ୍ରାପ୍ତବୟସ୍କଙ୍କ ଆଧାର ନମ୍ବର ରହିଛି। ଆଧାର ନିୟମର ଧାରା ୭ ଅନୁସାରେ ଯେଉଁ ଲୋକମାନଙ୍କ ପାଖରେ ଆଧାର ନାହିଁ ସେମାନଙ୍କୁ ସବ୍‌ସିଡି, ସରକାରୀ ସୁବିଧା କିମ୍ବା ସେବା ପ୍ରଦାନ କରିବା ଲାଗି ଚିହ୍ନଟ କରିବା ନିମନ୍ତେ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯିବା ଦରକାର। ଏଭଳି ମାମଲାରେ ଆଧାର ପାଇନଥିବା ବ୍ୟକ୍ତି ନୂତନ ଆବେଦନ କରିପାରିବେ ଏବଂ ଏନ୍‌ରଲ୍‌ମେଣ୍ଟ୍ ନମ୍ବରକୁ ବ୍ୟବହାର କରି ସବ୍‌ସିଡି ଓ ସରକାରୀ ସୁବିଧା ପାଇପାରିବେ। ଅନ୍ୟଥା ଆଧାର ନମ୍ବର ଜାରି ନହେବା ପର୍ଯ୍ୟନ୍ତ ପରିଚୟ ଚିହ୍ନଟ ପାଇଁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିପାରିବେ।
ଏହି ସର୍କୁଲାରରେ କୁହାଯାଇଛି ଯେ ଆଧାର ଲାଗୁ କରାଯିବା ପରେ ସରକାରୀ ସୁବିଧା ହାସଲ କରିବା ଅନୁଭୂତିରେ ବଡ଼ ଧରଣର ଉନ୍ନତି ହୋଇଛି।

ରାଜ୍ୟଗୁଡ଼ିକ ପାଇଁ ମଧ୍ୟ ଏହା ବିଶେ‌ଷ ସହାୟକ ହୋଇଛି। ଏହା ପୂର୍ବରୁ ୟୁଆଇଡିଏଆଇ ପକ୍ଷରୁ ନାଗରିକଙ୍କୁ ଭର୍ଚୁଆଲ ଆଇଡି ମଧ୍ୟ ଜାରି କରାଯାଇଥିଲା। ତାହା ହେଉଛି ଏକ ଅସ୍ଥାୟୀ ୧୬ ଅଙ୍କ ବିଶିଷ୍ଟ ସଂଖ୍ୟା ଯାହାକୁ ଆଧାର ନମ୍ବର ସହ ଯୋଡ଼ାଯାଇଥିଲା। ଇ-କେୱାଇସି ସମୟରେ ତାହାକୁ ବ୍ୟବହାର କରିବା ଲାଗି ଲୋକମାନଙ୍କୁ ଅନୁମତି ଦିଆଯାଇଥିଲା। ତାହାକୁ ବୈଧ ପ୍ରମାଣ ଭାବେ ଗ୍ରହଣ କରିବା ଲାଗି ସଂସ୍ଥାଗୁଡ଼ିକୁ ମଧ୍ୟ କୁହାଯାଇଥିଲା। ମାତ୍ର ସଦ୍ୟତମ ସର୍କୁଲାରରେ କୁହାଯାଇଛି ଯେ ସରକାରୀ ସଂସ୍ଥା ଦ୍ବାରା ପ୍ରସ୍ତୁତ ଭର୍ଚୁଆଲ୍ ଆଇଡିକୁ କେବଳ ବ୍ୟବହାର କରିହେବ। ସର୍କୁଲାରରେ କୁହାଯାଇଛି ଯେ ସାମାଜିକ କଲ୍ୟାଣମୂଳକ ସ୍କିମ୍‌କୁ ସୁରୁଖୁରୁରେ ଲାଗୁ କରିବା ଲାଗି କିଛି ସରକାରୀ ସଂସ୍ଥା ସେମାନଙ୍କ ଡାଟାବେସ୍‌ରେ ଆଧାର ନମ୍ବର ରଖିବାକୁ ଚାହୁଛନ୍ତି। ସେଭଳି ସଂସ୍ଥା ହିତାଧିକାରୀଙ୍କୁ ଆଧାର ନମ୍ବର ମାଗିପାରିବେ ଓ ଭର୍ଚୁଆଲ ଆଇଡିକୁ ଇଚ୍ଛାଧୀନ ରଖିପାରିବେ। ବିଭିନ୍ନ ସୁବିଧା ଓ ସେବା ହାସଲ କରିବା ଲାଗି ବ୍ୟବହାର କରାଯାଉଥିବା ଭିନ୍ନ ଭିନ୍ନ ପ୍ରକାର ସାର୍ଟିଫିକେଟ୍ ପାଇବା ଲାଗି ଆଧାର କିମ୍ବା ଆଧାର ଏନ୍‌ରଲ୍‌ମେଣ୍ଟ୍‌ ନମ୍ବର ଦରକାର ହେବ ବୋଲି ଏହି ସର୍କୁଲାରରେ ଉଲ୍ଲେଖ ରହିଛି।

ସମ୍ବନ୍ଧିତ ଖବର