ସରକାରୀ ସ୍କିମ୍ ପାଇଁ ଆଧାର ବାଧ୍ୟତାମୂଳକ, ବର୍ତମାନ ଆଧାର ନଥିଲେ ବି ଲାଭ ମିଳିବ

ନୂଆଦିଲ୍ଲୀ: ସାମାଜିକ କଲ୍ୟାଣମୂଳକ ସ୍କିମ୍‌ର ଲାଭ ହାସଲ କରିବା ଲାଗି ହିତାଧିକାରୀମାନଙ୍କ ପାଇଁ ଆଧାରକୁ ବାଧ୍ୟତାମୂଳକ କରାଯାଇଛି। ଉଭୟ ସଂଗଠିତ ଓ ଅଣ ସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କ ଲାଗି ଏହି ନିୟମ ଲାଗୁ କରାଯାଇଛି। ବାଟମାରଣା ଓ ଜାଲିଆତିକୁ ରୋକିବା ଲାଗି ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଥିବା କୁହାଯାଉଛି। ବାୟୋମେଟ୍ରିକ୍ ତଥ୍ୟ ଥିବା ଆଧାରକୁ କଲ୍ୟାଣମୂଳକ ସ୍କିମ୍ ଲାଗି ବ୍ୟବହାର କରାଯାଉନଥିବାରୁ ଏ କ୍ଷେତ୍ରରେ ଅନେକ ଜାଲିଆତି ଓ ବାଟମାରଣା ହେଉଛି। ଠକମାନେ ବିଭିନ୍ନ ଲୋକଙ୍କ ନାମରେ ଜାଲ୍ ପଞ୍ଜୀକରଣ କରି ସ୍କିମ୍‌ର ଲାଭ ହାସଲ କରୁଛନ୍ତି। ସେଥିରେ ରୋକ ଲଗାଇବା ଲାଗି ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।

ଶ୍ରମ ସଚିବ ଅପୂର୍ବ ଚନ୍ଦ୍ରା କହିଛନ୍ତି ଯେ ଏହି ବିଜ୍ଞପ୍ତି ଜରିଆରେ ସାମାଜିକ ସୁରକ୍ଷା ସ୍କିମ୍‌ର ଲାଭ ହାସଲ କରୁଥିବା ସମସ୍ତ ହିତାଧିକାରୀଙ୍କ ଆଧାର ନମ୍ବର ସଂଗ୍ରହ କରିବା ଲାଗି ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟକୁ ଆଇନଗତ ଅଧିକାର ମିଳିଛି। ଆଗାମୀ ଦିନରେ ମନ୍ତ୍ରଣାଳୟ ତରଫରୁ ଶ୍ରମିକମାନଙ୍କ ଠାରୁ ଆଧାର ତଥ୍ୟ ସଂଗ୍ରହ କରାଯିବ। ସଂଗୃହୀତ ହେବାକୁ ଥିବା ତଥ୍ୟ ଅନୁସାରେ ସେମାନଙ୍କୁ ସାମାଜିକ ସୁରକ୍ଷା ସ୍କିମ୍‌ଗୁଡ଼ିକର ଲାଭ ପ୍ରଦାନ କରାଯିବ। ତେବେ ଆଧାର ବିନା ବର୍ତମାନ ସମୟରେ କୌଣସି ହିତାଧିକାରୀଙ୍କୁ ଲାଭ ପ୍ରଦାନ କରିବାକୁ ମନା କରାଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ଏନ୍‌ଆଇସି ସହିତ ମିଶି ୩୫ କୋଟି ଅଣ ସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କ ଏକ ଜାତୀୟ ଡାଟାବେସ୍ ପୋର୍ଟାଲ୍ ତିଆରି କରାଯାଉଛି। ଆସନ୍ତା ଦୁଇରୁ ତିନି ସପ୍ତାହ ଭିତରେ ଏହି ପୋର୍ଟାଲ୍ କାର୍ଯ୍ୟକ୍ଷମ ହେବ। ପ୍ରାରମ୍ଭିକ ପର୍ଯ୍ୟାୟରେ କୋଠା ଓ ନିର୍ମାଣ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକ, ଜୋମାଟୋ ଓ ସ୍ବିଗି ଭଳି ସଂସ୍ଥା ପାଇଁ କାର୍ଯ୍ୟ କରୁଥିବା କର୍ମଚାରୀ ଓ କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସ୍‌ଆଇସି) ସଦସ୍ୟଙ୍କ ତଥ୍ୟ ରହିବ। ସାମାଜିକ ସୁରକ୍ଷାକୁ ନେଇ ପ୍ରସ୍ତୁତ କରାଯାଇଥିବା କୋଡ୍‌ର ଧାରା ୧୪୨ ଅନୁସାରେ ସରକାର ଆଧାରକୁ ବାଧ୍ୟତାମୂଳକ କରିଛନ୍ତି।

ଏଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ଯେ ସାମାଜିକ ସୁରକ୍ଷା ସ୍କିମ୍‌ର ଲାଭ ହାସଲ କରିବା ଲାଗି କର୍ମଚାରୀ କିମ୍ବା ଅଣ ସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କୁ ନିଜର, ପରିବାର ସଦସ୍ୟ ଓ ନିର୍ଭରଶୀଳ ବ୍ୟକ୍ତିମାନଙ୍କ ପରିଚୟ ଆଧାର ନମ୍ବର ଜରିଆରେ ଦେବାକୁ ହେବ। ଏହି ଧାରାକୁ ଚଳିତ ମାସ ୩ ତାରିଖରୁ କାର୍ଯ୍ୟକାରୀ କରାଯାଇଛି ବୋଲି ଶ୍ରମ ମନ୍ତ୍ରଣାଳୟ ତରଫରୁ ଜାରି କରାଯାଇଥିବା ଏକ ବିଜ୍ଞପ୍ତିରୁ ଜଣାପଡ଼ିଛି। ଏହି କୋଡ୍‌ ଅନୁଯାୟୀ, ସରକାରଙ୍କ ଠାରୁ ନଗଦ ରାଶି କିମ୍ବା ଅନ୍ୟ ଉପାୟରେ ମିଳୁଥିବା ସହାୟତା ହାସଲ କରିବା ଲାଗି ଆଧାର ପଞ୍ଜୀକରଣ କରିବା ବାଧ୍ୟତାମୂଳକ। ବିଶେଷ କରି ମେଡିକାଲ୍ ଓ ଅସୁସ୍ଥତା, ଭତ୍ତା, ଗ୍ରାଚୁଇଟି, ମାତୃତ୍ବ ସୁବିଧା ଏବହ ଅନ୍ୟାନ୍ୟ ସୁବିଧା କିମ୍ବା ପାଣ୍ଠି ଉଠାଣ ଲାଗି ଆଧାର ନମ୍ବର ଦେବାକୁ ପଡ଼ିବ। କ୍ୟାରିୟର କେନ୍ଦ୍ର କିମ୍ବା ମେଡିକାଲ୍ ବାବଦ କୌଣସି ପେମେଣ୍ଟ୍ ପାଇବା ଲାଗି ଆଧାର ପଞ୍ଜୀକରଣ କରିବା ବିଷୟକୁ ବାଧ୍ୟତାମୂଳକ କରାଯାଇଛି। ଭାରତରେ ୫୦ କୋଟିରୁ ଅଧିକ ଶ୍ରମିକ ଥିବା ବେଳେ ସେମାନଙ୍କ ମଧ୍ୟରୁ କେବଳ ୧୦% ସଂଗଠିତ କ୍ଷେତ୍ରରେ ରହିଛନ୍ତି। ଅନ୍ୟମାନେ ଅଣ ସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବେଳେ ସେମାନଙ୍କ ପାଇଁ ସର୍ବନିମ୍ନ ସାମାଜିକ ସୁରକ୍ଷା ବ୍ୟବସ୍ଥାର ଅଭାବ ରହିଛି।

ସମ୍ବନ୍ଧିତ ଖବର