ଆଧାର ଲିଙ୍କ୍‌ ସମୟ ସୀମା ମାର୍ଚ ପର୍ଯ୍ୟନ୍ତ ବଢ଼ିବ!

ନୂଆଦିଲ୍ଲୀ,: ବିଭିନ୍ନ ପ୍ରକାର ସ୍କିମ୍‌ ଏବଂ ସୁବିଧା ସହିତ ଆଧାର ଲିଙ୍କ୍‌ କରିବାର ସମୟ ସୀମା ଆସନ୍ତା ବର୍ଷ ମାର୍ଚ ପର୍ଯ୍ୟନ୍ତ ବଢ଼ାଇବାକୁ କେନ୍ଦ୍ର ସରକାର ଆଗ୍ରହ ପ୍ରକାଶ କରିଛନ୍ତି। ଏକଥା ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ କୁହାଯାଇଛି। ଆଧାର ସମ୍ପର୍କିତ ଏକ ମାମଲାର ଶୁଣାଣି ବେଳେ ସରକାରଙ୍କ ପକ୍ଷରୁ ଏହା କୁହାଯାଇଛି।
ମୋବାଇଲ୍‌, ବ୍ୟାଙ୍କ ଖାତାଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ କଲ୍ୟାଣମୂଳକ ଯୋଜନା ପାଇଁ ସରକାର ଆଧାରକୁ ବାଧ୍ୟତାମୂଳକ କରିଛନ୍ତି। ମୋବାଇଲ୍‌ ନମ୍ବର ସହିତ ଆଧାର ଲିଙ୍କ୍‌ କରିବାର ଶେଷ ଦିବସ ୨୦୧୮ ଫେବ୍ରୁଆରି ୬ ବୋଲି ଧାର୍ଯ୍ୟ କରାଯାଇଛି। ପ୍ରାୟ ଅନ୍ୟ ସବୁ ପ୍ରକାର ସେବା ଏବଂ ସ୍କିମ୍‌ ପାଇଁ ଚଳିତ ବର୍ଷ ଡିସେମ୍ବର ଶେଷ ସୁଦ୍ଧା ଆଧାର ଲିଙ୍କ୍‌ କରାଇବା ପାଇଁ ଲୋକମାନଙ୍କୁ କୁହାଯାଇଛି। ଆଜି ସୁପ୍ରିମକୋର୍ଟ କହିଛନ୍ତି ଯେ ଆଧାର ସମ୍ପର୍କିତ ମାମଲାଗୁଡ଼ିକର ଶୁଣାଣି ସମ୍ବିଧାନ ପୀଠରେ କରାଯିବ। ଆସନ୍ତା ସପ୍ତାହ ସୁଦ୍ଧା ସମ୍ବିଧାନ ପୀଠ ଗଠନ କରାଯିବ। ପ୍ରଧାନ ବିଚାରପତି ଦୀପକ ମିଶ୍ର, ବିଚାରପତି ଏଏମ୍‌ ଖାନ୍‌ଓ୍ଵିଲକର ଏବଂ ଡି ଓ୍ଵାଇ ଚନ୍ଦ୍ରଚୂଡ଼ଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି ହୋଇଥିଲା।
ଅକ୍ଟୋବର ୩୦ରେ ପ୍ରଧାନ ବିଚାରପତି କହିଥିଲେ ଯେ ଆଧାର ମାମଲାର ଶୁଣାଣି କରିବା ପାଇଁ ସମ୍ବିଧାନ ଖଣ୍ଡପୀଠ ଗଠନ କରାଯିବ। ଆଧାର ସମ୍ପର୍କିତ ସବୁ ମାମଲାର ଶୁଣାଣି ସେହି ଖଣ୍ଡପୀଠରେ ହେବ।
ମୋବାଇଲ୍‌ ନମ୍ବର ସହିତ ଆଧାର ଲିଙ୍କ୍‌ ବାଧ୍ୟତାମୂଳକ କରାଯିବା ବିରୋଧରେ ଆଗତ ହୋଇଥିବା ଏକ ମାମଲାର ଶୁଣାଣି କରିବାକୁ ନଭେମ୍ବର ୧୩ରେ ସୁପ୍ରିମକୋର୍ଟ ମନା କରିଦେଇଥିଲେ।

ସମ୍ବନ୍ଧିତ ଖବର