ଆଧାର-ପାନ୍ ଲିଙ୍କ୍‌ ଅବଧି ୨୦୨୧ ମାର୍ଚ୍ଚ ପର୍ଯ୍ୟନ୍ତ ବଢ଼ିଲା

ଆୟକର ରିଟର୍ଣ୍ଣ ଦାଖଲ ସମୟ ସୀମା ବୃଦ୍ଧି

ନୂଆଦିଲ୍ଲୀ: ଟିକସ ସମ୍ପର୍କିତ ଅନେକ ସମୟ ସୀମାକୁ ବୃଦ୍ଧି କରାଯାଇଛି। ଆଧାର ସହିତ ପାନ୍ ଲିଙ୍କ୍‌ କରିବାର ସମୟ ସୀମାକୁ ୨୦୨୧ ମାର୍ଚ୍ଚ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ସରକାରଙ୍କୁ ତରଫରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି। ଆୟକର ରିଟର୍ଣ୍ଣ ଓ ସଂଶୋଧିତ ରିଟର୍ଣ୍ଣ ଦାଖଲ କରିବାର ସମୟ ସୀମାକୁ ଆସନ୍ତା ଜୁଲାଇ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସେହିପରି ଆୟକର ନିୟମର ଧାରା ୮୦ସି, ୮୦ଡି, ଇତ୍ୟାଦିରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଟିକସ ରିହାତି ଦାବି କରିବା ଲାଗି ଟିକସ ସଞ୍ଚୟ ନିବେଶ ଓ ଖର୍ଚ୍ଚ ସମ୍ପର୍କିତ ଅବଧିକୁ ମଧ୍ୟ ଜୁଲାଇ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଟିଡିଏସ୍‌ ସାର୍ଟିଫିକେଟ୍ ଜାରି କରିବାର ଅବଧିକୁ ଚଳିତ ବର୍ଷ ଅଗଷ୍ଟ ୧୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। କ୍ଷୁଦ୍ର ଓ ମଧ୍ୟମ ଧରଣର ଟିକସଦାତାଙ୍କ ସୁବିଧା ପାଇଁ ସେଲ୍‌ଫ-ଆସେସ୍‌ମେଣ୍ଟ୍‌ ଟିକସ ଦାଖଲ କରିବାର ସମୟ ସୀମାକୁ ଆସନ୍ତା ନଭେମ୍ବର ୩୦ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଏହି ସୁବିଧା କେବଳ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟିକସ ଦେବାକୁ ଥିବା ଟିକସଦାତାଙ୍କ ପାଇଁ ଲାଗୁ ହେବ। ଟିକସ ପରିମାଣ ୧ ଲକ୍ଷ ଟଙ୍କାରୁ ଅଧିକ ହେଲେ ଏହି ସୁବିଧା ମିଳିବ ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି। ଆୟକର ନିୟମର ଧାରା ୫୪ରୁ ୫୪ ଜିବି ପର୍ଯ୍ୟନ୍ତ ଅନୁସାରେ, ପୁଞ୍ଜି ଲାଭ କ୍ଷେତ୍ରରେ ହିସାବ ବେଳେ ନିବେଶ, ନିର୍ମାଣ ଓ କିଣାକିଣି ପାଇଁ ରୋଲ୍‌ ଓଭର ଲାଭ କିମ୍ବା ଛାଡ଼ ଦାବି କରିବାର ସମୟ ସୀମାକୁ ‌ଆସନ୍ତା ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଡିଟିଏସ୍‌ ଓ ଟିସିଏସ୍‌ ଷ୍ଟେଟ୍‌ମେଣ୍ଟ୍‌ ଓ ସାର୍ଟିଫିକେଟ୍‌ ଜାରି କରିବାର ସମୟ ସୀମାକୁ ଯଥାକ୍ରମେ ଜୁଲାଇ ୩୧ ଓ ଅଗଷ୍ଟ ୧୫ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଆୟକର ରିଟର୍ଣ୍ଣର ଦେୟ ତାରିଖକୁ ନଭେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ସମ୍ବନ୍ଧିତ ଖବର