ଆଲୁମିନିୟମ ବିକାଶ ପରିଷଦ ଗଠନ କରିବାକୁ ଏଏଆଇର ପ୍ରସ୍ତାବ

ଭୁବନେଶ୍ୱର: ଭାରତୀୟ ଆଲୁମିନିୟମ ସଂଘ (ଏଏଆଇ) ପକ୍ଷରୁ ନୂଆଦିଲ୍ଲୀର ସ୍କୋପ୍‌ କମ୍ପ୍ଲେକ୍ସଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ନାଲ୍‌କୋର ସିଏମ୍‌ଡି ତଥା ଏଏଆଇର ଅଧ୍ୟକ୍ଷ ଡକ୍ଟର ତପନ କୁମାର ଚାନ୍ଦ କହିଛନ୍ତି ଯେ ଦେଶରେ ଏକ ଆଲୁମିନିୟମ ବିକାଶ ପରିଷଦ ଗଠନ କରିବାକୁ ସେ ଖଣି ମନ୍ତ୍ରଣାଳୟକୁ ସଂଘ ପକ୍ଷରୁ ଅନୁରୋଧ କରାଯାଇଛି। ଏହି ପରିଷଦରେ ଆଲୁମିନିୟମ ଧାତୁ ସହିତ ଜଡ଼ିତ ସଂସ୍ଥାଗୁଡ଼ିକ ସଭ୍ୟ ରହିବେ। ଆଲୁମିନିୟମ ମିସନ ୨୦୩୦ ପ୍ରସ୍ତୁତ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଥିବା ସେ କହିଛନ୍ତି। ଆଲୁମିନିୟମର ଆମଦାନି ଏବଂ ରପ୍ତାନି ଶୁଳ୍କକୁ ନେଇ ଏକ ବଜେଟ୍‌ ପ୍ରସ୍ତାବ ଏଏଆଇ ତରଫରୁ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରାଯାଇଛି ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ, ଆଲୁମିନିୟମରେ ରହିଛି ଅସୀମ ସମ୍ଭାବନା। ଭାରତରେ ଆଲୁମିନିୟମର ବ୍ୟବହାର ଦ୍ରୁତ ଗତିରେ ବଢୁଛି। ଖୁବ୍‌ଶୀଘ୍ର ଭାରତ ବିଶ୍ୱର ଅନ୍ୟତମ ପ୍ରମୁଖ ଆଲୁମିନିୟମ ଉତ୍ପାଦନକାରୀ ରାଷ୍ଟ୍ର ଭାବେ ଉଭା ହେବ। ଆଗକୁ ଚାହିଦା ବଢ଼ିବାର ଥିବାରୁ ଆମକୁ ଅଧିକ ଆଲୁମିନିୟମ ଉତ୍ପାଦନ କରିବାକୁ ପଡ଼ିବ ଏବଂ ସେହି ସମୟରେ ପ୍ରଦୂଷଣ ମାତ୍ରାକୁ ନିୟନ୍ତ୍ରଣରେ ରଖିବା ପ୍ରତି ଧ୍ୟାନ ଦେବାକୁ ପଡ଼ିବ ବୋଲି ସେ କହିଛନ୍ତି। ଏହି ସେମିନାରରେ କେନ୍ଦ୍ର ଖଣି ମନ୍ତ୍ରାଳୟର ଯୁଗ୍ମ ସଚିବ ସୁଭାଷ ଚନ୍ଦ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ନିଜ ଅଭିଭାଷଣରେ ସେ କହିଥିଲେ ଯେ ଆଲୁମିନିୟମ ଉତ୍ପାଦନକାରୀମାନେ ନିଜ ଚାରିପାଖରେ ଥିବା ଅଞ୍ଚଳଗୁଡ଼ିକର ସାମାଜିକ ଏବଂ ପାରିପାର୍ଶ୍ୱିକ ଉନ୍ନତି ଦିଗରେ କାମ କରିବା ଦରକାର। ଏହା ଦ୍ୱାରା ସେମାନେ ସ୍ଥାନୀୟ ଲୋକଙ୍କ ବିଶ୍ୱାସ ଜିତିପାରିବେ ଏବଂ ସେମାନଙ୍କୁ କମ ପ୍ରତିରୋଧ ସାମ୍ନା କରିବାକୁ ପଡ଼ିବ। ସ୍ଥାନୀୟ ବାସିନ୍ଦାଙ୍କ ଦକ୍ଷତା ବୃଦ୍ଧି ଓ ସ୍ୱରୋଜଗାର ସୁଯୋଗ ସମ୍ପର୍କରେ ଉଦ୍ୟୋଗଗୁଡିକ ଧ୍ୟାନ ଦେବା ଉଚିତ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର