ଅଭନ୍ତା‌ ଗ୍ରୁପ୍‌ ପ୍ରତିଷ୍ଠାତା ଗିରଫ; ଋଣ ଠକେଇ, ମନି ଲଣ୍ଡରିଂ ଅଭିଯୁକ୍ତ

ୟେସ୍‌ ବ୍ୟାଙ୍କ ଋଣ ଶୁଝୁନଥିଲେ, ରାଣା କପୁରଙ୍କୁ ଲାଞ୍ଚ ଦେଇ ଋଣ ନେଉଥିଲେ

ନୂଆଦିଲ୍ଲୀ: କ୍ରମ୍ପ୍‌ଟନ୍ ଗ୍ରିଭ୍‌ସ ଓ ବିଲ୍‌ଟ ଭଳି ସଂସ୍ଥା ପ୍ରତିଷ୍ଠା କରିଥିବା ଅଭନ୍ତା ଗ୍ରୁପ୍‌ର ପ୍ରତିଷ୍ଠାତା ଗୌତମ ଥାପରଙ୍କୁ ମନି ଲଣ୍ଡରିଂ ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ପକ୍ଷରୁ ଗିରଫ କରାଯାଇଛି। ଗତକାଲି ମୁମ୍ବାଇ ଓ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଚଢ଼ଉ କରିବା ପରେ ଇଡି ଗୌତମଙ୍କୁ ଗିଫର କରିଛି। ତାଙ୍କ ନାମରେ ୟେସ୍ ବ୍ୟାଙ୍କରୁ ଋଣ ଠକେଇ ଓ ମନି ଲଣ୍ଡରିଂ କରିଥିବା ଅଭିଯୋଗ ରହିଛି। ଗତ କିଛି ବର୍ଷ ଭିତରେ ଋଣ ଠକେଇ କରି ବନ୍ଧା ହୋଇଥିବା ବ୍ୟବସାୟୀଙ୍କ ତାଲିକାରେ ଗୌତମ ଥାପରଙ୍କ ନାମ ଯୋଡ଼ି ହୋଇଛି।

୨୦୧୭ର ଏକ ଋଣ ଠକେଇ ମାମଲାରେ ଗୌତମଙ୍କୁ ଗିରଫ କରାଯାଇଛି। ବୁଡ଼ିବା ଦ୍ବାରଦେଶରୁ ଉଦ୍ଧାର ପାଇଥିବା ୟେସ୍‌ ବ୍ୟାଙ୍କରୁ ସେ ୫୧୫ କୋଟି ଟଙ୍କାର ଋଣ ନେଇଥିଲେ। ୨୦୧୯ରେ ତାଙ୍କ ଋଣ ଖାତାକୁ ଖିଲାପ ବର୍ଗରେ ସାମିଲ କରାଯାଇଥିଲା। ଅନ୍ୟ ଏକ ମାମଲାରେ ସିବିଆଇ ପକ୍ଷରୁ ତାଙ୍କର ଆଉ ଏକ ସଂସ୍ଥା ଅଭନ୍ତା ରିଅଲିଟି ଲିମିଟେଡ୍ ବିରୋଧରେ ମାମଲା ରୁଜୁ କରାଯାଇଛି। ଏହି ସଂସ୍ଥା ୨୦୧୭ରୁ ୨୦୧୯ ଭିତରେ ୟେସ୍‌ ବ୍ୟାଙ୍କରୁ ୪୬୬.୫୧ କୋଟି ଟଙ୍କାର ଋଣ ଠକେଇ କରିଥିବା ଅଭିଯୋଗ ରହିଛି। ପୂର୍ବରୁ ସିବିଆଇ ପକ୍ଷରୁ କୁହାଯାଇଥିଲା ଯେ ‌ୟେସ୍‌ ବ୍ୟାଙ୍କ ପ୍ରତିଷ୍ଠାତା ରାଣା କପୁରଙ୍କୁ ହାତଗୁଞ୍ଜା ଦେଇ ଗୌତମ ଋଣ ହାସଲ କରୁଥିଲେ। ‌ସେହି ଋଣ ବୁଡ଼ିବାର ଆଶଙ୍କା ରହିଥିବା ସତ୍ତ୍ବେ ରାଣା ପାଟି ବନ୍ଦ ରଖୁଥିଲେ।

ଏହିଭଳି ଭାବେ ଗୌତମ ନେଇଥିବା ପ୍ରାୟ ୨,୪୩୫ କୋଟି ଟଙ୍କାର ଋଣ ଖିଲାପ ବର୍ଗରେ ସାମିଲ ହୋଇଛି। ସିବିଆଇ ପକ୍ଷରୁ ଗତବର୍ଷ ରାଣା ଓ ତାଙ୍କ ପତ୍ନୀ ବିନ୍ଦୁଙ୍କ ନାମରେ ଲାଞ୍ଚ ନେଇଥିବା ଅଭିଯୋଗରେ ମାମଲା ରୁଜୁ କରାଯାଇଥିଲା। ସିବିଆଇ କହିଛି ଯେ ୟେସ୍‌ ବ୍ୟାଙ୍କରୁ ଗୌତମ ଯେଉଁ ୧୯୦୦ କୋଟି ଟଙ୍କା ଋଣ ନେଇଥିଲେ ତାହା ବଦଳରେ ସେ ରାଣାଙ୍କୁ ଦିଲ୍ଲୀରେ ୩୦୭ କୋଟି ଟଙ୍କାର ବଙ୍ଗଳା ଦେଇଥିଲେ। ବଜାର ଦର ଠାରୁ ଅଧା ଦାମ୍‌ରେ ଏହି ବଙ୍ଗଳା ବିକ୍ରି ହୋଇଥିଲା। ସିବିଆଇ ସନ୍ଦେହ କରୁଛି ଯେ ଦିଲ୍ଲୀର ଅମ୍ରିତା ସେର୍‌ଗିଲ୍ ମାର୍ଗରେ ୧.୨ ଏକର ଜମିରେ ଥିବା ଏହି ବଙ୍ଗଳାକୁ ଗୌତମ ଲାଞ୍ଚ ଆକାରରେ ରାଣାଙ୍କୁ ଦେଇଛନ୍ତି। ସିବିଆଇ ପକ୍ଷରୁ ଦାଖଲ କରାଯାଇଥିବା ଏଫ୍‌ଆଇଆର୍‌ ଆଧାରରେ ଇଡି ପକ୍ଷରୁ ମନି ଲଣ୍ଡରିଂ ଦିଗକୁ ନେଇ ତଦନ୍ତ ଆରମ୍ଭ କରାଯାଇଥିଲା। ୟେସ୍‌ ବ୍ୟାଙ୍କକୁ ହୋଇଥିବା ୪୪୬.୫୧ କୋଟି ଟଙ୍କାର କ୍ଷତି ମାମଲାରେ ଗୌତମ ଓ ଅନ୍ୟ କିଛି ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ କରାଯାଇଥିଲା।

ସମ୍ବନ୍ଧିତ ଖବର