ଜେ‌ଏନ୍‌ୟୁରୁ ରାଜନୀତି, କୋଲକାତାରୁ ଦାରିଦ୍ର୍ୟ କ’ଣ ଜାଣିଥିଲି; ଅଭିଜିତ ବାନାର୍ଜୀ

ନୂଆଦିଲ୍ଲୀ: ଚଳିତବର୍ଷର ନେବେଲ ବିଜେତା ଅର୍ଥନୀତିଜ୍ଞ ଅଭିଜିତ ବାନାର୍ଜୀ ଭାରତୀୟ ରାଜନୀତି ସମ୍ପର୍କରେ ଜବାହରଲାଲ ନେହରୁ ବିଶ୍ବବିଦ୍ୟାଳୟ (ଜେଏନୟୁ)ରୁ ଏବଂ ଦାରିଦ୍ର୍ୟ କ’ଣ ତାହା କୋଲକାତାରୁ ଜାଣିଥିଲେ। ନୋବେଲ ପୁରସ୍କାର ଜିତିବା ପରେ ସେ ଦେଇଥିବା ସାକ୍ଷାତକାରରେ ଏହା କହିଛନ୍ତି। କୋଲକାତାରୁ ଜେଏନୟୁକୁ ଆସିବା ପୂର୍ବରୁ ମୁଁ ବାମପନ୍ଥୀ ରାଜନୀତି ସମ୍ପର୍କରେ ଜାଣିଥିଲି। କିନ୍ତୁ ଜେଏନ୍‌ୟୁକୁ ଆସିବା ପରେ ଗାନ୍ଧୀବାଦୀ, ଆରଏସ୍‌ଏସ୍‌, ଲୋହିଆ ଏବଂ ଭାରତୀୟ ରାଜନୀତିର ଅନ୍ୟାନ୍ୟ ଦିଗ ସମ୍ପର୍କରେ ପରିଚିତ ହୋଇଥିଲି। ଅର୍ଥାତ୍ ଭାରତୀୟ ରାଜନୀତି ସମ୍ପର୍କରେ ମୋର ଏକ ଉତ୍ତମ ଜ୍ଞାନ ଜେଏନ୍‌ୟୁରେ ହୋଇଥିଲା ବୋଲି ଅଭିଜିତ୍ କହିଛନ୍ତି। ଗତ କିଛିବର୍ଷ ଭିତରେ ଜେଏନ୍‌ୟୁ ଦେଶ ବିରୋଧୀଙ୍କ ଗଡ଼ ପାଲଟିଛି ବୋଲି ପ୍ରଶ୍ନରେ ଅଭିଜିତ୍ କହିଛନ୍ତି, ଭିନ୍ନମତକୁ ସୁରକ୍ଷିତ ରଖିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। କାହାକୁ ନେଇ ଭାରତ ଗଠିତ, ଜାତୀୟତାବାଦୀ କ’ଣ ଏବଂ ଅର୍ଥନୈତିକ ଅଗ୍ରଗତି କାହାକୁ କୁହାଯାଏ ସେ ସମ୍ପର୍କିତ ମୌଳିକ ଚିନ୍ତାଧାରାରେ ଥିବା ମତପାର୍ଥକ୍ୟକୁ ସ୍ଥାନ ମିଳିବା ଉଚିତ। କାରଣ ମତପାର୍ଥକ୍ୟ ଆମକୁ ଅଧିକ ଜ୍ଞାନୀ କରିଥାଏ ଏବଂ ଦ୍ରୁତ ପରିବର୍ତ୍ତନଶୀଳ ଏବଂ ଅତ୍ୟନ୍ତ ଜଟିଳ ବିଶ୍ବ ସହିତ ଖାପ ଖୁଆଇ ଚଳିବାରେ ସହାୟକ ହୋଇଥାଏ ବୋଲି ଅଭିଜିତ୍ କହିଛନ୍ତି। ଦାରିଦ୍ର୍ୟ ସମ୍ପର୍କରେ ତାଙ୍କର ଏତେ ଗଭୀର ଜ୍ଞାନ ହେଲା କିଭଳି ଶୀର୍ଷକ ପ୍ରଶ୍ନରେ ଅଭିଜିତ୍ କହିଥିଲେ, ମୋ ଜେଜେବାପା କୋଲକାତାର ସବୁଠୁ ବଡ଼ ବସ୍ତି ନିକଟରେ ଘର କରିଥିଲେ। ତେଣୁ ପିଲାବେଳେ ମୁଁ ବସ୍ତି ପିଲାଙ୍କ ସହିତ ଖେଳିବା ସୁଯୋଗ ପାଉଥିଲି। ସେଠାରୁ ଦାରିଦ୍ର୍ୟ ସମ୍ପର୍କରେ ମୋର ପ୍ରଥମ ଜ୍ଞାନ ହୋଇଥିଲା। ସେମାନେ ବିଦ୍ୟାଳୟକୁ ଯାଉ ନଥିବାରୁ ‌ମୁଁ ସେମାନଙ୍କ ପ୍ରତି ଇର୍ଷା କରୁଥିଲି। ମୋ ପରିବାରର ବଡ଼ ପ୍ରଭାବ ରହିଥିଲା। ଘରେ ସବୁ ସମୟରେ ଦାରିଦ୍ର୍ୟ ଭଳି ପ୍ରସଙ୍ଗ ଉପରେ ଆଲୋଚନା ହୋଇଥାଏ। ଦାରିଦ୍ର୍ୟର କାରଣ ଏବଂ ପରିଣାମ ଆଦି ଉପରେ ଆଲୋଚନା ହୋଇଥାଏ। ସେଥିରୁ ମୋର ଦାରିଦ୍ର୍ୟ ସମ୍ପର୍କରେ ଜ୍ଞାନ ହୋଇଥିଲା ବୋଲି ସେ କହିଥାନ୍ତି।

ନୋବେଲ ବିଜେତାଙ୍କ ବହିରେ ଓଡ଼ିଶା କଥା
ଚଳିତବର୍ଷ ଅର୍ଥନୀତିରେ ନୋବେଲ ପୁରସ୍କାର ପାଇଁ ଘୋଷିତ ଅଭିଜିତ୍ ବାନାର୍ଜୀ ତାଙ୍କ ପୁସ୍ତକରେ ଓଡ଼ିଶା ସମ୍ପର୍କରେ ଅନେକ ଉଦାହରଣ ରଖିଛନ୍ତି । ଗରିବଙ୍କୁ ମିଳୁଥିବା ଚାଉଳ, ନିର୍ମାଣ ଶ୍ରମିକ ଏବଂ ଜଳ ଓ ପରିମଳ ସଂପର୍କରେ ଅଭିଜିତ୍ ଏବଂ ତାଙ୍କ ପତ୍ନୀ ଇସ୍ତର ଡୁଫ୍‌ଲୋ ଲେଖିଥିବା ପୁସ୍ତକ ‘ପୁଅର୍ ଇକୋନୋମିକ୍ସ’ରେ ବର୍ଣ୍ଣନା କରିଛନ୍ତି। ଅଭିଜିତ୍‌ ତାଙ୍କ ପୁସ୍ତକରେ ଲେଖିଛନ୍ତି- ବଜାରରେ ମିଳୁଥିବା ଚାଉଳଠାରୁ ବହୁତ କମ୍ ଦାମରେ ଗରିବଙ୍କୁ ଚାଉଳ ଯୋଗାଇ ଦିଆଯାଉଛି । ଗରିବ ଲୋକଙ୍କୁ ମାସିକ ପ୍ରାୟ ୫୫ ପାଉଣ୍ଡ ଚାଉଳ ଦିଆଯାଉଛି । ଗୋଟିଏ ପାଉଣ୍ଡ ଚାଉଳ ପାଖାପାଖି ୪ଟଙ୍କା ଭିତରେ ମିଳିଯାଉଛି । ଏମିତି କି, ଖାଦ୍ୟ ଅଧିକାର ଆଇନ ଆଣିବାକୁ ଭାରତର ସଂସଦରେ ବିଚାର କରାଯାଉଛି। ଏହି ବହି ଲେଖା ହେବା ସମୟରେ ଭାରତରେ ଖାଦ୍ୟ ସୁରକ୍ଷା ଆଇନ ଆସିନଥିଲା, ହୁଏତ ସେଥିପାଇଁ ସଂସଦରେ ଏଦିଗରେ ବିଚାର କରାଯାଉଛି ବୋଲି ବାନାର୍ଜୀ ଲେଖିଛନ୍ତି। ସେହିପରି ୪ଟଙ୍କାରେ ଚାଉଳ ସଂପର୍କରେ ଯେଉଁ କଥା ଲେଖିଛନ୍ତି ତାହା ଆଜିର ଟଙ୍କିକିଆ ଚାଉଳକୁ ସୂଚାଉଛି। ଅଭିଜିତ୍ ଓଡ଼ିଶାର ଜଳ ଓ ପରିମଳ ସୁଧାର ଦିଗରେ ‘ଗ୍ରାମ ବିକାଶ’ର ଭୂମିକା ସଂପର୍କରେ ମଧ୍ୟ ଲେଖିଛନ୍ତି । ସ୍ୱେଚ୍ଛାସେବୀ ସଂଗଠନ ଗ୍ରାମ ବିକାଶର ସିଇଓଙ୍କ ସହ ମଧ୍ୟ ଅଭିଜିତ୍ ଆଲୋଚନା କରିଥିଲେ । ଗ୍ରାମ ବିକାଶ ଏନଜିଓର ସିଇଓ ଜୋ ମାଡିଆଥଙ୍କୁ ଉଦ୍ଧୃତ କରି ସେ ଲେଖିଛନ୍ତି- ବାତ୍ୟା ପରବର୍ତ୍ତୀ ସମୟରେ ଓଡ଼ିଶାରେ ଜଳ ଓ ପରିମଳ ସମସ୍ୟା ବେଶ ଉତ୍କଟ ହୋଇପଡ଼ିଥିଲା । ଏହି ସମୟରେ ଗ୍ରାମ ବିକାଶ ଏନଜିଓର କର୍ମକର୍ତାମାନେ ଏଥିରେ ସୁଧାର ଆଣିବାକୁ ପ୍ରୟାସ ଆରମ୍ଭ କରିଥିଲେ । ପ୍ରତି ଘରକୁ ପାଣି, ପାଇଖାନା, ଏବଂ ପାଇପ ଯୋଗେ ଜଳ ଯୋଗାଣର ଲକ୍ଷ୍ୟ ଥିଲା । ତେବେ ଜାତି ବିଭେଦ ଯୋଗୁଁ, ଏଥିରେ ପ୍ରଥମେ ସମସ୍ୟା ହୋଇଥିଲା । କିନ୍ତୁ ପରର୍ବର୍ତ୍ତୀ ସମୟରେ ଏହା ଠିକ୍ ହୋଇଯାଇଥିଲା। ସେହିପରି ଗ୍ରାମାଚଂଳରୁ ସହରକୁ ଚାଲି ଆସୁଥିବା ନିର୍ମାଣ ସଂପର୍କରେ ମଧ୍ୟ ଅଭିଜିତ୍ ଏବଂ ତାଙ୍କ ପତ୍ନୀ ଏହି ପୁସ୍ତକରେ ଲେଖିଛନ୍ତି। ରାଜ୍ୟ ସମ୍ପର୍କରେ ଅଭିଜିତ୍‌ଙ୍କ ଅନୁଧ୍ୟାନ ଓଡ଼ିଶା ପାଇଁ ବେଶ୍‌ ସହାୟକ ହେବ ବୋଲି ବିଚାର କରାଯାଉଛି ।

ଭାରତୀୟ ଅର୍ଥନୀତିର ପ୍ରଦର୍ଶନ ଅତି ଖରାପ
ଭାରତୀୟ ଅର୍ଥନୀତିର ପ୍ରଦର୍ଶନ ଅତି ଖରାପ ରହିଛି। ଏହା କହିଛନ୍ତି ଚଳିତବର୍ଷର ନୋବେଲ ଅର୍ଥନୀତି ବିଜେତା ଅଭିଜିତ୍ ବାନାର୍ଜୀ। ଭାରତୀୟ ଅର୍ଥନୀତି ପାଇଁ ଚାହିଦା ଏକ ବଡ଼ ସମସ୍ୟା ବୋଲି ସେ କହିଛନ୍ତି। ଭାରତୀୟ ଅର୍ଥନୀତିରେ ସମସ୍ୟା ରହିଛି ବୋଲି ସରକାର ମାନୁଥିଲେ ମଧ୍ୟ ଭାରତୀୟ ଅର୍ଥନୀତି ଅତି ଖରାପ ପ୍ରଦର୍ଶନ କରୁଛି ବୋଲି ମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଏମ୍‌ଆଇଟି) ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଜିତ୍‌ କହିଛନ୍ତି। ନୋବେଲ ପୁରସ୍କାର ନେଇ ନାମ ଘୋଷଣା ହେବା ପରେ ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଜିତ୍‌ ଏହା କହିଛନ୍ତି। ଭାରତୀୟ ଅର୍ଥନୀତିର ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ପ୍ରଶ୍ନ ହେବାରୁ ଅଭିଜିତ୍ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। ଜାତୀୟ ନମୁନା ସର୍ବେକ୍ଷଣ ଦ୍ବାରା ପ୍ରତି ଦେଢ଼ ବର୍ଷରେ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ହାରାହାରି ଖର୍ଚ୍ଚ ସମ୍ପର୍କରେ ରିପୋର୍ଟ ପ୍ରକାଶ ପାଇଥାଏ। ୨୦୧୪-୧୫ରୁ ୨୦୧୭-୧୮ ମଧ୍ୟରେ ଏହି ସଂଖ୍ୟା ସାମାନ୍ୟ ହ୍ରାସ ପାଇଛି। ତେବେ ବହୁ ବର୍ଷ ପରେ ଏହା ପ୍ରଥମ ଥର ପାଇଁ କମିଛି। ତେଣୁ ଅର୍ଥନୀତି ପାଇଁ ଏହା ବଡ଼ ସତର୍କ ଘଣ୍ଟି ବୋଲି ସେ କହିଛନ୍ତି। ଭାରତରେ ତଥ୍ୟକୁ ନେଇ ବଡ଼ ଧରଣର ବିତର୍କ ଚାଲିଛି। ସରକାରଙ୍କ ଆଭିମୁଖ୍ୟ ହେଲା ଯେଉଁ ତଥ୍ୟ ତାଙ୍କୁ ସୁହାଉ ନାହିଁ ତାହାକୁ ଭୁଲ ବୋଲି ଦର୍ଶାଇବା। ଏହା ସତ୍ତ୍ବେ ଅର୍ଥନୀତିରେ ସମସ୍ୟା ରହିଥିବା ବିଷୟକୁ ସରକାର ବୁଝୁଥିବା ବିଷୟ ସେ ହୃଦବୋଧ କରୁଛନ୍ତି ବୋଲି କହିଛନ୍ତି। ଅର୍ଥନୀତି ଅତି ଦ୍ରୁତଗତିରେ ମନ୍ଥର ହେଉଛି। କିନ୍ତୁ କେତେ ଦ୍ରୁତ ତାହା ଜଣାନାହିଁ। ଏହି ତଥ୍ୟକୁ ନେଇ ବିତର୍କ ଥାଇପାରେ କିନ୍ତୁ ମୁଁ ଭାବୁଛି ଏହା ଦ୍ରୁତମାତ୍ରାରେ ମନ୍ଥର ହେଉଛି ବୋଲି ଅଭିଜିତ୍ କହିଛନ୍ତି। ବର୍ତ୍ତମାନ ପରିପ୍ରେକ୍ଷୀରେ ଅର୍ଥନୀତିରେ ଆର୍ଥିକ ସ୍ଥିରତା ପରିବର୍ତ୍ତେ ଚାହିଦା ହ୍ରାସର କାରଣକୁ ନେଇ ସରକାର ଅଧିକ ଚିନ୍ତିତ ହେବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର