ମାନ୍ଦାବସ୍ଥା ପାଇଁ କ୍ଷମତାର କେନ୍ଦ୍ରୀକରଣ ଦାୟୀ: ଅଭିଜିତ

ଗ୍ରାମାଞ୍ଚଳରେ ଅଧିକ ପୁଞ୍ଜି ବିନିଯୋଗ ହେଉ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ଅଫିସରେ ‌କ୍ଷମତାର ଅତ୍ୟଧିକ କେନ୍ଦ୍ରୀକରଣ ହେଉଛି ଅର୍ଥନୈତିକ ସଙ୍କଟର ପ୍ରମୁଖ କାରଣ। ଏଭଳି ସଙ୍କଟ ପାଇଁ ବିମୁଦ୍ରୀକରଣ ଏବଂ ଜିଏସ୍‌ଟି (ବସ୍ତୁ ଓ ସେବା କର) ମଧ୍ୟ ଦାୟୀ। ଏଭଳି ମତବ୍ୟକ୍ତ କରିଛନ୍ତି ଅର୍ଥନୀତିରେ ନୋବେଲ ବିଜେତା ପ୍ରଫେସର ଅଭିଜିତ ବାନାର୍ଜୀ। ‘ଦ ୱାୟର’କୁ ସାକ୍ଷାତକାର ଦେଇ ଶ୍ରୀ ବାନାର୍ଜୀ ଭାରତ ସମ୍ମୁଖୀନ ହେଉଥିବା ବିଭିନ୍ନ ଅର୍ଥନୈତିକ ସମସ୍ୟା ଏବଂ ଏହାର କିପରି ସମାଧାନ ହୋଇପାରିବ ସେ ସଂପର୍କରେ ତାଙ୍କର ମତାମତ ରଖିଛନ୍ତି। ସେ କହିଛନ୍ତି ଯେ ଦେଶର ସାଂପ୍ରତିକ ଅର୍ଥନୈତିକ ସଙ୍କଟ ପାଇଁ ଜିଏସ୍‌ଟି ଅନ୍ୟତମ କାରଣ। କିନ୍ତୁ ଅନ୍ୟ କୌଣସି ସରକାର ଏହାର ଭଲ ପରିଚାଳନା କରି ପାରିନଥା’ନ୍ତା। ଜିଏସ୍‌ଟି ପାଇଁ ଯେଉଁ ସମସ୍ୟା ସୃଷ୍ଟି ହେଲା ତାହାକୁ କେହି ଅଟକାଇ ପାରିବେ ନାହିଁ। କଂପାନି ଟିକସ କମାଇବା ସଂପର୍କରେ ପ୍ରଫେସର ବାନାର୍ଜୀ କହିଛନ୍ତି ଯେ ଏହା ଅଧିକ ପୁଞ୍ଜି ବିନିଯୋଗରେ ସହାୟକ ହେବ ନାହିଁ କି ବିକାଶ ପ୍ରକ୍ରିୟାକୁ ତ୍ବରାନ୍ବିତ ମଧ୍ୟ କରିପାରିବ ନାହିଁ। କାରଣ ବିଭିନ୍ନ ସାମଗ୍ରୀର ଚାହିଦା ବୃଦ୍ଧି ଲାଗି ପଦକ୍ଷେପ ଗ୍ରହଣ କରାନଯିବା ପର୍ଯ୍ୟନ୍ତ କଂପାନି ଟିକସ କାଟ୍ କିଛି କାମ ଦେବନାହିଁ। ଚାହିଦା ବୃଦ୍ଧି କରିବାକୁ ହେଲେ ଗ୍ରାମାଞ୍ଚଳରେ ଅଧିକ ଅର୍ଥ ବନିଯୋଗ କରିବାକୁ ପଡ଼ିବ। ପ୍ରଧାନମନ୍ତ୍ରୀ କିଷାନ ଭଳି ସ୍କିମ୍ ଏଦିଗରେ ସହାୟକ ହେବ ବୋଲି ‌ସେ ଆଶା ପ୍ରକାଶ କରିଛନ୍ତି। ଗ୍ରାମାଞ୍ଚଳ ପ୍ରକଳ୍ପ ପାଇଁ ଅର୍ଥ ପ୍ରଦାନ କରିବାରେ ସରକାର ବିଳମ୍ବ କରିବା ଉଚିତ ନୁ‌ହେଁ। ଶସ୍ୟ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟକୁ ସରକାର ଜାଣିଶୁଣି ହ୍ରାସ କରିଥିବାରୁ ଗ୍ରାମାଞ୍ଚଳରେ ଚାହିଦା ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି। ସହାରାଞ୍ଚଳ ମୁଦ୍ରାସ୍ଫୀତିର ମୁକାବିଲା ଲାଗି କୃଷି ବ୍ୟୟ କମାଇବା ଠିକ୍ ନୁହେଁ। ଅର୍ଥନୈତିକ ମାନ୍ଦାବାସ୍ଥାର ଏହା ହେଉଛି ଅନ୍ୟତମ ପ୍ରମୁଖ କାରଣ ।

ମରୁଡ଼ି ବେଳେ ନରେଗା ବିଫଳ ହୋଇଛି
ସୋସିଆଲ ମିଡିଆ ଉପରେ କଟକଣା ହେଉ

ସାଂପ୍ରତିକ ଅର୍ଥନୈତିକ ସଙ୍କଟର ମୁକାବିଲା କିଭଳି କରାଯାଇପାରିବ ‌ସେ ସଂପର୍କରେ ପ୍ରଫେସର ବାନାର୍ଜୀ କହିଲେ ‌ଯେ ଆଇନ ଏବଂ ଜମି ଅଧିଗ୍ରହଣ ଆଇନରେ ସଂସ୍କାରର ଆବଶ୍ୟକତା ରହିଛି। ସଙ୍କଟ ସମୟରେ ହିଁ ଏଭଳି ସଂସ୍କାର ଅଣାଯିବା ଉଚିତ। ତେଣୁ ଏବେ ସଙ୍କଟ ସମୟରେ ସରକାର ଏଭଳି ସୁଯୋଗକୁ ହାତଛଡ଼ା କରିବା ଉଚିତ ନୁହେଁ। ନରେଗା ସଂପର୍କରେ ସେ କହିଲେ ‌ଯେ ଏହା ପ୍ରଭାବୀ ଢଙ୍ଗରେ କାମ କରୁନାହିଁ। କେତେକ ତଥ୍ୟ ରଖି ସେ କହିଲେ ‌ଯେ ମରୁଡ଼ି ସମୟରେ ଏହାର ଅଧିକ ଆବଶ୍ୟକତା ଥାଏ। କିନ୍ତୁ ଏଭଳି ସମୟରେ ନରେଗା ବିଫଳ ହୋଇଛି। ସାମାଜିକ ଗଣମାଧ୍ୟମ ବା ସୋସିଆଲ ମିଡିଆ ସଂପର୍କରେ ପ୍ରଫେସର ବାନାର୍ଜୀ କହିଲେ ଯେ ଏହା ଭୁଲ ଖବର ପ୍ରଚାର କରିବା ସହିତ ବିଭାଜନ ସୃ୍ଷ୍ଟି କରୁଛି ଏବଂ ଅସହିଷ୍କୃତାକୁ ବଢ଼ାଉଛି। ଦଳିତ ଏବଂ ମୁସଲିମ ସଂପ୍ରଦାୟ ବିରୋଧୀ ହିଂସା ବୃଦ୍ଧି ପାଇଁ ଏହା ଦାୟୀ ବୋଲି ଉଲ୍ଲେଖ କରି ସେ କହିଲେ ଯେ ଗଣତନ୍ତ୍ର ପାଇଁ ଏହା ଆଦୌ ଶୁଭଙ୍କର ନୁହେଁ। ସେ କହିଲେ ଯେ ବାକ୍‌ ସ୍ବାଧୀନତା ଉପରେ କଟକଣା ଲଗାଇବା ପରିବର୍ତେ ଏଭଳି ସୋସିଆଲ ମିଡିଆ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ତ୍ବରାନ୍ବିତ ହେବା ଉଚିତ।

ସମ୍ବନ୍ଧିତ ଖବର