ଭାରତରେ ଲକ୍‌ଡାଉନ୍ ଶୀଘ୍ର ଲାଗୁ ହେଲା, ଶୀଘ୍ର ହଟିଗଲା: ଅଭିଜିତ

ନୂଆଦିଲ୍ଲୀ: କରୋନା ମହାମାରୀର ମୁକାବିଲା ଲାଗି ଭାରତରେ ଶୀଘ୍ର ଲକ୍‌ଡାଉନ୍ ଲାଗୁ କରାଯାଇଥିଲା ଓ ଅଳ୍ପ ଦିନ ଭିତରେ ସେହି କଟକଣା ଶେଷ ହୋଇଗଲା। ସେଥିପାଇଁ ଏଥିରୁ ଯେଉଁ ଲାଭ ମିଳିବ ବୋଲି ଆଶା କରାଯାଉଥିବା ବାସ୍ତବ ଫଳାଫଳ କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ ରହିଲା ବୋଲି ନୋବେଲ ବିଜେତା ଅର୍ଥନୀତିଜ୍ଞ ଅଭିଜିତ ବାନାର୍ଜୀ କହିଛନ୍ତି। ସେ କହିଛନ୍ତି, ଗତ ମାର୍ଚ୍ଚ ୨୫ରେ ଭାରତରେ ଲକ୍‌ଡାଉନ୍ ଘୋଷଣା କରିଥିଲା। ମାତ୍ର ଚାରି ଘଣ୍ଟାର ସମୟ ଦେଇ କଠୋର ଲକ୍‌ଡାଉନ୍ ଲାଗୁ କରାଗଲା। ଯେହେତୁ ପ୍ରବାସୀ ଶ୍ରମିକଙ୍କୁ ନେଇ ସରକାରଙ୍କ ପାଖରେ କୌଣସି ତଥ୍ୟ ନଥିଲା ‌ତେଣୁ ସେଭଳି ଏକ ସଙ୍କଟ ଦେଖାଦେବ ବୋଲି ସରକାର ଭାବିପାରିନଥିଲେ। ଗୁଣାତ୍ମକ ତଥ୍ୟକୁ ସରକାର ଅଗ୍ରାଧିକାର ଦେଉନଥିବାରୁ ତଥ୍ୟ ଭିତ୍ତିକ ନିଷ୍ପତ୍ତି ନେବାର ଯେଉଁ ସଂସ୍କୃତି ପ୍ରଚଳନରେ ଥିଲା ତାହା ବିଫଳ ହୋଇଛି ବୋଲି ସେ କହିଛନ୍ତି। ଅଭିଜିତଙ୍କ ମତରେ ଆମେ ଶୀଘ୍ର ଲକ୍‌ଡାଉନ୍ ଘୋଷଣା କଲୁ।

ଲକ୍‌ଡାଉନ୍ କମ୍ ସମୟ ପାଇଁ ଲାଗୁ କରାଯିବ ବୋଲି ଯଦି ଜଣାଥାନ୍ତା ତେବେ ଏହି ସଂକ୍ରମଣ ବ୍ୟାପିବା ପରେ ତାହାକୁ ଲାଗୁ କରାଯାଇଥାନ୍ତା। ସଂକ୍ରମଣ ନକମିବା ପର୍ଯ୍ୟନ୍ତ ଲକ୍‌ଡାଉନ୍ ରହିଥାନ୍ତା। ମାତ୍ର ସେଭଳି ନକରି ଆମେ ବହୁ ଶୀଘ୍ର ଲକ୍‌ଡାଉନ୍ ଲାଗୁ କଲୁ ଏବଂ ଦୀର୍ଘ ସମୟ ଲୋକମାନଙ୍କୁ ଘର ଭିତରେ ବନ୍ଦ ରଖିବା ସମ୍ଭବ ନହେବାରୁ ଲକ୍‌ଡାଉନ୍ ଖୋଲିଦେଲୁ। ସେଥିପାଇଁ ଲକ୍‌ଡାଉନ୍‌ର ଫଳାଫଳ ବହୁତ ଖରାପ ରହିଲା ବୋଲି ସେ କହିଛନ୍ତି। ପ୍ରବାସୀ ଶ୍ରମିକଙ୍କ ସମ୍ପର୍କରେ ସେ କହିଛନ୍ତି, ପ୍ରବାସୀ ଶ୍ରମିକଙ୍କ ରହଣୀ ପାଇଁ କୌଣସି ସୁବିଧା କେବେବି ନଥିଲା। ସେମା‌ନେ ସବୁବେଳେ ନିର୍ମାଣ ହେଉଥିବା ପ୍ରକଳ୍ପ ପରିସରରେ ରହୁଥିଲେ। ଯେତେବେଳେ ପ୍ରକଳ୍ପ କାର୍ଯ୍ୟ ବନ୍ଦ ହୋଇଗଲା ସେମାନଙ୍କ ରହିବା ଲାଗି ଜାଗା ମିଳିଲାନି ନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର