ନୂଆଦିଲ୍ଲୀ: ଦୁଇଚକିଆ ଗାଡ଼ିର ସୁରକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବା ଲାଗି ଆଣ୍ଟିଲକ୍‌ ବ୍ରେକିଂ ସି‌ଷ୍ଟମ୍ (ଏବିଏସ୍‌) ବାଧ୍ୟତାମୂଳକ କରାଯାଇଛି। ୨୦୨୬ ଜାନୁଆରିରୁ ଏହି ନିଷ୍ପତ୍ତି ଲାଗୁ ହେବ। ସବୁ ନୂଆ ଦୁଇଚକିଆ ଗାଡ଼ିରେ ଏବିଏସ୍‌ ରହିବ। ବର୍ତ୍ତମାନ ଅଧିକ ସିସି ଇଞ୍ଜିନ ଥିବା ଦୁଇଚକିଆ ଲାଗି ସିଙ୍ଗଲ୍‌-ଚ୍ୟାନେଲ୍‌ ଏବିଏସ୍‌ ବାଧ୍ୟତାମୂଳକ ରହିଛି। ସେହିପରି ଆଗାମୀ ଦିନରେ ଗାଡ଼ି ଡିଲର୍‌ସିପ୍‌ଗୁଡ଼ିକ ନୂଆ ଦୁଇଚକିଆ ସହ ଦୁଇଟି ହେଲ୍‌ମେଟ୍‌ ଦେବେ। ଗୋଟିଏ ଚାଳକ ଓ ଅନ୍ୟଟି ପଛ ସିଟ୍‌ର ଯାତ୍ରୀଙ୍କ ପାଇଁ ଦିଆଯିବ। ବର୍ତ୍ତମାନ ଡିଲର୍‌ସିପ୍‌ଗୁଡ଼ିକ କେବଳ ଗୋଟିଏ ହେଲ୍‌ମେଟ୍‌ ଗାଡ଼ି ସହ ଦେଉଛନ୍ତି। ଏହି ବ୍ୟବସ୍ଥାଗୁଡ଼ିକୁ ଲାଗୁ କରିବା ଲାଗି ଖୁବ୍‌ଶୀଘ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ବିଜ୍ଞପ୍ତି ପ୍ରକାଶ କରିବ।

Advertisment

ସୋସାଇଟି ଅଫ୍ ଇଣ୍ଡିଆନ୍ ଅଟୋମୋବାଇଲ୍ ମାନୁଫାକ୍‌ଚର୍ସ (ସିଆମ୍‌) ତଥ୍ୟ ଅନୁସାରେ ୨୦୨୪-୨୫ରେ ଦେଶରେ ୧.୯୬ କୋଟିରୁ ଅଧିକ ଦୁଇଚକିଆ ଯାନ ବିକ୍ରି ହୋଇଥିଲା। ସେଥିରୁ ୧.୫୩ କୋଟି ହେଉଛି ୧୨୫ ସିସି କିମ୍ବା ତା’ଠାରୁ କମ୍ ଇଞ୍ଜିନ କ୍ଷମତାର ଗାଡ଼ି। ସଡ଼କ ପରିବହନ ମନ୍ତ୍ରଣାଳୟ ତଥ୍ୟ କହୁଛି ‌୨୦୨୨ରେ ଘଟିଥିବା ୪୪.୫ ପ୍ରତିଶତ ସଡ଼କ ଦୁର୍ଘଟଣାରେ ଦୁଇଚକିଆ ଗାଡ଼ି ଜଡ଼ିତ ଥିଲା। ସେଥିପାଇଁ ସରକାର ସବୁ ଦୁଇଚକିଆ ଯାନ ଲାଗି ଏବିଏସ୍‌ ବାଧ୍ୟତାମୂଳକ କରିଛନ୍ତି। 

ଆଣ୍ଟିଲକ୍‌ ବ୍ରେକିଂ ସିଷ୍ଟମ୍ ହେଉଛି ଏଭଳି ଏକ ବ୍ୟବସ୍ଥା ଯେଉଁଥିରେ ହଠାତ୍‌ କିମ୍ବା ହଡ଼ବଡ଼ ହୋଇ ବ୍ରେକ୍ ମାରିଲେ ଗାଡ଼ିର ଚକ ଲକ୍ ହୋଇଯାଏ। ଏହା ଗାଡ଼ିକୁ ନିୟନ୍ତ୍ରଣରେ ରଖିବା ସହ ଚକ ଯେଭଳି ସ୍ଲିପ୍ ନ ହେବ, ତାହା ନିଶ୍ଚିତ କରେ। ଫଳରେ ଚାଳକ ଅତି ଅଳ୍ପ ଦୂରତାରେ ଗାଡ଼ିକୁ ବ୍ରେକ୍ ମାରି ରଖିଦେଇପାରନ୍ତି। ‌ଅନେକ ଦୁର୍ଘଟଣା ଭଳି ସ୍ଥିତିକୁ ଏହା ଏଡ଼ାଇବା କ୍ଷମତା ରଖିଛି। ଏବିଏସ୍‌ ଦ୍ବାରା ଦୁର୍ଘଟଣାକୁ ୩୫-୪୫ ପ୍ରତିଶତ ପର୍ଯ୍ୟନ୍ତ କମ୍ କରାଯାଇପାରିବ ବୋଲି ସର୍ବେକ୍ଷଣରୁ ଜଣାପଡ଼ିଛି।