ନୂଆଦିଲ୍ଲୀ: ଚଉଦ ମାସ ପୂର୍ବେ ଆରମ୍ଭ କରାଯାଇଥିବା ସ୍ବତନ୍ତ୍ର ଏସି-୩ ଇକୋନମି ଶ୍ରେଣୀର (ଏସି-୩ଇ) କୋଚ୍ ଆଗକୁ ଆଉ ଯାତ୍ରୀବାହୀ ଟ୍ରେନ୍‌ରେ ଉପଲବ୍ଧ ହେବନାହିଁ। ଏହି ଶ୍ରେଣୀକୁ ଏସି-୩ ସହିତ ମିଶାଇବାକୁ ରେଳବାଇ ନିଷ୍ପତ୍ତି ନେଇଛି। ଏସି-୩ ଇକୋନମି ଏବଂ ସାଧାରଣ ଏସି-୩ ଶ୍ରେଣୀର ମିଶ୍ରଣରେ ନୂଆ ‘୩ଏ’ ଶ୍ରେଣୀ ସୃଷ୍ଟି ହୋଇଛି। ୨୦୨୧ ସେପ୍ଟେମ୍ବରରେ ରେଳବାଇ ପକ୍ଷରୁ ଏସି-୩ ଇକୋନମି ଶ୍ରେଣୀର ଶୁଭାରମ୍ଭ କରାଯାଇଥିଲା। ଏହା ଥିଲା ୩-ଟାୟାର ଏସି କୋଚ୍‌ର ଇକୋନମି ଶ୍ରେଣୀ। ଏସି-୩ ତୁଳନାରେ ଏଥିରେ ଲେଗ୍‌ ସ୍ପେସ୍ କମ୍ ରହୁଥିଲା ଏବଂ ଲିନେନ୍ ଭଳି ସୁବିଧା ମିଳୁନଥିଲା। ଏସି-୩ କୋଚ୍‌ରେ ୭୨ଟି ବର୍ଥ ରହୁଥିବା ବେଳେ ଏସି-୩ ଇକୋନମି ଶ୍ରେଣୀରେ ୮୩ଟି ବର୍ଥ ରହୁଛି।

Advertisment

ଏସି-୩ ସହିତ ଏସି-୩ ଇକୋନମିର ମି‌ଶ୍ରଣ ପରେ ଏହି ଶ୍ରେଣୀର ସବୁ ଯାତ୍ରୀଙ୍କୁ ଲିନେନ ମିଳିବ। ତେବେ ସେଥିପାଇଁ ଯାତ୍ରୀଙ୍କୁ ଅତିରିକ୍ତ ୬୦-୭୦ ଟଙ୍କା ଦେବାକୁ ପଡ଼ିପାରେ। ଏସି-୩ ଇକୋନମି ଶ୍ରେଣୀ ଆରମ୍ଭ ହେବା ପରେ ତାହା ବେଶ ଚାହିଦାରେ ଥିଲା। ଯାତ୍ରୀମାନଙ୍କୁ ଏହି ଶ୍ରେଣୀର ସିଟ୍ ସହଜରେ ମିଳୁନଥିଲା। ଏହି ଶ୍ରେଣୀର ଟିକଟ୍ ଦାମ୍ ଏସି-୩ ଶ୍ରେଣୀ ତୁଳନାରେ ୬-୮ ପ୍ରତିଶତ କମ୍ ରହୁଥିଲା। ଆସନ୍ତା କିଛି ମାସ ପର୍ଯ୍ୟନ୍ତ ଏସି-୩ ଇକୋନମି ଶ୍ରେଣୀରେ ଟିକଟ ଆଦୌଁ ଉପଲବ୍ଧ ନାହିଁ। ଦେଶରେ ୩୬୩ଟି ଏସି-୩ ଇକୋନମି କୋଚ୍‌ ଥିବା ବେଳେ ୧୧,୨୭୭ ଏସି-୩ କୋଚ୍‌ ରହିଛି। ଏସି-୩ ସହିତ ଏସି-୩ ଇକୋନମିର ମିଶ୍ରଣ ପ୍ରକ୍ରିୟା ଚାରି ମାସ ଭିତରେ ଶେଷ ହେବ।