ଏସି ବଜାରକୁ ପ୍ରଭାବିତ କରିବ ‌କରୋନା, ୮୦% କମ୍ପ୍ରେସର ଚୀନ୍‌ରୁ ଆସୁଛି

ଭୁବନେଶ୍ବର : ଏୟାର କଣ୍ଡିସନର (ଏସି)ରେ ବ୍ୟବହୃତ ହେଉଥିବା ୮୦% କମ୍ପ୍ରେସର ଚୀନ୍‌ରୁ ଆସିଥାଏ। ସେଠାରେ କରୋନା ଭୂତାଣୁର ପ୍ରଭାବ ଲାଗି ରହିଥିବାରୁ ଆବଶ୍ୟକ ପରିମାଣର କମ୍ପ୍ରେସର ଭାରତ ଆସିପାରୁନାହିଁ। ଯଦି ଏହି ସ୍ଥିତି ଆଉ କିଛି ଦିନ ପର୍ଯ୍ୟନ୍ତ ଲାଗିରହିବ ତେବେ ଭାରତରେ ଏସି ବଜାର ପ୍ରଭାବିତ ହେବାର ଆଶଙ୍କା ରହିଛି। ଆଜି ବାପୁଜୀ ନଗର ଠାରେ ହିଟାଚିର ସ୍ବତନ୍ତ୍ର ସୋ’ରୁମ୍ ‘ହିଟାଚି ହୋମ୍‌’କୁ ଉଦ୍‌ଘାଟନ କରିବା ଅବସରରେ କଂପାନିର ସିଏମ୍‌ଡି ଗୁର୍‌ମିତ ସିଂହ ଏହା କହିଛନ୍ତି। ଏସି ବଜାରର ଆହ୍ବାନଗୁଡ଼ିକ ବିଷୟରେ ଆଲୋଚନା କରି ସେ କହିଛନ୍ତି, ଏସି ଉତ୍ପାଦନରେ ବ୍ୟବହୃତ ହେଉଥିବା କିଛି ସାମଗ୍ରୀ ଉପରେ ଏଥର ବଜେଟ୍‌ରେ ଶୁଳ୍କ ବୃଦ୍ଧି କରାଯାଇଛି। ଏହାର ପ୍ରଭାବରେ ଭାରତରେ ଏସିଗୁଡ଼ିକର ଦାମ୍‌ରେ ୫% ବୃଦ୍ଧି ଘଟିବ।। ସବୁ ବିଷୟ ବିଚାରକୁ ନେଇ କଂପାନିଗୁଡ଼ିକ ମୂଲ୍ୟ ସ୍ଥିର କରିଥାନ୍ତି। ଉପକରଣ ଦରରେ ‌ଘଟୁଥିବା ବୃଦ୍ଧି ନିଶ୍ଚିତ ରୂପେ ଏସିର ଏମ୍‌ଆର୍‌ପିରେ ପ୍ରତିଫଳିତ ହେବ ବୋଲି ସେ କହିଛନ୍ତି। ସେ କହିଛନ୍ତି, ଓଡ଼ିଶାରେ ବର୍ଷକୁ ପ୍ରାୟ ଦେଢ଼ ଲକ୍ଷ ଏସି ବିକ୍ରି ହେଉଛି। କେବଳ ଓଡ଼ିଶା ନୁହେଁ ଆହୁରି ଅନେକ ରାଜ୍ୟର ଦ୍ବିତୀୟ ଓ ତୃତୀୟ ଶ୍ରେଣୀ ସହରଗୁଡ଼ିକରେ ଏସିର ବିକ୍ରି ବଢ଼ିବାରେ ଲାଗିଛି। ଏହାର ପ୍ରମୁଖ କାରଣ ହେଉଛି ଘରେ ଘରେ ବିଦ୍ୟୁତ ଶକ୍ତି ପହଞ୍ଚିପାରିଛି ଓ ଲୋକମାନଙ୍କ ଆର୍ଥିକ ସ୍ତର ସ୍ବଚ୍ଛଳ ହେବାରେ ଲାଗିଛି। ତେଣୁ ସେମାନେ ଏସି କିଣିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ଏହି ସବୁ ଅଞ୍ଚଳ ହିଟାଚି ଭଳି ସଂସ୍ଥାର ବିକ୍ରି ବଢ଼ାଇବା‌ରେ ବିଶେ‌ଷ ସହାୟକ ହେଉଛି ବୋଲି ସେ କହିଛନ୍ତି। ଓଡ଼ିଶାରେ ୧୦-୧୧% ବଜାର ଅଂଶ ରଖିଥିବା ହିଟାଚି ଆସନ୍ତା ବର୍ଷ ଏଠାରେ କାରବାରରେ ଉଲ୍ଲେଖନୀୟ ବୃଦ୍ଧି ଆଣିବାକୁ ଯୋଜନା ରଖିଛି। ଏହି ଅବସରରେ କଂପାନିର ଜାତୀୟ ବିକ୍ରି ମୁଖ୍ୟ ରା‌ଜେଶ୍ବର ଦୟାଲ୍, ଆଞ୍ଚଳିକ ମୁଖ୍ୟ-ପୂର୍ବାଞ୍ଚଳ ପୁଣ୍ୟବ୍ରତ ଭଟ୍ଟାଚାର୍ଯ୍ୟ ଓ ଭୁବନେଶ୍ବର ଫ୍ରାଞ୍ଚାଇଜି ସୁଜିତ ପଟ୍ଟନାୟକ ଉପସ୍ଥିତ ଥିଲେ। ହିଟାଚି ହୋମ୍‌ରୁ ଗ୍ରାହକମାନେ ଏସି, ରେଫ୍ରିଜରେଟର ଓ ୱାଟର ପ୍ୟୁରିଫାୟର କିଣିପାରିବେ।

ସମ୍ବନ୍ଧିତ ଖବର