ନୂଆଦିଲ୍ଲୀ: ଟ୍ରକ୍‌ରେ ଶୀତତାପ ନିୟନ୍ତ୍ରିତ ଡ୍ରାଇଭର କ୍ୟାବିନ୍ ସମ୍ପର୍କିତ ଚିଠା ବିଜ୍ଞପ୍ତିକୁ ଅନୁମୋଦନ ପ୍ରଦାନ କରାଯାଇଛି ବୋଲି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତୀନ ଗଡ଼କରୀ କହିଛନ୍ତି। ଏନ୍‌୨ ଓ ଏନ୍‌୩ ବର୍ଗର ଟ୍ରକ୍‌ କ୍ୟାବିନ୍‌ରେ ଏସି ଲଗାଇବାକୁ ଏଥିରେ ବାଧ୍ୟତାମୂଳକ କରାଯାଇଛି। ଶ୍ରୀ ଗଡ଼କରୀ କହିଛନ୍ତି ଯେ ସଡ଼କ ସୁରକ୍ଷାରେ ଟ୍ରକ୍‌ ଚାଳକମାନଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ସେମାନଙ୍କୁ ଏକ ଆରାମଦାୟକ କାର୍ଯ୍ୟ ସ୍ଥଳ ପ୍ରଦାନ କରିବା ଦିଗରେ ଏହି ନିଷ୍ପତ୍ତି ଏକ ଗୁରୁତ୍ବପୂର୍ଣ୍ଣ ମାଇଲଖୁଣ୍ଟ। ତାହା ଚାଳକମାନଙ୍କ ଦକ୍ଷତା ବଢ଼ାଇବ ଓ ସେମାନଙ୍କ କ୍ଳାନ୍ତ ସମସ୍ୟାକୁ ଦୂର କରିବ ବୋଲି ସେ କହିଛନ୍ତି। କିଛି ଦିନ ପୂର୍ବେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୀ ଗଡ଼କରୀ କହିଛନ୍ତି ଯେ ୨୦୨୫ ସୁଦ୍ଧା ଟ୍ରକ୍‌ର ଡ୍ରାଇଭର କ୍ୟାବିନ୍‌ରେ ଏସି ଲଗାଇବାକୁ ବାଧ୍ୟତାମୂଳକ କରାଯିବ। ବିଶ୍ବର ଅଧିକାଂଶ ଦେଶରେ ଟ୍ରକ୍‌ ଚାଳକଙ୍କ କ୍ୟାବିନ୍‌ରେ ଏସି ବ୍ୟବସ୍ଥା ରହିଛି। ସେମାନଙ୍କ ସହ ଭାରତ ସମକକ୍ଷ ହେବାକୁ ଚାହୁଛି। ତେବେ ଏହି ପ୍ରସ୍ତାବକୁ ଟ୍ରକ୍ ଅପରେଟର ଓ ଟ୍ରକ୍ ନିର୍ମାତାମାନେ ବିରୋଧ କରୁଛନ୍ତି।