ସୀମା ଶୁଳ୍କ ବୃଦ୍ଧି ଓ କରୋନା ପ୍ରଭାବ, ମାର୍ଚ୍ଚରୁ ଏସି ମହଙ୍ଗା!

ନୂଆଦିଲ୍ଲୀ: ଭାରତରେ ଗ୍ରୀଷ୍ମଋତୁ ଆରମ୍ଭ ହୋଇଯାଇଛି। ଆଗକୁ ଲୋକମାନେ ଅଧିକ ମାତ୍ରାରେ ଏସି କିଣିବେ। ‌କିନ୍ତୁ ଗ୍ରାହକଙ୍କ ପାଇଁ ଖରାପ୍ ଖବର ହେଲା ଆଗାମୀ ଦିନରେ ଦେଶରେ ଏସି ଦର ୫ ପ୍ରତିଶତ ପାଖାପାଖି ମହଙ୍ଗା ହୋଇଯିବ। କମ୍ପ୍ରେସର ଉପରେ ଆମଦାନି ଶୁଳ୍କ ବୃଦ୍ଧି ସହିତ ଚୀନରେ କରୋନା ଭାଇରସ ବ୍ୟାପିବା କାରଣରୁ ମାଲ ପରିବହନ ଜନିତ ଖର୍ଚ୍ଚ ବଢ଼ିଯିବ। ଏଥିଯୋଗୁ ଦେଶରେ ଏସି ଦର ମହଙ୍ଗା ହୋଇଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଅନେକ କମ୍ପାନିଙ୍କ କହିବାନୁଯାୟୀ ୨୦୨୦ ବର୍ଷ ଏସି ଶିଳ୍ପ ପାଇଁ ଆହ୍ବାନପୂର୍ଣ୍ଣ ରହିବ। କରୋନା ଭାଇରସ ବ୍ୟାପିବା କାରଣରୁ ଏସି ନିର୍ମାତାମାନେ କଣ୍ଟ୍ରୋଲର, କମ୍ପ୍ରେସର ସମେତ ଅନ୍ୟାନ୍ୟ ଉପକରଣ ବିମାନ ଯୋଗେ ଭାରତକୁ ଆଣିବେ। ଚୀନ୍ ସମେତ ଥାଇଲାଣ୍ଡ ଏବଂ ମାଲେସିଆରୁ ଏସବୁ ସାମଗ୍ରୀ ଆସୁଛି। ତେଣୁ ବିମାନରେ ଏହିସବୁ ସାମଗ୍ରୀ ଆସିଲେ ପରିବହନ ବାବଦ ଖର୍ଚ୍ଚ ବଢ଼ିଯିବ। ଫଳରେ ଏସି ଦାମ ମହଙ୍ଗା ହୋଇଯିବ। କେତେକ ଏସି ନିର୍ମାତାଙ୍କ କହିବାନୁଯାୟୀ, ଏକ ଗୁରୁତ୍ବପୂର୍ଣ୍ଣ ସମୟରେ ଏଭଳି ସଙ୍କଟ ଦେଖାଦେଇଛି। ଏପ୍ରିଲ-ଜୁନ୍ ସମୟ ଅର୍ଥାତ୍ ଖରାଦିନ ଆସିଯାଇଛି। ଭାରତରେ ଏସି କମ୍ପାନି ଗୁଡ଼ିକ ସମ୍ପୂର୍ଣ୍ଣ ବର୍ଷରେ ଯେତିକି ଏସି ବିକିଥାନ୍ତି ତାହାର ପ୍ରାୟ ୪୦ରୁ ୪୫ ପ୍ରତିଶତ ଖରାଦିନେ ବିକ୍ରି କରିଥାନ୍ତି। ଡାଇକିନ୍ ଇଣ୍ଡିଆ ଏମଡି ତଥା ସିଇଓ କେ ଜେ ଜାୱାଙ୍କ କହିବାନୁଯାୟୀ, ଅଧିକାଂଶ କମ୍ପାନି ବହୁଳମାତ୍ରାରେ ଚୀନ୍ ଉପରେ କ‌ମ୍ପ୍ରେସର ଓ ଅନ୍ୟାନ୍ୟ ଉପକରଣ ପାଇଁ ନିର୍ଭର କରିଥାନ୍ତି। ତେଣୁ ଖୁବଶୀଘ୍ର ଦର ୩ରୁ ୫ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିଯିବ। ଯଦି ପରିସ୍ଥିତିରେ ସୁଧାର ନଆସେ ତାହେଲେ ଦର ଆହୁରି ବଢ଼ଯିବ ବୋଲି ଶ୍ରୀ ଜାୱା କହିଛନ୍ତି। ଶ୍ରୀ ଜାୱା କହିଛନ୍ତି, ଡାଇକିନ୍ ମାର୍ଚ୍ଚରେ ମୂଲ୍ୟ ବୃଦ୍ଧି କରିସାରିଛି। ଯଦି ପରିସ୍ଥିତିରେ ଉନ୍ନତି ନଆସେ ତାହେଲେ ମୂଲ୍ୟର ପୁଣି ସମୀକ୍ଷା କରାଯିବା ଯୋଜନା ରହିଛି।

ଉଲ୍ଲେଖଯୋଗ୍ୟ, ବଜେଟ୍‌ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରେଫ୍ରିଜରେଟର ଏବଂ ଏସିର କମ୍ପ୍ରେସର ଉପରେ ମୌଳିକ ସୀମା ଶୁଳ୍କକୁ ୧୦ ପ୍ରତିଶତରୁ ୧୨.୫ ପ୍ରତିଶତକୁ ବୃଦ୍ଧି କରିଛନ୍ତି। ଭାରତରେ ରୁମ୍ ଏସିର ବଜାର ଆକାର ବାର୍ଷିକ ପ୍ରାୟ ୪.୫ ନିୟୁତ ୟୁନିଟ୍ ରହିଥିବା ଅନୁମାନ କରାଯାଉଛି। ଏହି ବଜାରରେ ପ୍ରାୟ ୨୦ଟି କମ୍ପାନି ସେମାନଙ୍କ ଉତ୍ପାଦ ବିକ୍ରି କରୁଛନ୍ତି। କେବଳ ଏସି ନୁହେଁ, ସ୍ମାର୍ଟଫୋନ ଠାରୁ ଆରମ୍ଭ କରି ଫ୍ରିଜ୍ ଏବଂ ଟିଭିର ଦାମ୍ ମଧ୍ୟ ବଢ଼ିଯିବା ଆଶଙ୍କା ରହିଛି। ମାର୍ଚ୍ଚରୁ ଟିଭି ଦର ୧୦ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିଯାଇପାରେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର