ଏସି ଦାମ୍ ୮% ପର୍ଯ୍ୟନ୍ତ ବଢ଼ିବ

ନୂଆଦିଲ୍ଲୀ: ଖରାଦିନ ଆସିଲାଣି। କରୋନା ପରେ ଘରେ ଅଧିକ ସମୟ ବିତାଉଛନ୍ତି। ଅଫିସ କାମ ଘରୁ କରୁଛନ୍ତି। ଏହାଫଳରେ ଦେଶରେ ଏୟାର କଣ୍ଡିସନର (ଏସି) ଚାହିଦା ବଢ଼ିଯାଇଛି। ବିଶେଷକରି ଘରେ ଲାଗୁଥିବା ଏସି ଗୁଡ଼ିକର ଚାହିଦା ଅଧିକ ରହିଛି। କେବଳ ସେତିକି ନୁହେଁ ଏସି ଏବଂ ରେଫ୍ରିଜରେଟର ଭଳି ସାମଗ୍ରୀର ଚାହିଦା ହଠାତ୍‌ ଆହୁରି ବଢ଼ିଯିବ। ଚାହିଦା ସହିତ ଏସିର ଦାମ୍ ମଧ୍ୟ ବଢ଼ିବାକୁ ଯାଉଛି। ଦେଶର ଅଗ୍ରଣୀ ଏସି ନିର୍ମାତା ଭୋଲଟାସ୍‌, ଡାଇକିନ୍‌, ଏଲ୍‌ଜି, ପାନାସୋନିକ୍‌, ହାୟର, ବ୍ଲୁ ଷ୍ଟାର୍ ଏବଂ ସାମସଙ୍ଗ ଆଦି କମ୍ପାନି ବିକ୍ରିରେ ଦୁଇ ଅଙ୍କର ବିକ୍ରି ଅଭିବୃଦ୍ଧି ଆଶା ରଖିଛନ୍ତି। ଚାହିଦା ବୃଦ୍ଧି ଏବଂ ଏସି ନିର୍ମାଣରେ ବ୍ୟବହୃତ ଉପକରଣର ଦାମ୍ ବଢ଼ିବା ଦ୍ବାରା ଏହା ମହଙ୍ଗା ହେବାକୁ ଯାଉଛି। ଡାଇକିନ୍‌ ଚଳିତମାସରେ ଏସି ମୂଲ୍ୟରେ ୩ରୁ ୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିବ।

ଏସି ନିର୍ମାଣରେ ବ୍ୟବହୃତ ଧାତୁ ଏବଂ କମ୍ପ୍ରେସର ମୂଲ୍ୟ ବୃଦ୍ଧି ଘଟିଛି। ଏଥିରୁ ଅଧିକାଂଶ ପ୍ରାୟ ବିଦେଶରୁ ଆମଦାନି କରାଯାଉଛି। ମୂଲ୍ୟବୃଦ୍ଧି ସତ୍ତ୍ବେ ଏସିର ଚାହିଦା ଅଧିକ ରହିବ ବୋଲି ଡାଇକିନ ଏୟାରକଣ୍ଡିସନିଂ ଇଣ୍ଡିଆର ଏମ୍‌ଡି ତଥା ସିଇଓ କନୱଲ ଜିତ୍ ଜାୱା କହିଛନ୍ତି। ପାନାସୋନିକ ଏହାର ଏସି ‌ଦାମରେ ୬ରୁ ୮ ପ୍ରତିଶତ ବୃଦ୍ଧି ଯୋଜନା ରଖିଛି। କେବଳ ଏସି ନୁହେଁ ଏହି କମ୍ପାନି ରେଫ୍ରିଜରେଟର ମୂଲ୍ୟ ମଧ୍ୟ ୩ରୁ ୪ ପ୍ରତିଶତ ପର୍ଯ୍ୟନ୍ତ ବଢ଼ାଇବ। ସାମଗ୍ରୀ ନିର୍ମାଣରେ ବ୍ୟବହୃତ ଉପକରଣର ମୂଲ୍ୟ ବୃଦ୍ଧି ଏବଂ ଉତ୍ପାଦନ ମୂଲ୍ୟବୃଦ୍ଧି ପାଇଁ ଏହା କରିବାକୁ ହେବ ବୋଲି ପାନାସୋନିକ୍‌ର ସିଇଓ, ଭାରତ ଓ ଦକ୍ଷିଣ ଏସିଆ, ମନିଷ ଶର୍ମା କହିଛନ୍ତି। ଗତ ୩ରୁ ୪ ମାସ ହେଲା କମ୍ପାନିର ଏସି ବିକ୍ରିରେ ୨୫ ପ୍ରତିଶତ ଅଭିବୃଦ୍ଧି ଦେଖାଦେଇଛି ଏବଂ ଆଗାମୀ ଦିନରେ ଏହା ଅବ୍ୟାହତ ରହିବା ଆଶା ରହିଥିବା ସେ କହିଛନ୍ତି। ଟାଟା ଗ୍ରୁପ୍ କମ୍ପାନି ଭୋଲଟାସ୍ ପୂର୍ବରୁ ଏସି ଦାମ୍ ବଢ଼ାଇ ସାରିଛି। ଗତ ଜାନୁଆରିରେ ବ୍ଲୁ ଷ୍ଟାର୍ ଏହାର ଉତ୍ପାଦ ମୂଲ୍ୟରେ ୫ରୁ ୮ ପ୍ରତିଶତ ବୃଦ୍ଧି କରିଥିବାବେଳେ ଏପ୍ରିଲରେ ଦର ପ୍ରାୟ ୩ ପ୍ରତିଶତ ବୃଦ୍ଧି ଯୋଜନା ରଖିଛି।

ସମ୍ବନ୍ଧିତ ଖବର