ଭୁବନେଶ୍ବର: ପ୍ରକଳ୍ପ ଲାଗି ବ୍ୟାଙ୍କ ଓ ଆର୍ଥିକ ଅନୁଷ୍ଠାନଗୁଡ଼ିକଠାରୁ ପାଣ୍ଠି ହାସଲ କରିବାରେ ଓଡ଼ିଶା ସାରା ଦେଶରେ ତୃତୀୟ ସ୍ଥାନରେ ରହିଛି। ଉତ୍ତରପ୍ରଦେଶ ଏକ ନମ୍ବର ହୋଇଥିବା ବେଳେ ତା’ପଛକୁ ରହିଛି ଗୁଜରାଟ। ଓଡ଼ିଶା ପଛକୁ ଚତୁର୍ଥ ସ୍ଥାନରେ ମହାରାଷ୍ଟ୍ର ଥିବା ବେଳେ କର୍ଣ୍ଣାଟକ ପଞ୍ଚମ ସ୍ଥାନରେ ରହିଛି ବୋଲି ରିଜର୍ଭ ବ୍ୟାଙ୍କ ଅଗଷ୍ଟ ବୁଲେଟିନ୍ରୁ ଜଣାପଡ଼ିଛି। ବୁଲେଟିନ୍ରେ ପ୍ରକାଶ ପାଇଥିବା ‘ଘରୋଇ କର୍ପୋରେଟ୍ ନିବେଶ: ପ୍ରଦର୍ଶନ ଓ ଭବିଷ୍ୟତ ଆକଳନ’ ଲେଖାରେ ଉଲ୍ଲେଖ ରହିଛି ଯେ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥାଗୁଡ଼ିକ ମଞ୍ଜୁର କରିଥିବା ପ୍ରକଳ୍ପ ମଧ୍ୟରେ ଉତ୍ତରପ୍ରଦେଶର ଭାଗ ସର୍ବାଧିକ ୧୬.୨ ପ୍ରତିଶତ ରହିଛି। ସେହିପରି ଗୁଜରାଟର ଭାଗ ୧୪ ପ୍ରତିଶତ ଥିବା ବେଳେ ଓଡ଼ିଶାରେ ୧୧.୮ ପ୍ରତିଶତ, ମହାରାଷ୍ଟ୍ରର ୭.୯ ପ୍ରତିଶତ ଓ କର୍ଣ୍ଣାଟକର ଭାଗ ୭.୩ ପ୍ରତିଶତ ରହିଛି। ଓଡ଼ିଶା କ୍ଷେତ୍ରରେ ୨୦୧୩-୧୪ରୁ ୨୦୨୦-୨୧ ମଧ୍ୟରେ ବ୍ୟାଙ୍କ ମଞ୍ଜୁର କରିଥିବା ପ୍ରକଳ୍ପରେ ଭାଗ ୪.୫ ପ୍ରତିଶତ ଥିଲା। ୨୦୨୧-୨୨ରେ ସେହି ହାର ୨.୨ ପ୍ରତିଶତକୁ ହ୍ରାସ ପାଇଥିଲା। ୨୦୨୨-୨୩ରେ ପୁଣି ତାହା ୧୧.୮ ପ୍ରତିଶତକୁ ବୃଦ୍ଧି ପାଇଛି।
ରିଜର୍ଭ ବ୍ୟାଙ୍କ ବୁଲେଟିନ୍ ଅନୁଯାୟୀ, ୨୦୨୨-୨୩ରେ ସାରା ଦେଶରେ ୫୪୭ଟି ପ୍ରକଳ୍ପକୁ ବ୍ୟାଙ୍କ ଓ ଆର୍ଥିକ ଅନୁଷ୍ଠାନଗୁଡ଼ିକ ୨,୬୬,୫୪୭ କୋଟି ଟଙ୍କା ଦେଇଥିଲେ। ୨୦୨୧-୨୨ରେ ବ୍ୟାଙ୍କଗୁଡ଼ିକ ୪୦୧ଟି ପ୍ରକଳ୍ପ ଲାଗି ୧,୪୧,୯୭୬ କୋଟି ଟଙ୍କା ଦେଇଥିଲେ। ବାହ୍ୟ କମର୍ସିଆଲ ଋଣ ଜରିଆରେ ୩୯୩ଟି ସଂସ୍ଥା ୮୨,୪୪୮ କୋଟି ଟଙ୍କା ସଂଗ୍ରହ କରିଥିବା ବେଳେ ଆଇପିଓ ଜରିଆରେ ୪୨ଟି କଂପାନି ଷ୍ଟକ ବଜାରରୁ ୩,୬୨୯ କୋଟି ଟଙ୍କା ହାସଲ କରିଥିଲେ। ମୋଟ ଉପରେ ୨୦୨୨-୨୩ରେ ୯୮୨ଟି ପ୍ରକଳ୍ପ ଲାଗି ୩,୫୨,୬୨୪ କୋଟି ପାଣ୍ଠି ସଂଗ୍ରହ କରାଯାଇଥିଲା ଯାହା ୨୦୨୧-୨୨ରେ ୭୯୧ଟି ପ୍ରକଳ୍ପ ଲାଗି ହାସଲ କରାଯାଇଥିବା ୧,୯୬,୪୪୫ କୋଟି ଟଙ୍କା ତୁଳନାରେ ଯଥେଷ୍ଟ ଅଧିକ। ବ୍ୟାଙ୍କ ଓ ଆର୍ଥିକ ଅନୁଷ୍ଠାନଗୁଡ଼ିକ ସଡ଼କ ଓ ପୋଲ ନିର୍ମାଣ ପାଇଁ ସର୍ବାଧିକ ପାଣ୍ଠି ଦେଇଥିବା ବେଳେ ବିଦ୍ୟୁତ ଶକ୍ତି, ଧାତବ ଓ ଖଣିଜ, ନିର୍ମାଣ, ବୟନ, ଖାଦ୍ୟ ଉତ୍ପାଦ, ରସାୟନ ଓ କିଟନାଶକ ପ୍ରକଳ୍ପକୁ ପାଣ୍ଠି ପ୍ରଦାନ କରିଛନ୍ତି।