ଭୁବନେଶ୍ବର: ରାଜ୍ୟ ସରକାର ହେଉଛି ଲୋକଙ୍କ ସରକାର। ତେଣୁ ସାଧାରଣ ଲୋକଙ୍କ ପାଖରେ ଡିଜିଟାଲ୍ ମାଧ୍ୟମରେ ଯେଭଳି ସବୁ ସୁବିଧା ପହଞ୍ଚିପାରିବ ସେଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଛନ୍ତି। ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟର (ଓକାକ୍)ରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ସେ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଡିଜିଟାଲ୍ ଇଣ୍ଡିଆକୁ ପ୍ରାଧାନ୍ୟ ଦେଇ ବିଭାଗ ପକ୍ଷରୁ ସମସ୍ତ ଯୋଜନାକୁ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରିବାକୁ ପଦକ୍ଷେପ ନିଆଯିବ। ରାଜ୍ୟରେ କିଭଳି ନୂଆ ଆଇଟି ପ୍ରତିଷ୍ଠାନ ଗଢ଼ି ଉଠିବ ଏବଂ ନିବେଶକମାନେ ରାଜ୍ୟରେ ନିବେଶ କରିବାକୁ ଆଗ୍ରହ ଦେଖାଇବେ, ସେହି ସୁବିଧା ପ୍ରଦାନ କରିବାକୁ ପ୍ରାଥମିକତା ଦିଆଯିବ। ଓଡ଼ିଆ ଭର୍ଚୁଆଲ୍ ଏକାଡେମି ଅଧିକ ଲୋକାଭିମୂଖୀ ହେବ। ରାଜ୍ୟର ଗ୍ରାମାଞ୍ଚଳରେ ମୋବାଇଲ୍ ନେଟ୍ୱର୍କ ଓ ଇଣ୍ଟରନେଟ୍ ସୁବିଧାକୁ ଆହୁରି ସୁଦୃଢ଼ କରିବାକୁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।
ଏହି ଅବସରରେ ପ୍ରମୁଖ ସଚିବ ବିଶାଲ କୁମାର ଦେବ ବିଭାଗ ଅଧୀନରେ ପରିଚାଳିତ ଓକାକ୍, ଆଇଆଇଆଇଟି ଭୁବନେଶ୍ବର ଓ ଓକେସିଏଲ୍ର ଭୂମିକା ବିଷୟରେ ମନ୍ତ୍ରୀ ଡ. ମହାଲିଙ୍ଗଙ୍କୁ ଅବଗତ କରିଥିଲେ। ଓଡ଼ିଶା ଡାଟା ସେଣ୍ଟର, ଓଡ଼ିଶା ଷ୍ଟେଟ୍ ୱାଇଡ୍ ଏରିଆ ନେଟ୍ୱର୍କ, ସାଇବର ସିକ୍ୟୁରିଟି ଅପରେସନ ସେଣ୍ଟର, ଓଡ଼ିଶା ସଚିବାଳୟ ଆଇଟି ସେଣ୍ଟର, ଭାରତ ନେଟ୍, ଓଡ଼ିଶା ଷ୍ଟେଟ୍ ୱାର୍କଫ୍ଲୋ ଅଟୋମେସନ ସିଷ୍ଟମ, ଓଡ଼ିଶା ୱାନ୍ ପୋର୍ଟାଲ୍, ଇ-ଡେସ୍ପ୍ୟାଚ୍, ସିଏମ୍ ଡ୍ୟାସ୍ବୋର୍ଡ, ସାମ୍ସ, ଇ-ଜିଲ୍ଲା ଆଦି ବିଷୟରେ ମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା। ଏହି ଅବସରରେ ଓକାକ୍ ସିଇଓ ମନୋଜ ପଟ୍ଟନାୟକ, ସ୍ବତନ୍ତ୍ର ସଚିବ ମାନସ ପଣ୍ଡା, ଓକାକ୍ ମହାପ୍ରବନ୍ଧକ ମଧୁମିତା ରଥ, ଅତିରିକ୍ତ ସଚିବ ଆଦିତ୍ୟ ମହାପାତ୍ର, ଯୁଗ୍ମ ସଚିବ ଜୟନ୍ତୀ ଦେଈ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/ggdgjjdgj.jpg)