ନୂଆଦିଲ୍ଲୀ: ନିତି ଆୟୋଗ ଓ ୟୁଏନ ଇଣ୍ଡିଆର ମିଳିତ ଉଦ୍ୟମରେ ପ୍ରସ୍ତୁତ କରାଯାଇଥିବା ‘ଇଣ୍ଡିଆନ ମଡେଲ୍ ଅଫ୍ ସଷ୍ଟେନେବଲ ଡେଭଲପ୍ମେଣ୍ଟ୍ ଗୋଲ୍ ଲୋକାଲାଇଜେସନ’ ରିପୋର୍ଟରେ ନିରନ୍ତର ବିକାଶ ଲକ୍ଷ୍ୟ (ଏସଡିଜି) ହାସଲ ପାଇଁ ଓଡିଶା ଦ୍ବାରା ନିଆଯାଉଥିବା ଏକାଧିକ ପଦକ୍ଷେପ ବିଷୟରେ ଆଲୋଚନା କରାଯାଇଛି। ସଂସ୍ଥାଗତ ସ୍ଥାୟିତ୍ବ ସ୍ଥାପନ ମାନଦଣ୍ଡରେ ଓଡିଶାର ଯୋଜନା ବିଭାଗରେ ଏସ୍ଡିଜି ପ୍ରକଳ୍ପ ପରିଚାଳନା ୟୁନିଟ ସ୍ଥାପନା କରାଯାଇଥିବାର ରିପୋର୍ଟରେ ଦର୍ଶାଯାଇଛି। ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ କମିଟି ଦ୍ବାରା ଏସ୍ଡିଜିର ନିୟମିତ ତଦାରଖ କରାଯାଉଛି। ତ୍ରୁଣମୂଳ ସ୍ତରରେ ଏସ୍ଡିଜିର କ୍ରିୟାନ୍ବୟନ ପାଇଁ ରାଜ୍ୟର ଜିଲ୍ଲା, ପୌର ସଂସ୍ଥା ଓ ପଞ୍ଚାୟତଗୁଡିକରେ ଏସ୍ଡିଜି ପ୍ରକୋଷ୍ଠ ସ୍ଥାପନ କରାଯାଇଛି ବୋଲି ରିପୋର୍ଟରେ କୁହାଯାଇଛି।
ମଜଭୂତ ସମୀକ୍ଷା ଏବଂ ତଦାରଖ ବ୍ୟବସ୍ଥା ମାନଦଣ୍ଡରେ ଓଡିଶା ଦ୍ବାରା ରାଜ୍ୟ ଓ ଜିଲ୍ଲା ସୂଚକାଙ୍କ ଫ୍ରେମ୍ୱାର୍କ ପ୍ରସ୍ତୁତ କରାଯାଇଥିବାର ରିପୋର୍ଟରେ ଉଲ୍ଲେଖ ରହିଛି। ଏଥି ସହିତ ରାଜ୍ୟ ସରକାର ଏସ୍ଡିଜି ସେକ୍ରେଟାରିଏଟ୍ ସ୍ଥାପନ କରିବାର ନିଷ୍ପତ୍ତି ନେଇଥିବାର ରିପୋର୍ଟର ଉଲ୍ଲେଖ ଅଛି। ଏସ୍ଡିଜି ପ୍ରକୋଷ୍ଠ ଏବଂ ଷ୍ଟେଟ୍ ନଲେଜ୍ ପାର୍ଟନର ଏସଡିଜିଗୁଡିକର ତଦାରଖ ପାଇଁ ସହାୟତା କରିବେ ବୋଲି ରିପୋର୍ଟରେ କୁହାଯାଇଛି। ଏସଡିଜିଗୁଡିକର ଏକୀକୃତ କରିବାର କ୍ଷମତାକୁ ବିକଶିତ କରିବା ଦିଗରେ ଓଡିଶା ସଂଦର୍ଭରେ ରିପୋର୍ଟରେ କୁହାଯାଇଛି ଯେ ଜିଲ୍ଲା ଓ ରାଜ୍ୟସ୍ତରର ଅଧିକାରୀମାନଙ୍କ ପାଇଁ ସଚେତନତା ଏବଂ ଦକ୍ଷତା ଗଠନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ସମସ୍ତ ପ୍ରଶାସନିକ ସଚିବମାନଙ୍କୁ ଏଥିପାଇଁ ସଚେତନ କରାଯାଉଛି। ଜିଲ୍ଲା ଯୋଜନା ଏବଂ ମନିଟରିଂ ୟୁନିଟର ସମସ୍ତ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦିଆଯାଉଛି। ଏହା ବ୍ୟତୀତ ଲାଇନ ଡିପାର୍ଟମେଣ୍ଟର ସମସ୍ତ ନୋଡାଲ ଅଫିସରମାନଙ୍କୁ ମଧ୍ୟ ପ୍ରଶିକ୍ଷିତ କରାଯାଇଛି। ପ୍ରଶିକ୍ଷଣ କରାଯିବା ସହିତ ଜିଲ୍ଲାସ୍ତରୀୟ ଏବଂ ଲାଇନ ଡିପାର୍ଟମେଣ୍ଟର ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ସାମଗ୍ରୀ ମଧ୍ୟ ବଣ୍ଟନ କରାଯାଇଛି। ପ୍ରମୁଖ ବିଭାଗମାନଙ୍କ ସହିତ ଏକାଧିକ କନ୍ସଲ୍ଟେଟିଭ୍ ବୈଠକଗୁଡିକର ଆୟୋଜନ କରାଯାଇଛି।
ରାଜ୍ୟ ସରକାରଙ୍କ ଦ୍ବାରା ପରିସଂଖ୍ୟାନ ଅଧିକାରୀମାନଙ୍କ ପାଇଁ ଏସ୍ଡିଜି ସୁଚକାଙ୍କ ସଂପର୍କରେ ପ୍ରଶିକ୍ଷଣ ଦେବା ପାଇଁ ଯୋଜନା କରାଯାଉଥିବାର ରିପୋର୍ଟରେ ଉଲ୍ଲେଖ ଅଛି। ରାଜ୍ୟ ସରକାରଙ୍କ ଯୋଜନା ଓ ସଂଯୋଜନ ବିଭାଗ ଦ୍ବାରା ବିକଶିତ କରାଯାଇଥିବା ଓଡିଶା ଏସଡିଜି ଇଣ୍ଡିକେଟର ଫ୍ରେମୱାର୍କ ସଂପର୍କରେ ରିପୋର୍ଟରେ ଉଲ୍ଲେଖ କରାଯାଉଛି। ଏସଡିଜିଗୁଡିକର ଅନୁଧ୍ୟାନ ପାଇଁ ଡ୍ୟାସ୍ବୋର୍ଡ ଆଧାରିତ ବ୍ୟବସ୍ଥା ବିକଶିତ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଏସ୍ଡିଜି ଆଧାରିତ ବଜେଟ ଉପରେ ରାଜ୍ୟ ସରକାରଙ୍କ ପ୍ରୟାସ ସଂପର୍କରେ ରିପୋର୍ଟରେ କୁହାଯାଇଛି। ରାଜ୍ୟ ସରକାରଙ୍କ ଦ୍ବାରା ଆକ୍ସନ ପ୍ଲାନରେ ଉପେକ୍ଷୀତ ଗୋଷ୍ଠୀଙ୍କୁ ସାମିଲ କରିବାକୁ ସୁନିଶ୍ଚିତ ପଦକ୍ଷେପ ନିଆଯାଇଥିବାର ବିସ୍ତୁତ ଭାବେ ଉଲ୍ଲେଖ କରାଯାଇଛି। ରାଜ୍ୟ ସରକାରଙ୍କର ଦ୍ବାରା କିନ୍ନରମାନଙ୍କ ସମାନତା ଓ ନ୍ୟାୟ ପାଇଁ ସ୍ବୀକୃତି ଯୋଜନା, ଦିବ୍ୟାଙ୍ଗଙ୍କ ପାଇଁ ସଂରକ୍ଷଣ, ମିସନ ଜୀବିକା ଅନ୍ବେଷା,ପରିମଳ କର୍ମଚାରୀଙ୍କ ପାଇଁ ଗରିମା ଯୋଜନା, ସହରୀ ବସ୍ତି ବାସିନ୍ଦାଙ୍କ ପାଇଁ ଜାଗା ମିଶନ ଭଳି ରାଜ୍ୟ ସରକାରଙ୍କ ଏକାଧିକ ଯୋଜନା ସଂପର୍କରେ ରିପୋର୍ଟରେ ଉଲ୍ଲେଖ ଅଛି।