ବିଶ୍ବବ୍ୟାଙ୍କ ରିପୋର୍ଟ, ଅଭିବୃଦ୍ଧି ବହୁତ ତଳକୁ ଖସିବ

ନୂଆଦିଲ୍ଲୀ: କରୋନା ମହାମାରୀ ଲାଗି ଭାରତର ଅଭିବୃଦ୍ଧି ଗୁରୁତର ଭାବେ ପ୍ରଭାବିତ ହେବ ବୋଲି ମଧ୍ୟ ବିଶ୍ବବ୍ୟାଙ୍କ ଆକଳନ କରିଛି। ଭାରତର ଅଭିବୃଦ୍ଧି ୩.୨ ପ୍ରତିଶତ ହ୍ରାସ ପାଇବ ବୋଲି ପୂର୍ବରୁ ଏହା ଆକଳନ କରିିଥିଲା। ମାତ୍ର ସ୍ଥିତି ଯେଉଁଭଳି ଭାବେ ଆଗକୁ ବଢ଼ୁଛି ତାହାକୁ ବିଚାରକୁ ନେବା ପରେ ଭାରତର ଅର୍ଥନୀତି ଆଶା ଠାରୁ ଆହୁରି ଅଧିକ ତଳକୁ ଖସିବ ବୋଲି ବିଶ୍ବବ୍ୟାଙ୍କ କହିଛି। ଭାରତର ବିତ୍ତୀୟ ନିଅଣ୍ଟ ଏହି ସମୟରେ ୬.୬ ପ୍ରତିଶତକୁ ବୃଦ୍ଧି ପାଇବ। ବର୍ଷତମାମ ତାହା ୫.୫ ପ୍ରତିଶତରୁ ଉଚ୍ଚ ସ୍ତରରେ ରହିଛି। ବିତ୍ତୀୟ ନିଅଣ୍ଟ (ଆୟ ଓବ୍ୟୟ ଭିତରେ ଅନ୍ତର) ୩.୫ ପ୍ରତିଶତ ଭିତରେ ସୀମିତ ରଖିବାକୁ ସରକାର ବଜେଟ୍‌ରେ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ସେହି ଲକ୍ଷ୍ୟ ହାସଲ କରିବା ସମ୍ଭବ ହେବ ନାହିଁ।

ଦୈନିକ ୧.୯୦ ଡଲାର ବ୍ୟୟ ହିିସାବ ଅନୁସାରେ ଦେଶର ଦାରିଦ୍ର୍ୟ ହାର ୨୦୧୫ ସୁଦ୍ଧା ୧୩.୪ ପ୍ରତିଶତକୁ ହ୍ରାସ ପାଇଥିଲା। ମାତ୍ର କରୋନା ମହାମାରୀ ବ୍ୟାପିବା ପରେ ଦେଶର ଅଧା ଲୋକଙ୍କ ସ୍ଥିତି ଖରାପରୁ ଅତି ଖରାପ ଆଡ଼କୁ ଗତି କରୁଛି। ସେମାନେ ଦାରିଦ୍ର୍ୟ ସୀମାରେଖା ପାଖାପାଖି ପହଞ୍ଚିଗଲେଣି ବୋଲି ବିଶ୍ବବ୍ୟାଙ୍କ ଏହାର ଏକ ରିପୋର୍ଟରେ ଜଣାଇଛି। ଆୟ ଓ ନିଯୁକ୍ତି ଉଭୟ ହରାଉଥିବାରୁ ଅଧିକରୁ ଅଧିକ ଭାରତୀୟ ପରିବାର ପୁଣି ଥରେ ଦାରିଦ୍ର୍ୟ ମୁହଁକୁ ଠେଲି ହୋଇଯିବାର ଆଶଙ୍କା ଦେଖାଦେଇଛି। ଗରିବ ଲୋକମାନଙ୍କ ସ୍ଥିତି ଆହୁରି ଖରାପ ହେବ। ସାମାଜିକ ଦୂରତ୍ବ ବଜାୟ ରଖିବା ସେମାନଙ୍କ ପାଇଁ ସମ୍ଭବପର ହେଉ ନାହିଁ। ତେଣୁ ସେହି ବର୍ଗର ଲୋକମାନେ କରୋନାରେ ଅଧିକ ସଂକ୍ରମିତ ହେବାର ଆଶଙ୍କା ରହିଛି। ଗୋଟିଏ ପଟେ ଗରିବ ଲୋକମାନେ ନିଜର ଜୀବିକା ହରାଇଥିବା ବେଳେ ଅନ୍ୟପଟେ ବିଭିନ୍ନ ସାମଗ୍ରୀର ଦରଦାମ୍ ବଢ଼ୁଥିବାରୁ ସେମାନଙ୍କ କ୍ରୟ ଶକ୍ତି ମଧ୍ୟ କମିବାରେ ଲାଗିଛି। ସହରାଞ୍ଚଳରେ ବାସ କରୁଥିବା ଗରିବ ଲୋକ ଓ ପ୍ରବାସୀ ଶ୍ରମିକମାନେ ସରକାରୀ ଲାଭ ପାଇବାରୁ ବଞ୍ଚିତ ହେବେ। କାରଣ ଦେଶରେ ପ୍ରଚଳନରେ ଥିବା ଛଅ ପ୍ରକାରର ସାମାଜିକ ସୁରକ୍ଷା ସ୍କିମ୍‌ ମଧ୍ୟରୁ କୌଣସି ଗୋଟିଏ ବି ପୋର୍ଟେବଲ୍ ନୁହେଁ। ଅର୍ଥାତ ଯେଉଁ ସ୍ଥାନରେ ଲୋକମାନେ ସ୍ଥାୟୀ ଭାବେ ବସବାସ କରୁଥିବେ କେବଳ ସେମାନେ ସ୍କିମ୍‌ର ଲାଭ ପାଉଛନ୍ତି। ପ୍ରବାସୀ ଶ୍ରମିକମାନେ କିନ୍ତୁ କାମଧନ୍ଦା ଖୋଜିବା ପାଇଁ ବର୍ଷତମାମ ଗୋଟିଏ ସହରରୁ ଅନ୍ୟ ସହରକୁ ଯାତ୍ରା କରୁଛନ୍ତି। ତେଣୁ ସରକାରୀ ସାମାଜିକ ସୁରକ୍ଷା ସ୍କିମ୍ ସେମାନଙ୍କ ପାଖରେ ପହଞ୍ଚି ପାରୁନାହିଁ ବୋଲି ବିଶ୍ବବ୍ୟାଙ୍କ କହିଛି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା, ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନା, ମନରେଗା, ପିଏମ୍ କିସାନ, ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଏବଂ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ର ଅଧିକାଂଶ ହିତାଧିକାରୀ ଗ୍ରାମାଞ୍ଚଳର ବୋଲି ବିଶ୍ବବ୍ୟାଙ୍କ ମନେ ପକାଇ ଦେଇଛି।

ଚୀନ୍‌ ଛାଡ଼ୁଥିବା କଂପାନିଗୁଡ଼ିକୁ ଟିକସ ଲୋଭ ଦେଖାଇ ଡାକିବା ମହଙ୍ଗା ପଡ଼ିପାରେ ବୋଲି ବିଶ୍ବବ୍ୟାଙ୍କ ସତର୍କ କରାଇଦେଇଛି। ଭାରତ ଏହାର ସଂସ୍କାରମୂଳକ ପଦକ୍ଷେପଗୁଡ଼ିକୁ ଯେଉଁଭଳି ଭାବେ କାର୍ଯ୍ୟକାରୀ କରିବ ସେହି ଅନୁସାରେ ସୁଯୋଗ ହାତେଇ ପାରିବ। ଟିକସକୁ ଅସ୍ତ୍ର କରିବା ପରାମର୍ଶଯୋଗ୍ୟ ନୁହେଁ। ସ୍ବତନ୍ତ୍ର ନୀତି ଜରିଆରେ ସୁଯୋଗ ହାସଲ ପାଇଁ ଉଦ୍ୟମ କରିବାକୁ ବିଶ୍ବବ୍ୟାଙ୍କ ପରାମର୍ଶ ଦେଇଛି। ଋଣ ସମ୍ପର୍କରେ ଏହା ଜଣାଇଛି ଯେ, ଅଣ ବ୍ୟାଙ୍କିଙ୍ଗ୍‌ ଆର୍ଥିକ ସଂସ୍ଥା (ଏନ୍‌ବିଏଫ୍‌ସି)ଗୁଡ଼ିକ ଦେଇଥିବା ବ୍ୟକ୍ତିଗତ, ଗାଡ଼ି, ଘର ଓ ରିଅଲ ଇଷ୍ଟେଟ୍‌ ଋଣ ପ୍ରତି ସର୍ବାଧିକ ବିପଦ ରହିଛି। ଏହି ଋଣ ଫେରିବା ନେଇ ଆଶଙ୍କା ରହିଛି। ଅନାଦେୟ ଋଣ ମାତ୍ରା ବଢ଼ିବାକୁ ଯାଉଥିବାରୁ ସେହି ସଙ୍କଟର ମୁକାବିଲା ଲାଗି ବ୍ୟାଙ୍କଗୁଡ଼ିକୁ ଏବେଠାରୁ କିଛି ରାଶି ଅଲଗା ରଖିବାକୁ ପଡ଼ିବ। ଅର୍ଥାତ ପ୍ରୋଭିଜନିଂ ବାବଦରେ ଅଧିକ ପାଣ୍ଠି ରଖିବାକୁ‌ ହେବ। ଏହା ବ୍ୟତୀତ ବ୍ୟାଙ୍କଗୁଡ଼ିକୁ ଅଧିକ ପୁଞ୍ଜି ହାସଲ କରିବା ଲାଗି ଉଦ୍ୟମ କରିବାକୁ ପଡ଼ିବ ବୋଲି ଏହା ଜଣାଇଛି।

ସମ୍ବନ୍ଧିତ ଖବର