ଘରେ ବସି ଷ୍ଟେଟ୍ ବ୍ୟାଙ୍କରେ ଆକାଉଣ୍ଟ ଖୋଲିହେବ

ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଗ୍ରାହକଙ୍କୁ ଘରେ ବସି ଆକାଉଣ୍ଟ ଖୋଲିବା ସୁଯୋଗ ପୁଣି ଥରେ ପ୍ରଦାନ କରିଛି। କରୋନା ମହାମାରୀ ସମୟରେ ସାମାଜିକ ଦୂରତା ରକ୍ଷାକୁ ଗୁରୁତ୍ବ ଦିଆଯାଉଥିବାବେଳେ ଲୋକମାନେ ବ୍ୟାଙ୍କ ଶାଖାକୁ ନଯାଇ ମଧ୍ୟ ଘରେ ରହି ଅନଲାଇନ୍‌ରେ ଆକାଉଣ୍ଟ ସହଜରେ ଖୋଲିପାରିବେ। ଏହି ସେବାର ନାମ ‘ଏସ୍‌ବିଆଇ ଇନ୍‌ଷ୍ଟା ସେଭିଙ୍ଗ ବ୍ୟାଙ୍କ ଆକାଉଣ୍ଟ’ ରଖାଯାଇଛି। ବ୍ୟାଙ୍କର ୟୋନୋ ଆପ୍ ମାଧ୍ୟମରେ ଉକ୍ତ ଆକାଉଣ୍ଟ ଖୋଲାଯାଇ ପାରିବ। କେବଳ ପାନ୍ ଓ ଆଧାର ନମ୍ବର ଥିଲେ ଆକାଉଣ୍ଟ ଖୋଲାଯାଇ ପାରିବ। ଏହି ଆକାଉଣ୍ଟଧାରୀଙ୍କୁ ମଧ୍ୟ ଅନ୍ୟମାନଙ୍କ ଭଳି ଏଟିଏମ୍‌ ତଥା ଡେବିଟ୍ କାର୍ଡ ପ୍ରଦାନ କରାଯିବ। ଆକାଉଣ୍ଟ ‌ଖୋଲିବା ପାଇଁ ଜଣେ ବ୍ୟକ୍ତିଙ୍କୁ ୟୋନୋ ଆପ୍‌କୁ ପ୍ରଥମେ ଡାଉନଲୋଡ୍‌ କରିବାକୁ ହେବ। ସେଥିରେ ପାନ୍ ଓ ଆଧାର ନମ୍ବର ସଂପର୍କିତ ତଥ୍ୟ ଦାଖଲ କରିବାକୁ ହେବ। ଏହାପରେ ଓଟିପି (ୱାନ୍ ଟାଇମ୍ ପାସୱାର୍ଡ) ଓ ଅନ୍ୟ ଆନୁଷଙ୍ଗିକ ତଥ୍ୟ ପ୍ରଦାନ କରିଲେ ଆକାଉଣ୍ଟ ଖୋଲିଯିବ। ଏଥିରେ ଆକାଉଣ୍ଟଧାରୀ ତାଙ୍କର ନୋମିନି କାହାକୁ ରଖିବେ ତାହା ମଧ୍ୟ ଦେଇପାରିବେ। ଥରେ ଏହି ତଥ୍ୟ ଦାଖଲ ପ୍ରକ୍ରିୟା ଶେଷ ହୋଇଗଲେ ତୁରନ୍ତ ବ୍ୟାଙ୍କ ଆକାଉଣ୍ଟ ସକ୍ରିୟ ହୋଇଯିବ। ଏହାପରେ ଜଣେ ବ୍ୟକ୍ତି ବ୍ୟାଙ୍କିଂ କାରବାର କରିପାରିବ। ସଂପୃକ୍ତ ବ୍ୟକ୍ତିମାନେ ସେମାନଙ୍କ ସମ୍ପୂର୍ଣ୍ଣ କେୱାଇସି ବର୍ଷକ ମଧ୍ୟରେ ବ୍ୟାଙ୍କ ଶାଖାରେ ଦାଖଲ କରିପାରିବେ। ଜଣେ ବ୍ୟକ୍ତି ବ୍ୟାଙ୍କ ଶାଖାକୁ ନଆସି ବିନା କାଗଜପତ୍ରରେ ଏହାଦ୍ବାରା ଆକାଉଣ୍ଟ ଖୋଲିବାର ସୁଯୋଗ ପାଇବେ ବୋଲି ଭାରତୀୟ ଷ୍ଟେଟ ବ୍ୟାଙ୍କର ଅଧ୍ୟକ୍ଷ ରଜନୀଶ କୁମାର କହିଛନ୍ତି।

ସମ୍ବନ୍ଧିତ ଖବର