ଧାର୍ଯ୍ୟ ସମୟ ପୁର୍ବରୁ ୫ ଟ୍ରିଲିଅନ୍ ଲକ୍ଷ୍ୟ ହାସଲ କଷ୍ଟକର

ନୂଆଦିଲ୍ଲୀ: ଭାରତୀୟ ଅର୍ଥନୀତି ୨୦୨୬-୨୭ ଆର୍ଥିକ ବର୍ଷ ସୁଦ୍ଧା ୫ ଟ୍ରିଲିଅନ୍ (ଲକ୍ଷ କୋଟି) ଅର୍ଥନୀତିରେ ପରିଣତ ହେବ ବୋଲି ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍‌) ଲକ୍ଷ୍ୟ ଧାର୍ଯ୍ୟ କରିଛି। ନିର୍ଧାରିତ ସମୟ ବର୍ଷକ ପୂର୍ବରୁ ସେହି ଲକ୍ଷ୍ୟ ହାସଲ କରିବା ଅତ୍ୟନ୍ତ କଷ୍ଟକର ହେବ ବୋଲି କୁହାଯାଉଛି। ୨୦୨୨-୨୩ ଆର୍ଥିକ ବର୍ଷରେ ଭାରତୀୟ ଜିଡିପି ୩.୫୮ ଟ୍ରିଲିଅନ୍ ଡଲାରରେ ପହଞ୍ଚିବ। ୨୦୨୫-୨୬ ସୁଦ୍ଧା ଆଇଏମ୍ଏଫ୍‌ ଧାର୍ଯ୍ୟ କରିଥିବା ଲକ୍ଷ୍ୟ ହାସଲ କରିବାକୁ ହେଲେ ଭାରତକୁ ବାର୍ଷିକ ୧୧.୩୩ ପ୍ରତିଶତର ଅଭିବୃଦ୍ଧି ହାସଲ କରିବାକୁ ପଡ଼ିବ। ବର୍ଷକ ପୂର୍ବରୁ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ହେଲେ ବାର୍ଷିକ ୧୭.୪୬ ପ୍ରତିଶତ ଅଭିବୃଦ୍ଧି ହାସଲ କରିବାକୁ ପଡ଼ିବ। ଏବେ ଅଭିବୃଦ୍ଧି ହାର ୪ ପ୍ରତିଶତ ଭଳି ନିମ୍ନ ସ୍ତରରେ ଥିବାରୁ ନିର୍ଧାରିତ ଲକ୍ଷ୍ୟ ହାସଲ କରିବା ସମ୍ଭବପର ମନେ ହେଉନାହିଁ।

କୋଭିଡ୍‌ ମହାମାରୀ ସମୟରେ ଅର୍ଥନୀତିରେ ବଡ଼ ଧରଣର ଅବନତି ଘଟିବା କାରଣରୁ ୨୦୨୧-୨୨ରେ ଅଭିବୃଦ୍ଧି ହାର ୧୮.୪ ପ୍ରତିଶତ ରହିଥିଲା। ଯଦି ସେହିବର୍ଷକୁ ବାଦ ଦିଆଯିବ ତେବେ ଶେଷ ଥର ଲାଗି ୨୦୧୨-୧୩ରେ ଦେଶର ଅଭିବୃଦ୍ଧି ୧୩.୮ ପ୍ରତିଶତ ଭଳି ଉଚ୍ଚ ସ୍ତରରେ ଥିଲା। ବ୍ୟାଙ୍କ ଅଫ୍‌ ବରୋଦାର ମୁଖ୍ୟ ଅର୍ଥନୀତିଜ୍ଞ ମଦନ ସବନାଭିସ୍‌, ଇକ୍ରାର ମୁଖ୍ୟ ଅର୍ଥନୀତିଜ୍ଞ ଆଦିତି ନାୟାରଙ୍କ ମତରେ ନିର୍ଧାରିତ ସମୟ ମଧ୍ୟରେ ୫ ଟ୍ରିଲିଅନ ଲକ୍ଷ୍ୟ ହାସଲ କଷ୍ଟକର ହେବ।

ସମ୍ବନ୍ଧିତ ଖବର