ନୂଆଦିଲ୍ଲୀ: ଚୀନ୍ ଉପରେ ଅର୍ଥନୈତିକ ଚାପ ସୃଷ୍ଟି କରିବା ଉଦ୍ୟମ ଜାରି ରଖିବା କେନ୍ଦ୍ର ସରକାର ଏକ ସ୍ମାର୍ଟ ମିଟର ଟେଣ୍ଡରକୁ ରଦ୍ଦ କରିଛନ୍ତି। ପ୍ରାୟ ୨୦ ଲକ୍ଷ ସ୍ମାର୍ଟ ମିଟର ପାଇଁ ଟେଣ୍ଡର ଆହ୍ବାନ କରାଯାଇଥିଲା। ଚୀନ୍ର ମାଲିକାନାରେ ଥିବା ପିଟି ହେକ୍ସିଂ ନାମକ ସଂସ୍ଥା ସେହି ଟେଣ୍ଡର ପାଇଥିଲା। ଯଦିଓ ଏହି କଂପାନି ଇଣ୍ଡୋନେସିଆରେ ରହିଛି, କିନ୍ତୁ ତାହାର ମାଲିକାନାସତ୍ତ୍ବ ଚୀନ୍ର ହେକ୍ସିଂ ଇଲେକ୍ଟ୍ରିକାଲ୍ କଂପାନି ପାଖରେ ଥିବା ଜଣାପଡ଼ିବା ପରେ ଟେଣ୍ଡରକୁ ରଦ୍ଦ କରାଯାଇଛି। ରାଷ୍ଟ୍ରାୟତ୍ତ କଂହପାନି ଏନର୍ଜି ଏଫିସିଏନ୍ସି ସର୍ଭିସେସ୍ ଲିମିଟେଡ୍ (ଇଇଏସ୍ଏଲ୍) ପକ୍ଷରୁ ଏହି ଟେଣ୍ଡର ଆହ୍ବାନ କରାଯାଇଥିଲା। ଟେଣ୍ଡର ରଦ୍ଦ କରିବା କାରଣ ସଂକ୍ରାନ୍ତରେ କଂପାନିର ପରିଚାଳନା ନିର୍ଦେଶକ ସୌରଭ କୁମାର କହିଛନ୍ତି, ଟେଣ୍ଡରକୁ ନେଇ ରହିଥିବା କେତେକ ସର୍ତ୍ତ ପୂରଣ କରିବାରେ ପିଟି ହେକ୍ସିଂ ବିଫଳ ହୋଇଛି। ସ୍ମାର୍ଟ ମିଟରଗୁଡ଼ିକୁ ଭାରତରେ ଉତ୍ପାଦନ କରିବାକୁ ହେବ ବୋଲି ଟେଣ୍ଡରରେ ସର୍ତ୍ତ ରହିଥିଲା। କିନ୍ତୁ, ଭାରତରେ କାରଖାନା ସ୍ଥାପନ କରିବା ସମ୍ପର୍କରେ କଂପାନିର କିଛି ସ୍ପଷ୍ଟ କରୁନଥିବାରୁ ଟେଣ୍ଡରକୁ ବାତିଲଏ କରାଯାଇଛି। ଖୁବ୍ଶୀଘ୍ର ଆଉ ୩ ନିୟୁତ ସ୍ମାର୍ଟ ମିଟର ପାଇଁ ଟେଣ୍ଡର ଆହ୍ବାନ କରାଯିବ ବୋଲି ସେ କହିଛନ୍ତି।
ଭାରତରେ ଥିବା ପ୍ରାୟ ୨୫ କୋଟି ପାରମ୍ପରିକ ମିଟରକୁ ବଦଳାଇ ସ୍ମାର୍ଟ ମିଟର ଲଗାଇବାକୁ ଯୋଜନା ରଖାଯାଇଛି। ସ୍ମାର୍ଟ ମିଟରରେ ଉଭୟ ହାର୍ଡଓୟାର ଓ ସଫ୍ଟଓୟାର ବ୍ୟବସ୍ଥା ରହୁଛି। ସଫ୍ଟଓୟାର ଜରିଆରେ ସାଇବର ଆକ୍ରମଣର ଆଶଙ୍କା ରହିଛି। ଏମିତିରେ ଚୀନ୍ କଂପାନିଗୁଡ଼ିକ ବିରୋଧରେ ବ୍ୟବହାରକାରୀମାନଙ୍କ ତଥ୍ୟ ଚୋରି କରି ସବୁ ତଥ୍ୟ ଚୀନ୍କୁ ପଠାଉଥିବାର ଅଭିଯୋଗ ରହିଛି। ତେଣୁ ସ୍ମାର୍ଟ ମିଟର ବରାଦ କୌଣସି ଚୀନ୍ କଂପାନି ହାତକୁ ଯାଉ ବୋଲି ସରକାର ଚାହୁନାହାନ୍ତି। ଲଦାଖ୍ର ଗଲ୍ୱାନ ଘାଟିରେ ଭାରତ ଓ ଚୀନ୍ ସେନା ମଧ୍ୟରେ ସଂଘର୍ଷରେ ୨୦ ଭାରତୀୟ ଯବାନ ସହିଦ ହେବା ପରେ ଚୀନ୍ ଉପରେ ଅର୍ଥନୈତିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି। ମୋବାଇଲ୍ ଆପ୍ଠାରୁ ଆରମ୍ଭ କରି ରଙ୍ଗିନ ଟିଭି ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ଚୀନ୍କୁ ଅଟକାଉଛି ଭାରତ। ଗତକାଲି ଚୀନ୍ର ଦୁଇଟି ଲୋକପ୍ରିୟ ଆପ୍ ବେଦୁ ଓ ୱିବୋକୁ ନିଷିଦ୍ଧ କରାଯାଇଥିଲା। ଆଜି ଶାଓମିର ଏମ୍ଆଇ ବ୍ରାଉଜର୍କୁ ନିଷିଦ୍ଧ କରାଯାଇଛି। ଏହି ବ୍ରାଉଜର୍ ଶାଓମିର ଫୋନ୍ଗୁଡ଼ିକରେ କାରଖାନାରୁ ଇନଷ୍ଟଲ୍ ହୋଇଆସୁଛି। ଯଦି ଆପ୍କୁ ନିଷିଦ୍ଧ କରାଯାଇଥିବ ବେଳେ ଏମ୍ଆଇର ନୂଆ ଫୋନ୍ଗୁଡ଼ିକରେ ସେହି ବ୍ରାଉଜର୍ ଇନଷ୍ଟଲ୍ ହୋଇପାରିବ ନାହିଁ।