ନୂଆଦିଲ୍ଲୀ: ଦେଶରେ ଚାଷ ଋତୁ ଚାଲିଥିବା ବେଳେ ଚାଷୀମାନଙ୍କ ପାଖରେ ଗୁଣାତ୍ମକ ମାନର ସାର ଠିକ୍ ସମୟରେ ଓ ସୁଲଭ ମୂଲ୍ୟରେ ପହଞ୍ଚାଇବା ଲାଗି କେନ୍ଦ୍ର ସରକାର ତତ୍ପର ହୋଇଛନ୍ତି। ନକଲି ଓ ନିମ୍ନ ମାନର ସାର କାରବାର ଉପରେ କଡ଼ା ନଜର ରଖିବା ଲାଗି କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଚିଠି ମାଧ୍ୟମରେ ଜଣାଇଛନ୍ତି। ଚାଷୀମାନଙ୍କୁ ନାନୋ ୟୁରିଆ ନେବାକୁ ବାଧ୍ୟ ନ କରିବାକୁ ସେ କହିଛନ୍ତି।

Advertisment

ସାରକୁ ନେଇ ରାଜ୍ୟବ୍ୟାପୀ ଅଭିଯାନ ଆରମ୍ଭ କରିବାକୁ ସେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି। ସାର କଳାବଜାରୀ, ନିମ୍ନ ମାନର ସାର ବିକ୍ରିରେ ଲିପ୍ତ ଥିବା ପକ୍ଷଙ୍କ ବିରୋଧରେ ଲାଇସେନ୍ସ ବାତିଲ, ଏତଲା ଦାଖଲ ଭଳି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ କହିଛନ୍ତି। ଯେଉଁ ସ୍ଥାନରେ ଯେତିକି ପରିମାଣର ସାର ସରକାର, ତାହା ନିଶ୍ଚିତ କରିବା ଦାୟିତ୍ବ ରାଜ୍ୟମାନଙ୍କର। ତେଣୁ ସାର କଳାବଜାରୀ, ଅଧିକ ଦରରେ ବିକ୍ରି ଏବଂ ରିହାତିରେ ମିଳୁଥିବା ସାରକୁ ଅନ୍ୟତ୍ର ପଠାଇବା ଭଳି ଘଟଣାଗୁଡ଼ିକ ଉପରେ ନଜର ରଖିବାକୁ ରାଜ୍ୟମାନଙ୍କୁ କୁହାଯାଇଛି। ସାର ଉତ୍ପାଦନ ଓ ବିକ୍ରି ଉପରେ ନିୟମିତ ନଜର ରଖିବାକୁ ରାଜ୍ୟମାନଙ୍କୁ କୁହାଯାଇଛି।