ନୂଆଦିଲ୍ଲୀ: କେନ୍ଦ୍ର ସରକାର ଗହମର ଷ୍ଟକ୍ ସୀମା ନିର୍ଦ୍ଧାରଣ କରିଛନ୍ତି। ବ୍ୟବସାୟୀ ଓ ପ୍ରକ୍ରିୟାକରଣକାରୀମାନେ ନିଜ ପାଖରେ କେତେ ଗହମ ରଖିପାରିବେ ତାହା ଧାର୍ଯ୍ୟ କରାଯାଇଛି। ଧାର୍ଯ୍ୟ ସୀମାଠାରୁ ଅଧିକ ଗହମ ମହଜୁଦ ରଖିଲେ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ୧୯୫୫ର ଧାରା ୬ ଓ ୭ ଅନୁସାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଷ୍ଟକ୍ ସୀମାକୁ ୨୦୨୬ ମାର୍ଚ୍ଚ ପର୍ଯ୍ୟନ୍ତ ଲଗାଯାଇଛି। ଏହି ଅବଧିରେ ପାଇକାରୀ ବ୍ୟବସାୟୀମାନେ ନିଜ ପାଖରେ ସର୍ବାଧିକ ୨୦୦୦ ଟନ୍ ଗହମ ରଖିପାରିବେ। ସେହିପରି ରିଟେଲର୍ମାନେ ୮ ଟନ୍, ବୃହତ୍ ଶୃଙ୍ଖଳାର ରିଟେଲ୍ର ପ୍ରତି ଷ୍ଟୋର୍ରେ ୮ଟନ୍ ଏବଂ ପ୍ରକ୍ରିୟାକରଣକାରୀମାନେ ମାସିକ କ୍ଷମତାର ୭୦ ପ୍ରତିଶତ ଗହମ ପାଖରେ ରଖିପାରିବେ। ଏହି ସମସ୍ତ ବ୍ୟବସାୟୀମାନଙ୍କୁ ପ୍ରତି ଶୁକ୍ରବାର ସେମାନଙ୍କ ପାଖରେ ଥିବା ଗହମର ତଥ୍ୟ ସରକାରଙ୍କୁ ଦେବାକୁ ପଡ଼ିବ। ଯେଉଁମାନଙ୍କ ପାଖରେ ବର୍ତ୍ତମାନ ନିର୍ଦ୍ଧାରିତ ସୀମାଠାରୁ ଅଧିକ ଗହମ ରହିଛି, ସେମାନଙ୍କୁ ୧୫ ଦିନ ଭିତରେ ତାହାକୁ ହ୍ରାସ କରିବା ଲାଗି କୁହାଯାଇଛି। ଏହି ନିର୍ଦ୍ଦେଶ କଡ଼ାକଡ଼ି ଭାବେ ପାଳନ କରାଯାଉଛି ନା ନାହିଁ ତାହା ଉପରେ ନଜର ରଖିବାକୁ କେନ୍ଦ୍ର ଓ ରାଜ୍ୟ ଅଧିକାରୀମାନଙ୍କୁ କୁହାଯାଇଛି।
୨୦୨୪-୨୫ରେ ୧୧୭୫ ନିୟୁତ ଟନ୍ ଗହମ ଉତ୍ପାଦନ ହୋଇଥିଲା। ସରକାର ୩୦୦.୩୫ ନିୟୁତ ଟନ୍ ଗହମ ସଂଗ୍ରହ କରିଥିଲେ। ସାଧାରଣ ବଣ୍ଟନ ବ୍ୟବସ୍ଥା, ଖୋଲା ବଜାର ବିକ୍ରି ଆଦି ପାଇଁ ଭଣ୍ଡାରରେ ବିପୁଳ ଗହମ ଥିବା ସରକାର କହିଛନ୍ତି। ଦେଶରେ ଗହମ ମୂଲ୍ୟକୁ ନିୟନ୍ତ୍ରଣରେ ରଖିବା ପାଇଁ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ଷ୍ଟକ୍ ଉପରେ ନଜର ରଖୁଛି।