ଆଉ ୫୦ ହଜାର କୋଟି ହରାଇଲେ ଆଦାନି, ବନ୍ଧକ ସେୟାର ମୁକୁଳାଇବାକୁ ଆଗୁଆ ଶୁଝିଲା ଋଣ

ଆଦାନି ସପକ୍ଷରେ ସାତ ଥର ରାୟ ଦେଇଥିଲେ ଜଷ୍ଟିସ୍‌ ଅରୁଣ ମିଶ୍ର, ଗୋଟିଏ ମାମଲାରେ କଂପାନିକୁ ୮୦୦୦ କୋଟି ଲାଭ

ନୂଆଦିଲ୍ଲୀ: ଆମେରିକୀୟ ସଂସ୍ଥା ହିଣ୍ଡେନ୍‌ବର୍ଗ ରିସର୍ଚ୍ଚର ୩୨,୦୦୦ ଶବ୍ଦ ବିଶିଷ୍ଟ ରିପୋର୍ଟ ଆଦାନି ଗ୍ରୁପ୍‌ର ବ୍ୟାପକ କ୍ଷତି ଘଟାଇଲାଣି। ଏହି ଘଟଣା ଅଷ୍ଟମ ଦିନରେ ପ୍ରବେଶ କରିଥିବା ବେଳେ କଂପାନିର ସେୟାର ମୂଲ୍ୟରେ ହେଉଥିବା ହ୍ରାସ ଧାରା ବନ୍ଦ ହେଉନାହିଁ। ଆଜି ଆଦାନିର ବିଭିନ୍ନ କଂପାନିର ସେୟାର ମୂଲ୍ୟ ହ୍ରାସ ପାଇବାରୁ ଏହାର ନିବେଶକମାନେ ପ୍ରାୟ ୫୦ ହଜାର କୋଟି ଟଙ୍କା ହରାଇଛନ୍ତି। ଏହା ପୂର୍ବରୁ କଂପାନିର ନିବେଶକମାନେ ପ୍ରାୟ ୧୦ ଲକ୍ଷ କୋଟି ଟଙ୍କା ହରାଇଥିଲେ। ଆଦାନି ଟ୍ରାନ୍ସମିସନ୍‌ ସେୟାର ମୂଲ୍ୟରେ ଆଜି ୧୦ ପ୍ରତିଶତ ହ୍ରାସ ହୋଇଥିବା ବେଳେ ଆଦାନି ଏଣ୍ଟରପ୍ରା‌ଇଜେସ୍‌ ସେୟାର ଦାମ୍ ୭.୫ ପ୍ରତିଶତ ହ୍ରାସ ପାଇଛି। ହିଣ୍ଡେନ୍‌ବର୍ଗ ରିପୋର୍ଟ ପ୍ରଭାବରେ ଆଦାନି ଗ୍ରୁପ୍‌ର ବଜାର ପୁଞ୍ଜିରେ ୧୦ ଲକ୍ଷ କୋଟି ଟଙ୍କାରୁ ଅଧିକ ହ୍ରାସ ହୋଇଛି। କେବଳ ସେତିକି ନୁହେଁ ବିଭିନ୍ନ ଆଡ଼ୁ କଂପାନିର ଅଡ଼ୁଆ ବଢ଼ିଛି। ଆଦାନି ଏଣ୍ଟରପ୍ରାଇଜେସ୍‌ର ୨୦ ହଜାର କୋଟି ଟଙ୍କାର ଫଲୋଅନ୍ ପବ୍ଲିକ୍ ଅଫର (ଏଫ୍‌ପିଓ)କୁ କଂପାନି ବାତିଲ କରିସାରିଛି। ଯେହେତୁ ପାଣ୍ଠି ଯୋଗାଡ଼ ହୋଇପାରିଲାନି, ତେଣୁ ଆଗାମୀ ଦିନରେ କଂପାନି ଯେଉଁ ସବୁ ପ୍ରକଳ୍ପରେ ନିବେଶ ବଢ଼ାଇବାକୁ ଯୋଜନା ରଖିଥିଲା ସେହି କାମ ହୋଇପାରିବନି। କିଛି ପ୍ରକଳ୍ପର ପୁଞ୍ଜି ବ୍ୟୟକୁ କଂପାନି ହ୍ରାସ କରିପାରେ ବୋଲି କୁହାଯାଉଛି। ଆଦାନି ଗ୍ରୁପ୍‌ ସେୟାର ମୂଲ୍ୟରେ ହେରଫେର ଓ ଆକାଉଣ୍ଟିଂ ଜାଲିଆତି କରୁଥିବା ଏବଂ ଜାଲ୍‌ କଂପାନି ଜରିଆରେ ବ୍ୟାପକ ଜାଲିଆତି କରୁଥିବା ନେଇ ହିଣ୍ଡେନ୍‌ବର୍ଗ ଅଭିଯୋଗ କରିଛି।

ସେୟାର ମୂଲ୍ୟରେ ହେଉଥିବା ହ୍ରାସ ଉପରେ ଲଗାମ କଷିବା ଲାଗି ଆଦାନି ଗ୍ରୁପ୍ କସରତ ଆରମ୍ଭ କରିଦେଇଛି। ବନ୍ଧକ ରଖି ଋଣ ଆଣିଥିବା ସେୟାରଗୁଡ଼ିକୁ ମୁକୁଳାଇବା ଲାଗି କଂପାନି ପକ୍ଷରୁ ନିର୍ଧାରିତ ସମୟର ବହୁ ପୂର୍ବରୁ ୧୧୧.୪ କୋଟି ଡଲାର ଋଣକୁ ପରିଶୋଧ କରାଯାଇଛି। ଏହି ଋଣ ଶୁଝିବା ଲାଗି କଂପାନି ପାଖରେ ୨୦୨୪ ‌ସେପ୍ଟେମ୍ବର ପର୍ଯ୍ୟନ୍ତ ସମୟ ଥିଲା। ଆଗୁଆ ଋଣ ପରିଶୋଧ କରି ଏହା ଆଦାନି ପୋର୍ଟସ୍‌ ଆଣ୍ଡ୍‌ ସ୍ପେସିଆଲ ଇକୋନମିକ୍ ଜୋନ୍ (୧୨ ପ୍ରତିଶତ ଅଂଶଧନ), ଆଦାନି ଗ୍ରିନ୍ ଏନର୍ଜି (୩ ପ୍ରତିଶତ) ଓ ଆଦାନି ଟ୍ରାନ୍ସମିସନ (୧.୪ ପ୍ରତିଶତ)ର ବନ୍ଧକ ଥିବା ସେୟାରକୁ ମୁକୁଳାଇବାରେ ସଫଳ ହୋଇଛି। ଏହା ଜରିଆରେ ଆଦାନି ଗ୍ରୁପ୍ ନିବେଶକମାନଙ୍କୁ ଏହି ଭରସା ଦେବାକୁ ଚେଷ୍ଟା କରିଛି ଯେ କଂପାନି ଉପରେ ଯେଉଁ ଋଣ ରହିଛି ତାହା ଶୁଝିବାକୁ ଏହା ସମର୍ଥ। ସେୟାର ମୂଲ୍ୟରେ ଦେଖାଦେଇଥିବା ଅସ୍ଥିରତାକୁ ବିଚାରକୁ ନେଇ କଂପାନିର ପ୍ରତିଷ୍ଠାତାମାନେ ଆଗୁଆ ଋଣ ପରିଶୋଧ କରି କଂପାନି ପ୍ରତି ସେମାନଙ୍କ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି ବୋଲି କଂପାନି ଏକ ବିଜ୍ଞପ୍ତିରେ ଜଣାଇଛି।

ଆଦାନି ସପକ୍ଷରେ ସାତ ଥର ରାୟ ଦେଇଥିଲେ ଜଷ୍ଟିସ୍‌ ଅରୁଣ ମିଶ୍ର
ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପୂର୍ବତନ ଜଷ୍ଟିସ୍‌ ଅରୁଣ ମିଶ୍ରଙ୍କ ଦ୍ବାରା ଆଦାନି ଗ୍ରୁପ୍ ବିଶେଷ ଭାବେ ଲାଭବାନ ହୋଇଥିବା ନେଇ ନିଉଜ୍‌କ୍ଲିକ୍ ନାମକ ଏକ ୱେବସାଇଟ୍‌ରେ ଖବର ପ୍ରକାଶ ପାଇଛି। ସେହି ଖବରକୁ ଟ୍ବିଟ୍‌ କରି ଆଇନଜୀବୀ ପ୍ରଶାନ୍ତ ଭୂଷଣ କହିଛନ୍ତି ଯେ ସେୟାର ମୂଲ୍ୟର ହେରଫେର ଏବଂ ଇନଭଏସ୍‌ ମୂଲ୍ୟ ବଢ଼ାଇ କୋଟି କୋଟି ଟଙ୍କା ଆତ୍ମସାତ କରିବା, ସରକାରଙ୍କ ଦ୍ବାରା ବନ୍ଦର, ବିମାନବନ୍ଦର ଓ କୋଇଲା ଖଣି ଆବଣ୍ଟନରେ ସ୍ବେଚ୍ଛାଚାରିତା ମନୋଭାବ, ନିୟାମକ ବ୍ୟବସ୍ଥାକୁ ଏଡ଼ାଇଯିବା ସହ ସୁପ୍ରିମ୍‌କୋର୍ଟ ଜଷ୍ଟିସ୍‌ ଅରୁଣ ମିଶ୍ରଙ୍କ ଅନୁଗ୍ରହ ଯୋଗୁ ଆଦାନିର ଭଣ୍ଡାର ଭର୍ତ୍ତି ହୋଇଛି। ନିଉଜ୍‌କ୍ଲିକ୍‌ରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ଜଷ୍ଟିସ୍ ମିଶ୍ର ଅବସର ନେବାର ତିନି ଦିନ ପୂର୍ବରୁ ଆଦାନି ପାୱାର ରାଜସ୍ଥାନ ଲିମିଟେଡ୍ ସପକ୍ଷରେ ରାୟ ପ୍ରକାଶ କରି କଂପାନିକୁ ୮୦୦୦ କୋଟି ଟଙ୍କାର ଉପହାର ଦେଇଥିଲେ। ୫୦୦୦ କୋଟି ଟଙ୍କାର ରିହାତି ଟାରିଫ୍ ଓ ୩୦୦୦ କୋଟି ଟଙ୍କାର ଜରିମାନା ଓ ସୁଧ ଭଳି ଲାଭ କଂପାନିକୁ ମିଳିଥିଲା। ସେହି ବୋଝ ରାଜସ୍ଥାନର ଜୟପୁର, ଯୋଧପୁର ଓ ଆଜ୍‌ମିରର ବିଦ୍ୟୁତ ଗ୍ରାହକମାନଙ୍କୁ ବୋଝିବାକୁ ପଡ଼ିଥିଲା। ୨୦୧୯ ପରେ ଜଷ୍ଟିସ୍‌ ମିଶ୍ରଙ୍କ ଆଦାନି ଗ୍ରୁପ୍ ସପକ୍ଷରେ ତାହା ଥିଲା ସପ୍ତମ ରାୟ। ଆଦାନି ସପକ୍ଷରେ ଜଷ୍ଟିସ୍‌ ମିଶ୍ର ଅନ୍ୟ ଛଅଟି ମାମଲାରେ ମଧ୍ୟ ରାୟ ଦେଇଥିଲେ। ଯେଉଁ ଖଣ୍ଡପୀଠରେ ଜଷ୍ଟିସ୍‌ ମିଶ୍ର ରହୁଥିଲେ ସେହି ମାମଲାର ରାୟ କଂପାନି ସପକ୍ଷରେ ଆସୁଥିଲା।

ପ୍ରଧାନମନ୍ତ୍ରୀଙ୍କ ସହ ସବୁ ବିଦେଶ ଗସ୍ତରେ ଯାଉଥିଲେ
ନୂଆଦିଲ୍ଲୀ: ହିନ୍ଦୁସ୍ତାନ ଟାଇମ୍‌ସରେ ପ୍ରକାଶିତ ଏକ ରିପୋର୍ଟକୁ ଟ୍ବିଟ୍‌ କରି ଆଇନଜୀବୀ ପ୍ରଶାନ୍ତ ଭୂଷଣ ଜଣାଇଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଘନିଷ୍ଠ ବନ୍ଧୁ କୁହାଯାଉଥିବା‌ ଗୌତମ ଆଦାନି ପ୍ରଧାନମନ୍ତ୍ରୀଙ୍କ ପ୍ରାୟ ସବୁ ବିଦେଶ ଗସ୍ତର ଅଂଶ ଥିଲେ। ପ୍ରଧାନମନ୍ତ୍ରୀଙ୍କ ଆମେରିକା, ଅଷ୍ଟ୍ରେଲିଆ, ବ୍ରାଜିଲ୍ ଓ ଜାପାନ ଗସ୍ତରେ ଆଦାନି ମଧ୍ୟ ତାଙ୍କ ସହ ଯାଇଥିଲେ। ଜାତିସଂଘ ସାଧାରଣ ପରିଷଦକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନରେ ମଧ୍ୟ ଆଦାନିଙ୍କୁ ଦେଖିବାକୁ ମିଳିଥିଲା। ଜି-୨୦ ବୈଠକରେ ମଧ୍ୟ ତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ପାଖାପାଖି ଦେଖିବାକୁ ମିଳିଥିଲା। ମୋଦୀ ସରକାର ଶାସନ ଭାର ଗ୍ରହଣ କରିବା ପରେ ଆଦାନି ଗ୍ରୁପ୍ ଉପରେ ୭୨ ହଜାର କୋଟି ଟଙ୍କାର ଋଣ ଥିବା ସତ୍ତ୍ବେ କଂପାନି ଦୁଇ ପାୱାର ପ୍ଲାଣ୍ଟ୍ ଓ ଓଡ଼ିଶାରେ ଏକ ବନ୍ଦର କିଣିଥିଲା।

ସମ୍ବନ୍ଧିତ ଖବର