ବାବା ରାମଦେବଙ୍କୁ  ପଛରେ ପକାଇଲେ ଅଦାନୀ, କିପରି ଜାଣନ୍ତୁ

ମୁମ୍ବାଇ :  ଋଣଗ୍ରସ୍ତ ଖାଇବା ତେଲ କମ୍ପାନି ରୁଚି ସୋୟାକୁ କିଣିବା ପାଇଁ ସିଧାସଳଖ ପ୍ରତିଦ୍ୱନ୍ଦିତାରେ ଅବତୀର୍ଣ୍ଣ ହୋଇଛନ୍ତି   ବାବା ରାମଦେବଙ୍କ କମ୍ପାନି ପତଞ୍ଜଳୀ ଓ ଶିଳ୍ପପତି ଗୌତମ ଅଦାନୀ । ତେବେ ନିଲାମ ଡକରା ବେଳେ ଅଦାନୀଠାରୁ ପତଞ୍ଜଳୀ  ପଛେଇ ଯାଇଛି । ଅଦାନୀ-ଓ୍ଵିଲମର କମ୍ପାନି ୬୦୦୦ କୋଟିର ନିଲାମ ଡାକିଥିବାବେଳେ ପତଞ୍ଜଳୀ ୫୭୦୦ କୋଟିର ନିଲାମ ଡାକିଛି । ନ୍ୟୁଟ୍ରେଲା ସୋୟା ବିନ ଓ ସନରିଚ୍‌ ଖାଇବା ତେଲ ଉତ୍ପାଦନ କରୁଥିବା କମ୍ପାନି ରୁଚି ସୋୟା ଏବେ ଋଣଗ୍ରସ୍ତ ହୋଇଯାଇଛି । କମ୍ପାନି ଦେବାଳିଆ ଅବସ୍ଥାରେ ଥିବାରୁ ଏହାକୁ ଋଣ ଦେଇଥିବା ବ୍ୟାଙ୍କମାନେ ଏବେ କମ୍ପାନିକୁ ନିଲାମ କରିବାକୁ ପଦକ୍ଷେପ ନେଇଛନ୍ତି । ନିଲାମରେ ଅଦାନୀ-ଓ୍ଵିଲମର ସର୍ବୋଚ୍ଚ ବିଡର ହୋଇଥିଲେ ମଧ୍ୟ ପତଞ୍ଜଳୀକୁ ନିଜର ଅଫରକୁ ବଢାଇବାକୁ ସୁଯୋଗ ଦିଆଯାଇଛି । କେବଳ ଏତିକି ନୁହେଁ  ଅଦାନୀ-ଓ୍ଵିଲମରକୁ ନିଜ ଅଫରକୁ ଆହୁରି  ବଢାଇବାକୁ ସୁଯୋଗ ଦିଆଯାଇଛି । ଅଦାନୀ-ଓ୍ଵିଲମର ହେଉଛି ଅଦାନୀ ଗ୍ରୁପ ଓ ସିଙ୍ଗାପୁର ଭିତ୍ତିକ କମ୍ପାନି ଓ୍ଵିଲମର କମ୍ପାନି ମଧ୍ୟରେ ଏକ ଯୁଗ୍ମ ଉଦ୍ୟମ । ଏହି କମ୍ପାନିରେ ଓ୍ଵିଲମରର ୫୦ ପ୍ରତିଶତ ଅଂଶଧନ ରହିଛି । ଏହା ପୂର୍ବରୁ ଓ୍ଵିଲମର କମ୍ପାନି ରେଣୁକା ସୁଗାର୍ସକୁ କିଣିସାରିଛି ।

 

ସମ୍ବନ୍ଧିତ ଖବର