ନୂଆଦିଲ୍ଲୀ: ଶିଳ୍ପପତି ଗୌତମ ଆଦାନୀଙ୍କ ବିରୋଧରେ ଆମେରିକା କରିଥିବା ଲାଞ୍ଚ ଅଭିଯୋଗ ସୁପ୍ରିମ୍‌କୋର୍ଟରେ ପହଞ୍ଚିଛି। ଆଇନଜୀବୀ ବିଶାଲ ତିୱାରୀ ଏକ ମାମଲା ରୁଜୁ କରି ଏହାର ତଦନ୍ତ କରିବା ଲାଗି ସୁପ୍ରିମକୋର୍ଟଙ୍କୁ ନିବେଦନ କରିଛନ୍ତି। ଆଦାନୀ ଗ୍ରୁପ୍ ବିରୋ‌ଧରେ ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ କରିଥିବା ଅଭିଯୋଗର ତଦନ୍ତକୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ଠିକ୍ ଭାବେ କରି ନଥିବା ଆବେଦନକାରୀ ଅଭିଯୋଗ କରିଛନ୍ତି। ଏଥି ସହିତ ସେ ସେବିର ବିଶ୍ବସନୀୟତା ଉପରେ ଚିନ୍ତା ପ୍ରକଟ କରିଛନ୍ତି। ଆବେଦନକାରୀ କହିଛନ୍ତି ଯେ ଆମେରିକାର ଆଇନ ବିଭାଗ ଓ ୟୁଏସ୍‌ ସିକ୍ୟୁରିଟି ଆଣ୍ଡ୍ ଏକ୍ସଚେଞ୍ଜ କମିସନ ଯେଉଁ ଅଭିଯୋଗ କରିଛନ୍ତି ତାହା ଅତ୍ୟନ୍ତ ଗମ୍ଭୀର। ତେଣୁ ଭାରତୀୟ ଏଜେନ୍ସି ତାହାର ତଦନ୍ତ କରିବା ଦରକାର। ଭାରତରେ ସୌର ଶକ୍ତି ଯୋଗାଣ ଚୁକ୍ତି ହାତେଇବା ଲାଗି ବିଭିନ୍ନ ରାଜ୍ୟ‌ରେ ଗୌତମ ଆଦାନୀ ଓ ତାଙ୍କ ପୁତୁରା ସାଗର ଆଦାନୀଙ୍କ ସମେତ ବିଭିନ୍ନ ଅଧିକାରୀ ପ୍ରାୟ ୨୧୦୦ କୋଟି ଟଙ୍କାର ଲାଞ୍ଚ କାରବାର କରିଥିବା ନେଇ ଆମେରିକା ଅଭିଯୋଗ କରିବା ପରେ ଦେଶରେ ହଇଚଇ ସୃଷ୍ଟି ହୋଇଛି। ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ଆଦାନୀ ଲାଞ୍ଚ ଦେଇଥିଲେ ବୋଲି ଆମେରିକା ଦାବି କରିଥିବା ବେଳେ ସବୁ ରାଜ୍ୟ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଆଦାନୀ ଗ୍ରୁପ୍ ପକ୍ଷରୁ ମଧ୍ୟ ଅଭିଯୋଗକୁ ଭିତ୍ତିହୀନ ବୋଲି କୁହାଯାଇଛି।

Advertisment

ଭାରତରେ ତଦନ୍ତ ପାଇଁ ଦାବି
ବାଂଲାଦେଶ ବି କରିବ ତଦନ୍ତ

ଶ୍ରୀଲଙ୍କାରେ ଅଡ଼ୁଆ ବଢ଼ିଲା
ନୂଆଦିଲ୍ଲୀ: ଲାଞ୍ଚ କାରବାର ଅଭିଯୋଗ ପରେ ଆଦାନୀ ଗ୍ରୁପ୍‌ ପାଇଁ ଚାରି ଆଡ଼ୁ ସମସ୍ୟା ସୃଷ୍ଟି ହେବାରେ ଲାଗିଛି। କମ୍ପାନିର ଶ୍ରୀଲଙ୍କା ବନ୍ଦର ପ୍ରକଳ୍ପ ଲାଗି ପାଣ୍ଠି ଦେବାକୁ ସହମତ ହୋଇଥିବା ଆମେରିକାର ‘ୟୁଏସ୍ ଇଣ୍ଟରନ୍ୟାସନାଲ୍ ଡେଭେଲପ୍‌ମେଣ୍ଟ୍‌ ଫାଇନାନ୍ସ କର୍ପୋରେସନ୍’ ଯଥାର୍ଥ ଆକଳନ ଜାରି ରଖିଛି। ଏହା ପାଣ୍ଠି ଦେବାକୁ ଚୂଡ଼ାନ୍ତ ନିଷ୍ପତ୍ତି ନେଇନାହିଁ। ଋଣ ଆବଣ୍ଟନ କରିବା ପୂର୍ବରୁ ଆମର କଠୋର ମାନଦଣ୍ଡକୁ ଏହି ପ୍ରକଳ୍ପ ପୂରଣ କରୁଛି ନା ନାହିଁ ତାହା ଜାଣିବାକୁ ଆମେ ଯଥାର୍ଥ ଆକଳନ ଜାରି ରଖିଛୁ। ପ୍ରକଳ୍ପ ପ‌ାଇଁ ଋଣ ରାଜିନାମା ସ୍ବାକ୍ଷର ହୋଇ ନ ଥିବା ଆମେରିକାର ଏହି ଆର୍ଥିକ ଏଜେନ୍ସି ଜଣାଇଛି। ଆଦାନୀ ପୋର୍ଟସ୍‌ ଆଣ୍ଡ୍‌ ଏସ୍‌ଇଜେଡ୍‌ ଲିମିଟେଡ୍‌ ପକ୍ଷରୁ ଶ୍ରୀଲଙ୍କାରେ ବିକାଶ କରାଯାଉଥିବା ଏହି ପ୍ରକଳ୍ପ ଲାଗି ପାଣ୍ଠି ଦେବାକୁ ଗତବର୍ଷ ଏହି ସଂସ୍ଥା ସହମତ ହୋଇଥିଲା। ଏହା ବ୍ୟତୀତ ଶ୍ରୀଲଙ୍କାରେ ଆଦାନୀ ଗ୍ରୁପ୍‌ର ପବନ ଶକ୍ତି ପ୍ରକଳ୍ପର ସମୀକ୍ଷା କରିବାକୁ ମଧ୍ୟ ଶ୍ରୀଲଙ୍କା ସରକାର ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ସପ୍ତାହରେ ହେବାକୁ ଥିବା କ୍ୟାବିନେଟ୍‌ ବୈଠକରେ ଏନେଇ ଆଲୋଚନା ହେବ।

ଆମେରିକାର ଅଭିଯୋଗ ପରେ ସଙ୍କଟ ଦେଇ ଗତି କରୁଥିବା ଆଦାନୀ ଗ୍ରୁପ୍‌ର ଚିନ୍ତା ବଢ଼ାଇବାକୁ ଯାଉଛି ବାଂଲାଦେଶ। ଆଦାନୀ ଗ୍ରୁପ୍ ସହ ହୋଇଥିବା ବିଦ୍ୟୁତ ଯୋଗାଣ ଚୁକ୍ତିର ତଦନ୍ତ କରିବା ବିଷୟରେ ଏହା ବିଚାର କରୁଥିବା ଜଣାପଡ଼ିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କ ସମୟରେ ଆଦାନୀ ସମେତ ବିଭିନ୍ନ କମ୍ପାନି ସହ ହୋଇଥିବା ବିଦ୍ୟୁତ୍‌ ଯୋଗାଣ ବୁଝାମଣାର ତଦନ୍ତ କରିବା ଲାଗି ଏକ ଏଜେନ୍ସି ନିଯୁକ୍ତ କରିବାକୁ ସୁପାରିସ କରାଯାଇଛି। ଏନେଇ ବାଂଲାଦେଶର ଅନ୍ତରୀଣ ସରକାର ଏକ କମିଟି ଗଠନ କରିଛନ୍ତି। ‌୨୦୦୯ରୁ ୨୦୨୪ ମଧ୍ୟରେ ସ୍ବାକ୍ଷରିତ ହୋଇଥିବା ୭ଟି ଶକ୍ତି ଓ ବିଦ୍ୟୁତ ବୁଝାମଣାର କମିଟି ସମୀକ୍ଷା କରୁଛି। ସେଥିରେ ଆଦାନୀ ପାୱାରର ୧୨୩୪ ମେଗାୱାଟ୍‌ ଚୁକ୍ତିର ନାଁ ରହିଛି। ସେଥିରେ ଚୀନ୍‌ର ଗୋଟିଏ ପ୍ରକଳ୍ପର ନାମ ମଧ୍ୟ ରହିଛି।