ଆଦାନି ମୁଣ୍ଡରେ ଅତ୍ୟଧିକ ଋଣ, ଏନ୍‌ଡିଟିଭିକୁ ହାତେଇବ

ନୂଆଦିଲ୍ଲୀ: ଗୌତମ ଆଦାନିଙ୍କ ବ୍ୟବସାୟ ସାମ୍ରାଜ୍ୟ ଉପରେ ଋଣବୋଝ ଅଧିକ ରହିଛି। ଇକ୍ବିଟି ପାଣ୍ଠି ତୁଳନାରେ ଋଣପାଣ୍ଠି ଅଧିକ ବୋଲି ରେଟିଂ ଏଜେନ୍ସି ଫିଚ ଗ୍ରୁପର ଶାଖା କ୍ରେଡିଟ୍‌ସାଇଟ୍‌ସ ପକ୍ଷରୁ କୁହାଯାଇଛି। ଆଦାନି ଗ୍ରୁପ୍ ଏହାର ବର୍ତ୍ତମାନର ବ୍ୟବସାୟ ସହିତ ନୂଆ ବ୍ୟବସାୟରେ ବିପୁଳ ପରିମାଣର ପୁଞ୍ଜିନିବେଶ କରୁଛି। ଏଥିପାଇଁ ଆଦାନି ଗ୍ରୁପର ଋଣବୋଝ ଅଧିକ ରହିଛି। ଆଦାନି ଗ୍ରୁପ ସଂପ୍ରସାରଣ ନେଇ ବ୍ୟାପକ କାର୍ଯ୍ୟକ୍ରମ ‌ହାତକୁ ନେଉଛି। ଏଥିପାଇଁ ଏସିଆର ଶ୍ରେଷ୍ଠ ଧନୀବ୍ୟକ୍ତିଙ୍କ ଦ୍ବାରା ପରିଚାଳିତ ଗ୍ରୁପ୍‌ର ଋଣ ଏବଂ ଅର୍ଥ ପ୍ରବାହ ଉପରେ ଚାପ ପଡ଼ୁଛି। ସ୍ଥିତି ଅତିଖରାପ ହେଲେ କମ୍ପାନି ଋଣଯନ୍ତାରେ ପଡ଼ିପାରେ ଏବଂ ଏପରିକି ଖିଲାପି ମଧ୍ୟ ହୋଇଯାଇପାରେ ବୋଲି କ୍ରେଡିଟ୍‌ସାଇଟ୍ସ ଏହାର ରିପୋର୍ଟରେ ଆଜି କହିଛି। କମ୍ପାନିର ପ୍ରତିଷ୍ଠାତାମାନେ ଇକ୍ବିଟି ପୁଞ୍ଜି ପ୍ରବାହ କରାଇବାର ଦୃଷ୍ଟାନ୍ତ ମିଳୁନାହିଁ। ଆୟବ୍ୟୟ ହିସାବଫର୍ଦ୍ଦରେ ଉନ୍ନତି ଆଣିବା ପାଇଁ ଏହା ଆବଶ୍ୟକ ବୋଲି କୁହାଯାଇଛି। ଉକ୍ତ ରିପୋର୍ଟ ଉପରେ ଆଦାନି ଗ୍ରୁପ ପକ୍ଷରୁ କୌଣସି ପ୍ରତିକ୍ରିୟା ରଖାଯାଇନାହିଁ। ତେବେ ଏହି ରିପୋର୍ଟ ଆସିବା ପରେ ମଙ୍ଗଳବାର ଆଦାନି ଗ୍ରୁପର ୭ଟି ଯାକ ତାଲିକାଭୁକ୍ତ କମ୍ପାନିର ସେୟାର ମୂଲ୍ୟ ୨ ପ୍ରତିଶତରୁ ୭ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ଘଟିଛି। ବିଗତ କିଛିବର୍ଷ ହେଲା ଆଦାନି ଗ୍ରୁପ୍ ବନ୍ଦର, ବିମାନ ବନ୍ଦରଠାରୁ ଆରମ୍ଭ କରି ଡାଟା ସେଣ୍ଟର, ସିମେଣ୍ଟ, କୋଇଲା ଖଣି ଏବଂ ଗ୍ରିନ ଏନର୍ଜି ଆଦି କ୍ଷେତ୍ରରେ ବ୍ୟାପକମାତ୍ରାରେ ସଂପ୍ରସାରଣ ଓ ନିବେଶ କରୁଛି।

ଏନ୍‌ଡିଟିଭିକୁ ହାତେଇବ
ନୂଆଦିଲ୍ଲୀ: ଆଦାନି ଗ୍ରୁପ୍ ମୁଖ୍ୟ ଗୌତମ ଆଦାନି ଘରୋଇ ନିଉଜ ଚ୍ୟାନେଲ ଏନ୍‌ଡିଟିଭିର ନିୟନ୍ତ୍ରଣ ହାସଲ କରିବାକୁ ଯାଉଛନ୍ତି। ଆଦାନି ଗ୍ରୁପ୍‌ର ୩ଟି କମ୍ପାନି ଏନ୍‌ଡିଟିଭିର ୨୯.୧୮ ପ୍ରତିଶତ ଅଂଶଧନ ଅଧିଗ୍ରହଣ କରିଛନ୍ତି। ଏହି କମ୍ପାନିଗୁଡ଼ିକ ମଧ୍ୟରେ ଭିସିପିଏଲ, ଏଏମ୍‌ଏନ୍‌ଏଲ୍‌ ଏବଂ ଏଇଏଲ୍‌ ରହିଛନ୍ତି। ଏଥି ସହିତ କଂପାନିର ଆଉ ୨୬ ପ୍ରତିଶତ ଅଂଶଧନକୁ ସେୟାର ପିଛା ୨୯୪ ଟଙ୍କାରେ କିଣିବା ପାଇଁ ଆଦାନି ଖୋଲା ପ୍ରସ୍ତାବ ଦେଇଛନ୍ତି। ୨୬ ପ୍ରତିଶତ ଅଂଶଧନ କିଣିବା ପାଇଁ ଆଦାନି ଗ୍ରୁପ୍ ୪୯୨.୮ କୋଟି ଟଙ୍କା ନଗଦ ଆକାରରେ ପ୍ରଦାନ କରିବ। ଉକ୍ତ ସେୟାର କ୍ରୟ ସଫଳ ହେଲେ ଏନ୍‌ଡିଟିଭିରେ ଆଦାନି ଗ୍ରୁପର ମୋଟ ଅଂଶଧନ ୫୫.୧୮ ପ୍ରତିଶତକୁ ବୃଦ୍ଧି ପାଇବ। ତେବେ ଏହି କାରବାର ପାଇଁ ଏନ୍‌ଡିଟିଭିର ପ୍ରତିଷ୍ଠାତା ପ୍ରଣୟ ରାୟ ଓ ରାଧିକା ରାୟଙ୍କ ସହ କୌଣସି ଆଲୋଚନା କରାଯାଇନଥିବା ସେମାନେ ଦାବି କରିଛନ୍ତି। ଋଣକୁ ଇକ୍ବିଟିରେ ରୂପାନ୍ତରିତ କରିବା ଲାଗି ପ୍ରତିଷ୍ଠାତାଙ୍କ ଅନୁମତି ଦିଆଯାଇନନାହିଁ। ତେବେ ଏହି ବୁଝାମଣା ପରେ ମଧ୍ୟ ‌ପ୍ରତି‌ଷ୍ଠାତାଙ୍କ ପାଖରେ ଏନ୍‌ଡିଟିଭିର ୩୨.୩% ଅଂଶଧନ ରହିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର