ଗାଡ଼ି ବଜାରକୁ ଆସିବ ଆଦାନି

ମୁମ୍ବାଇ/ଚେନ୍ନାଇ: ଦେଶର ଦ୍ବିତୀୟ ବଡ଼ ଧନୀ ବ୍ୟକ୍ତି ଗୌତମ ଆଦାନି ବନ୍ଦର, ବିମାନ ବନ୍ଦର, ଖଣି, ଶକ୍ତି ଓ ଅନ୍ୟାନ୍ୟ ବ୍ୟବସାୟ ପରେ ଏବେ ଅଟୋମୋବାଇଲ ବଜାରକୁ ଓହ୍ଲାଇବା ଯୋଜନା କରିଛନ୍ତି। ଆଦାନିଙ୍କ ଦ୍ବାରା ପରିଚାଳିତ ଆଦାନି ଗ୍ରୁପ୍‌ କମ୍ପାନି ଏସ୍‌ ବି ଆଦାନି ଟ୍ରଷ୍ଟ ନିକଟରେ ଏଥିପାଇଁ ଆଦାନି ଟ୍ରେଡମାର୍କ ପାଇଛି। ସ୍ଥଳ ଏବଂ ଜଳଭାଗରେ ଚାଲିବାକୁ ଥିବା ଗାଡ଼ିଗୁଡ଼ିକ ଆଦାନି ବ୍ରାଣ୍ଡ୍‌ରେ ଆସିବ। କମ୍ପାନି ମୁଖ୍ୟତଃ ସବୁଜ ଶକ୍ତିକୁ ପ୍ରାଧାନ୍ୟ ଦେଉଛି। ଏଥିପାଇଁ କମ୍ପାନି ବିଦ୍ୟୁତ୍‌ ଯାନ କ୍ଷେତ୍ରରେ ପ୍ରବେଶ କରିପାରେ ବୋଲି ଆଶା କରାଯାଉଛି। କମ୍ପାନି ବାଣିଜ୍ୟିକ ବିଦ୍ୟୁତ ଯାନ-କୋଚ୍‌, ବସ ଏବଂ ଟ୍ରକ ଆଦି ପ୍ରଥମେ ଆଣିପାରେ। କମ୍ପାନି ଏସବୁ ଗାଡ଼ିକୁ ନିଜ ବନ୍ଦର, ବିମାନ ବନ୍ଦର ଏବଂ ଲଜିଷ୍ଟିକ୍ସରେ ବ୍ୟବହାର କରିବ। ଏଥିସହିତ କମ୍ପାନି ବିଦ୍ୟୁତ ଯାନ ବ୍ୟାଟେରି ଏବଂ ଦେଶବ୍ୟାପୀ ଚାର୍ଜିଂ ଷ୍ଟେସନ ସ୍ଥାପନ ଯୋଜନା ମଧ୍ୟ ରଖିଛି। ଦେଶରେ ବିଦ୍ୟୁତ ଯାନ ଚାର୍ଜିଂ ଷ୍ଟେସନ ସ୍ଥାପନର ଏକ ପରିବେଶ ସୃଷ୍ଟି କରିବା ପାଇଁ ସରକାର ନିକଟରେ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ରାଜସ୍ବ ଆବଣ୍ଟନ ଭିତ୍ତିରେ ସରକାର ଘରୋଇ କମ୍ପାନିଗୁଡ଼ିକୁ ଏଥିପାଇଁ ଜାଗା ଯୋଗାଇ ଦେବାର ବ୍ୟବସ୍ଥା ରହିଛି।

ଆଦାନି ଏହାର ପ୍ରସ୍ତାବିତ ବିଦ୍ୟୁତ ଯାନ ନିର୍ମାଣ ନିମନ୍ତେ ଏକ ଗବେଷଣା ଓ ବିକାଶ କେନ୍ଦ୍ର ଗୁଜରାଟର ମୁନ୍ଦ୍ରାସ୍ଥିତ ସ୍ବତନ୍ତ୍ର ଅର୍ଥନୈତିକ ଅଞ୍ଚଳ (ଏସଇଜେଡ୍‌)ରେ ସ୍ଥାପନ କରିପାରେ। ପୂର୍ବରୁ ରିଲାଏନ୍ସ ଏବଂ ଟାଟା ଏ କ୍ଷେ‌ତ୍ର ପାଇଁ ଉଚ୍ଚାଭିଳାଷୀ ଯୋଜନା ରଖିଛନ୍ତି। ଫଳରେ ଆଦାନି ଏମାନଙ୍କ ସହିତ ପ୍ରତିଯୋଗିତା କରିବା ସମ୍ଭାବନା ସୃଷ୍ଟି ହୋଇଛି। ବାଣିଜ୍ୟିକ ବିଦ୍ୟୁତ ଯାନ ବଜାରକୁ ଆଦାନି ଓହ୍ଲାଇଲେ ଏ କ୍ଷେତ୍ରରେ ଏକ ବଡ଼ ଧରଣର ପରିବର୍ତ୍ତନ ଆସିବ ବୋଲି ଅଟୋ ଶିଳ୍ପର ବିଶେଷଜ୍ଞମା‌ନେ କହିଛନ୍ତି।

ସମ୍ବନ୍ଧିତ ଖବର