ଆଦାନି ସଙ୍କଟ: ନିବେଶକ ହରାଇଲେ ୧୦ ଲକ୍ଷ କୋଟି

ନୂଆଦିଲ୍ଲୀ : ହିଣ୍ଡେନ୍‌ବର୍ଗ ରିପୋର୍ଟ ପ୍ରକାଶ ପାଇବା ପରେ ଆଦାନି ଗ୍ରୁପ୍‌ର ବିଭିନ୍ନ କଂପାନିର ସେୟାର ମୂଲ୍ୟ ଲଗାତାର ଭାବେ ହ୍ରାସ ପାଉଥିବାରୁ ସପ୍ତାହକ ଭିତରେ ନିବେଶକମାନେ ୧୦ ଲକ୍ଷ କୋଟି ଟଙ୍କା ହରାଇଲେଣି। ଗତ ସାତଟି କାରବାର ଦିନରେ ଆଦାନି ଗ୍ରୁପ୍‌ର ବଜାର ପୁଞ୍ଜି ପରିମାଣ ୫୧%ରୁ ଅଧିକ ହ୍ରାସ ପାଇ ୯.୩୧ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଆଦାନି କଂପାନିର ନିବେଶକମାନଙ୍କ ସମ୍ପତ୍ତିରେ ଅଧାରୁ ଅଧିକ ହ୍ରାସ ହୋଇଛି। ଆଦାନିର ବିଭିନ୍ନ କଂପାନି ଭିତରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା କଂପାନି ହେଉଛି ଆଦାନି ଏଣ୍ଟରପ୍ରାଇଜେସ୍‌। ଏହାର ସେୟାର ମୂଲ୍ୟ ୧୦୯୫.୩୦ ଟଙ୍କାକୁ ଖସିଆସିଛି। ସପ୍ତାହକ ପୂର୍ବରୁ କଂପାନିର ସେୟାର ଦାମ୍ ୩୧୧୨-୩୨୭୬ ଟଙ୍କା ଭଳି ଉଚ୍ଚ ସ୍ତରରେ ଥିଲା। ଆଦାନି ଏଣ୍ଟରପ୍ରାଇଜେସ୍‌ ନିଜର ୨୦ ହଜାର କୋଟି ଟଙ୍କାର ଫଲୋଅନ୍‌ ପବ୍ଲିକ୍ ଅଫର (ଏଫ୍‌ପିଓ)କୁ ମଧ୍ୟ ବାତିଲ କରିଛି। ଆଦାନି ଗ୍ରୁପ୍‌ର ଅନ୍ୟ କଂପାନିଗୁଡ଼ିକ ମଧ୍ୟରେ ଆଦାନି ଟ୍ରାନ୍ସମିସନ୍‌ର ସେୟାର ମୂଲ୍ୟ ୧୦%, ଆଦାନି ଗ୍ରିନ୍‌ ଏନର୍ଜିର ସେୟାର ମୂଲ୍ୟ ୧୦%, ଆଦାନି ପାୱାରର ୫%, ଆଦାନି ଟୋଟାଲ୍ ଗ୍ୟାସ୍‌ର ୫%, ଆଦାନି ୱିଲ୍‌ମାର୍‌ର ୫% ଏବଂ ଏନ୍‌ଟିଡିଭିର ସେୟାର ମୂଲ୍ୟ ୫% ହ୍ରାସ ପାଇଛି। ଜାନୁଆରି ୨୪ରେ ହିଣ୍ଡେନ୍‌ବର୍ଗ ରିପୋର୍ଟ ପ୍ରକାଶ ପାଇବା ପରେ ଆଦାନି ଗ୍ରୁପ୍‌ କଂପାନିର ସେୟାର ମୂଲ୍ୟରେ ବଡ଼ ଧରଣର ହ୍ରାସ ହୋଇଛି।

ଆଦାନି ଗ୍ରୁପ୍‌ର ଅଡ଼ୁଆ ଆଜି ଆହୁରି ବଢ଼ିଛି। ବିଶ୍ବସ୍ତରରେ ସମ୍ମାନଜନକ ବିଚାର କରାଯାଉଥିବା ଡାଓ ଜୋନ୍‌ସ ସଷ୍ଟେନେବିଲିଟି ଇଣ୍ଡେକ୍ସରୁ ଆଦାନି ଏଣ୍ଟରପ୍ରାଇଜେସ୍‌ବୁ ବିଦା କରିବା ଲାଗି ବିଚାର ଚାଲିଛି। କିନ୍ତୁ, ଆଦାନି ବଣ୍ଡ୍‌ ଉପରେ ଗୋଲ୍‌ଡମ୍ୟାନ୍ ସଚ୍‌ସ ଓ ଜେପି ମୋର୍ଗାନ ଭଳି ସଂସ୍ଥା ଭରସା ପ୍ରକଟ କରିଛନ୍ତି। ରେଟିଂ ଏଜେନ୍ସି ଫିଚ୍‌ ପକ୍ଷରୁ କୁହାଯାଇଛି ଯେ ହିଣ୍ଡେନ୍‌ବର୍ଗ ରିପୋର୍ଟ ଯୋଗୁ କଂପାନିର ରେଟିଂ ଉପରେ ତତ୍କାଳ କୌଣସି ପ୍ରଭାବ ପଡ଼ିନାହିଁ। ତେବେ ଏସ୍‌ଆଣ୍ଡ୍‌ପି ପକ୍ଷରୁ ଆଦାନି ପୋର୍ଟସ୍‌ ଓ ଆଦାନି ଇଲେକ୍ଟ୍ରିସିଟିର ଆଉଟ୍‌ଲୁକ୍‌କୁ ‘ନେଗେଟିଭ୍‌’କୁ ସଂଶୋଧିତ କରାଯାଇଛି।

ଆଦାନି କଂପାନିଗୁଡ଼ିକର ସେୟାର ମୂଲ୍ୟରେ ଦେଖାଦେଇଥିବା ଘୋର ଅସ୍ଥିରତାକୁ ନିବେଶକମାନଙ୍କୁ ସୁରକ୍ଷା ଦେବା ଲାଗି ଗତକାଲି ନ୍ୟାସନାଲ୍‌ ଷ୍ଟକ ଏକ୍ସଚେଞ୍ଜ୍‌ ପକ୍ଷରୁ ଆଦାନି ଏଣ୍ଟରପ୍ରାଇଜେସ୍, ଆଦାନି ପୋର୍ଟସ୍‌ ଓ ଅମ୍ବୁଜା ସିମେଣ୍ଟ୍‌ ଉପରେ ନିରୀକ୍ଷଣ ବଢ଼ାଇ ଦିଆଯାଇଛି। କ୍ରେଡିଟ୍ ସ୍ବିସ୍ ଓ ସିଟି ଗ୍ରୁପ୍ ଭଳି ଦୁଇ ବିଶ୍ବସ୍ତରୀୟ ଆର୍ଥିକ ସଂସ୍ଥା ଆଦାନି ଗ୍ରୁପ୍‌ର ବଣ୍ଡ୍‌କୁ ବନ୍ଧକ ଭାବେ ଗ୍ରହଣ କରିବାକୁ ମନା କରିଦେଇଛନ୍ତି।

ଆଦାନି ଗ୍ରୁପ୍ ବିରୋଧରେ ଆସିଥିବା ଜାଲିଆତି ଅଭିଯୋଗର ଯୁଗ୍ମ ସଂସଦୀୟ କମିଟି (ଜେପିସି) ତଦନ୍ତ କରାଇବା ଲାଗି ହେଉଥିବା ଦାବି ଯୁକ୍ତିଯୁକ୍ତ ନୁହେଁ ବୋଲି ବରିଷ୍ଠ ଆଇନଜୀବୀ ମହେଶ ଜେଠ୍‌ମଲାନି କହିଛନ୍ତି। ସରକାର ଏଥିରେ କ’ଣ କରିବେ? ଏଲ୍‌ଆଇସି ହେଉଛି ଏକ ସ୍ବାଧୀନ ସଂସ୍ଥା। ସେମାନେ ନିବେଶ କରିବାର ନିଷ୍ପତ୍ତି ନେଇଛନ୍ତି। ଯଦି ଆଦାନି ଗ୍ରୁପ୍‌ରେ କିଛି ଜାଲିଆତି ହୋଇଛି ସେବି ଓ ରିଜର୍ଭ ବ୍ୟାଙ୍କ ତାହାର ତଦନ୍ତ କରିବା ଉଚିତ ‌ବୋଲି ‌ସେ କହିଛନ୍ତି। ଦେଶର ପୂର୍ବତନ ସଲିସିଟର ଜେନେରାଲ ହରିସ ସାଲ୍‌ଭେ କହିଛନ୍ତି ଯେ ଭାରତର ଜଣେ ବ୍ୟବସାୟ ବିଶ୍ବ ଦରକାର ନିଜ ନାମକୁ ପ୍ରତିଷ୍ଠିତ କରିଥିବାରୁ କେହି ଖୁସି ନାହାନ୍ତି। ହିଣ୍ଡେନ୍‌ବର୍ଗ ବିରୋଧରେ ମାମଲା ରୁଜୁ କରିବା ଲାଗି ଭାରତରେ କିଛି ବ୍ୟବସ୍ଥା ନାହିଁ।

ଆଦାନି ହରାଇଥିବା ଟଙ୍କାରେ କ’ଣ କରିହେବ?
ଏଲନ୍‌ ମସ୍କଙ୍କଠାରୁ ସୋସିଆଲ୍‌ ମିଡିଆ ସଂସ୍ଥା ଟ୍ବିଟରକୁ କିଣିହେବ
ସବୁ ରାଜ୍ୟକୁ କେନ୍ଦ୍ର ସରକାର ପାଣ୍ଠି ଆବଣ୍ଟନ କରିପାରିବେ
୨୫୦ଟି ବୋଇଙ୍ଗ୍‌ ୭୪୭ ବିମାନ କିଣି ନିଜ ବିମାନ କଂପାନି ଆରମ୍ଭ କରିହେବ
ରାଜକୀୟ ଜୀବନ ବିତାଇବା ଲାଗି ବିଶ୍ବର ସର୍ବବୃହତ ରାଜପ୍ରସାଦ ଦି ପ୍ୟାଲେସ୍‌ ଅଫ୍ ଭର୍ସାଇଲ୍‌କୁ କିଣିହେବ। ଏହି ପ୍ରାସାଦରେ ୭୦୦ କୋଠରି, ୪୦୦ ସ୍ଥାପତ୍ୟ କଳା, ୧୪୦୦ ଫାଉଣ୍ଟେନ, ୬୦୦ ବହୁମୂଲ୍ୟ ଚିତ୍ରକଳା ରହିଛି। ଏହି ପ୍ରସାଦକୁ କିଣିବା ପରେ ବଳକା ଟଙ୍କାରେ ହ୍ବାଇଟ୍‌ହାଉସ୍‌, ବଙ୍କିଙ୍ଗ୍‌ହାମ୍ ପ୍ୟାଲେସ୍‌, ସେଣ୍ଟ୍‌ ପିଟ୍‌ସବର୍ଗର ୱିଣ୍ଟର ପ୍ୟାଲେସ୍‌ ଓ ଟୋକିଓର ଇମ୍ପରିଆଲ୍‌ ପ୍ୟାଲେସ୍‌କୁ କିଣିହେବ।
କୋଷ୍ଟାରିକା ଭଳି ଦେଶର ଯାହା ଜିଡିପି ହେଉଛି ୯୦୦ କୋଟି ଡଲାର ତାକୁ କିଣିହେବ

ସମ୍ବନ୍ଧିତ ଖବର