ସପ୍ତମକୁ ଖସିଲେ ଆଦାନି: ସମ୍ପତ୍ତିରେ ୪ ଲକ୍ଷ କୋଟି ହ୍ରାସ

ସେନ୍‌ସେକ୍ସରେ ୮୭୪ ପଏଣ୍ଟ୍‌ ହ୍ରାସ

ନୂଆଦିଲ୍ଲୀ, ୨୭/୧: ଆମେରିକୀୟ ସଂସ୍ଥା ହିଣ୍ଡେନ୍‌ବର୍ଗର ରିପୋର୍ଟ ପ୍ରକାଶ ପାଇବା ପରେ ଆଦାନି ଗ୍ରୁପ୍‌ ଅଧୀନରେ ଥିବା ତାଲିକାଭୁକ୍ତ କଂପାନିଗୁଡ଼ିକର ସେୟାର ମୂଲ୍ୟ ହ୍ରାସ ପାଉଛି। ଏହାର ପ୍ରଭାବରେ କଂପାନିର ମୁଖ୍ୟ ଗୌତମ ଆଦାନି ବ୍ୟକ୍ତିଗତ ଭାବେ ପ୍ରଭାବିତ ହୋଇଛନ୍ତି। ବିଶ୍ବ ଧନୀ ତାଲିକାରେ ସେ ସପ୍ତମ ସ୍ଥାନକୁ ଖସିଆସିଛନ୍ତି। କିଛି ଦିନ ପୂର୍ବେ ତୃତୀୟ ସ୍ଥାନରୁ ତାଙ୍କୁ ଆମାଜନ୍‌ ମୁଖ୍ୟ ଜେଫ୍‌ ବେଜୋସ୍‌ ପଦଚ୍ୟୁତ କରିଥିଲେ। ହିଣ୍ଡେନ୍‌ବର୍ଗ ରିପୋର୍ଟ ପ୍ରକାଶ ପାଇବା ପରେ ଆଦାନିଙ୍କ ବ୍ୟକ୍ତିଗତ ସମ୍ପତ୍ତିରେ ୨୨୬୦ କୋଟି ଡଲାର ହ୍ରାସ ଘଟିଛି। ସେ ୧୦,୦୦୦ କୋଟି ଡଲାର ଧନୀ କ୍ଲବ୍‌ରୁ ବିଦା ହୋଇଛନ୍ତି। ଆଦାନିଙ୍କ ସମ୍ପତ୍ତି ଏବେ ୯୬୬୦ କୋଟି ଡଲାରକୁ ହ୍ରାସ ପାଇଛି। ଗତ ଦୁଇ ଦିନରେ ଷ୍ଟକ ବଜାରରେ ଆଦାନି ଗ୍ରୁପ୍‌ର କଂପାନିଗୁଡ଼ିକ ସେୟାର ମୂଲ୍ୟରେ ହ୍ରାସ ଘଟିବାରୁ କଂପାନିର ନିବେଶକମାନଙ୍କ ସମ୍ପତ୍ତିରେ ୪ ଲକ୍ଷ କୋଟି ଟଙ୍କାର ହ୍ରାସ ଘଟିଛି। ବୁଧବାର ଦିନ ୧ ଲକ୍ଷ କୋଟି ଟଙ୍କା ହରାଇବା ପରେ ଆଜି ସେମାନେ ଆଉ ୩ ଲକ୍ଷ କୋଟି ଟଙ୍କା ହରାଇଛନ୍ତି। କଂପାନିର ୧୦ ସଂସ୍ଥା ମଧ୍ୟରୁ ୭ଟି ସେୟାର ମୂଲ୍ୟରେ ୨୦% ଭଳି ଦୁଇ ଅଙ୍କ ବିଶିଷ୍ଟ ହ୍ରାସ ଘଟିଛି।

ହିଣ୍ଡେନ୍‌ବର୍ଗ ବିରୋଧରେ ଆଦାନି ଗ୍ରୁପ୍ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉପରେ ବିଚାର କରୁଥିବା ବେଳେ ସେଭଳି କିଛି ଘଟିଲେ ତାହାର ମୁକାବିଲା ଲାଗି ଆମେ ପ୍ରସ୍ତୁତ ଅଛୁ ବୋଲି ହିଣ୍ଡେନ୍‌ବର୍ଗ ପକ୍ଷରୁ କୁହାଯାଇଛି। ଏହି ସଂସ୍ଥା ୩୨,୦୦୦ ଶବ୍ଦର ଯେଉଁ ରିପୋର୍ଟ ଜାରି କରିଛି ତାହା ଆଦାନିର ଫଲୋଅନ୍ ପବ୍ଲିକ୍ ଅଫରକୁ ମଧ୍ୟ ଗୁରୁତର ଭାବେ ପ୍ରଭାବିତ କରିଛି। ପ୍ରଥମ ଦିନରେ ଏହି ଅଫରରେ ଉପଲବ୍ଧ ଥିବା ସେୟାର ମଧ୍ୟରୁ ମାତ୍ର ୧ ପ୍ରତିଶତ ସେୟାରକୁ ନିବେଶକମାନେ ସବ୍‌ସ୍କ୍ରାଇବ୍ କରିଛନ୍ତି। ଏଫ୍‌ପିଓ ଜରିଆରେ କଂପାନି ୨୦ ହଜାର କୋଟି ଟଙ୍କା ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛି। ଆଦାନି ଗ୍ରୁପ୍ ବିରୋଧରେ ସେୟାର ମୂଲ୍ୟରେ ହେରଫେର ଓ ଆକାଉଣ୍ଟିଂ ଜାଲିଆତି ଭଳି ସଙ୍ଗୀନ ଅଭିଯୋଗ କରିଛି ହିଣ୍ଡେନ୍‌ବର୍ଗ। ଏହି ରିପୋର୍ଟକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ଓ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ମାଧ୍ୟମରେ ଉକ୍ତ ରିପୋର୍ଟର ତଦନ୍ତ କରିବା ଲାଗି କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। ଅନ୍ୟ ପକ୍ଷରେ ଖବର ମିଳିଛି ଯେ ଆଦାନି ଗ୍ରୁପ୍ ଉପରେ ସେବି ଏହାର ନିରୀକ୍ଷଣ ବଢ଼ାଇ ଦେଇଛି। ଆଦାନିର ତାଲିକାଭୁକ୍ତ କଂପାନିଗୁଡ଼ିକର କାରବାରକୁ ସେବି ପକ୍ଷରୁ ଯାଞ୍ଚ କରାଯାଉଛି।

ସମ୍ବନ୍ଧିତ ଖବର