ଅଧିକ ବିମାନବନ୍ଦର ଉପରେ ଆଦାନିଙ୍କ ନଜର

ନୂଆଦିଲ୍ଲୀ: ଶିଳ୍ପପତି ଗୌତମ ଆଦାନିଙ୍କ ଆଦାନି ଗ୍ରୁପ୍ ବିମାନବନ୍ଦର ପରିଚାଳନା କ୍ଷେତ୍ରରେ ଏକ ପ୍ରତିଷ୍ଠିତ କଂପାନିରେ ପରିଗଣିତ ହେବାକୁ ଚାହୁଛି। ତେଣୁ ଅଧିକରୁ ଅଧିକ ବିମାନବନ୍ଦର ହାସଲ କରିବାକୁ ଏହା ଲକ୍ଷ୍ୟ ରଖିଛି। ଆଦାନି ଏୟାରପୋର୍ଟସ୍‌ର ସିଇଓ ଅରୁଣ ବଂଶଲ କହିଛନ୍ତି ଯେ ଭାରତରେ ଅଧିକ ବିମାନବନ୍ଦର ଲାଗି ଆମେ ବିଡ୍ ଦାଖଲ କରିବୁ। ପୂର୍ବଥର ବିମାନବନ୍ଦର ଘରୋଇକରଣ ପ୍ରକ୍ରିୟାରେ ଆଦାନି ଏୟାରପୋର୍ଟସ୍‌ ଛଅଟି ବିମାନବନ୍ଦର ହାସଲ କରିଥିଲା। ଆସନ୍ତା କିଛି ବର୍ଷ ମଧ୍ୟରେ ଆଉ ଡଜନେରୁ ଅଧିକ ବିମାନବନ୍ଦରର ଘରୋଇକରଣ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ସେହି ନିଲାମ ପ୍ରକ୍ରିୟାରେ କଂପାନି ଅଂଶଗ୍ରହଣ କରିବ ବୋଲି ଶ୍ରୀ ବଂଶଲ କହିଛନ୍ତି। ଆଦାନି ଏୟାରପୋର୍ଟସ୍‌ ଅଧୀନରେ ଏବେ ୭ଟି ବିମାନବନ୍ଦର ପରିଚାଳିତ ହେଉଛି।

ସେଥିରୁ ଅହମ୍ମଦାବାଦ, ଜୟପୁର, ଲକ୍ଷ୍ନୌ, ଗୌହାଟି, ଥିରୁବନନ୍ତପୂରମ ଓ ମାଙ୍ଗାଲୁରୁ ବିମାନବନ୍ଦରର ପରିଚାଳନା ଦାୟିତ୍ବ ୫୦ ବର୍ଷ ପାଇଁ ଆଦାନି ଗୁପ୍‌କୁ ପ୍ରଦାନ କରାଯାଇଛି। ୨୦୨୧ ଜୁଲାଇରେ ଜିଭିକେ ଗ୍ରୁପ୍‌ଠାରୁ ମୁମ୍ବାଇ ଆନ୍ତର୍ଜାତିକ ବିମାନବନ୍ଦରର ପରିଚାଳନା ଦାୟିତ୍ବ ଆଦାନି ହାତକୁ ଆସିଥିଲା। ଆଦାନି ଗ୍ରୁପ୍ ଅଧୀନରେ ଥିବା ବିମାନବନ୍ଦରଗୁଡ଼ିକରେ ଉଭୟ ଯାତ୍ରୀ ସଂଖ୍ୟା ଏବଂ ଆତଯାତ କରୁଥିବା ବିମାନଗୁଡ଼ିକର ସଂଖ୍ୟା ଇତି ମଧ୍ୟରେ ବୃଦ୍ଧି ପାଇଛି। ଦେଶରେ ଏବେ ନୂଆ ନୂଆ ବିମାନବନ୍ଦର ତିଆରି କରାଯାଉଛି। ନଭି ମୁମ୍ବାଇ, କର୍ଣ୍ଣାଟକ, ମହାରାଷ୍ଟ୍ର, ଗୁଜରାଟ, ଉତ୍ତରପ୍ରଦେଶ ଓ ଆନ୍ଧ୍ରପ୍ରଦେଶ‌ର ବିଭିନ୍ନ ସ୍ଥାନରେ ନୂଆ ବିମାନବନ୍ଦର ତିଆରି କରାଯାଉଛି।

ସମ୍ବନ୍ଧିତ ଖବର