ମୁମ୍ବାଇ: ହିଣ୍ଡେନ୍ବର୍ଗ ଅଭିଯୋଗ ଲୋକଙ୍କ ମନରୁ ଲିଭି ନ ଥିବା ବେଳେ ଆଦାନୀ ଗ୍ରୁପ୍ ମାଲିକ ଗୌତମ ଆଦାନିଙ୍କ ବିରୋଧରେ ଆଉ ଏକ ସାଂଘାତିକ ଅଭିଯୋଗ ଆସିଛି। ପୁଣି ଝଡ଼ ମୁହଁରେ ପଡ଼ିଛନ୍ତି ଆଦାନୀ। ଏହା ପରେ ଏହି କମ୍ପାନିର ସେୟାର ମୂଲ୍ୟରେ ବଡ଼ଧରଣର ହ୍ରାସ ଦେଖିବାକୁ ମିଳିଛି। ସୌର ଶକ୍ତି ପ୍ରକଳ୍ପ ହାତେଇବା ପାଇଁ କମ୍ପାନି ସରକାରୀ ଅଧିକାରୀମାନଙ୍କୁ ୨୫୦ ନିୟୁତ ଡଲାରର ଲାଞ୍ଚ ପ୍ରଦାନ କରିବା ନେଇ ପ୍ରତିଶ୍ରୁତି ଦେଇଥିବା ଅଭିଯୋଗ ହୋଇଛି। ଏହାର ପ୍ରଭାବ ଆଦାନୀ ଗ୍ରୁପ୍ ଅଧୀନ ବିଭିନ୍ନ କମ୍ପାନିର ସେୟାର ମୂଲ୍ୟ ଉପରେ ପଡ଼ିଛି। ଏଥିଯୋଗୁ ଆଦାନୀ ଗ୍ରୁପ୍ର ନିବେଶକମାନେ ଦିନକରେ ପାଖାପାଖି ୨.୨୧ ଲକ୍ଷ କୋଟି ଟଙ୍କା ହରାଇଛନ୍ତି। ମଙ୍ଗଳବାର ଆଦାନୀ ଗ୍ରୁପ୍ ଅଧୀନ କମ୍ପାନିଗୁଡ଼ିକର ବଜାରପୁଞ୍ଜି ୧୪.୩୧ ଲକ୍ଷ କୋଟି ଟଙ୍କା ଥିବାବେଳେ ଆଜି ଏହା ୧୨.୧ ଲକ୍ଷ କୋଟି ଟଙ୍କାକୁ ଖସିଆସିଛି। ସବୁଠୁ ଅଧିକ କ୍ଷତି ଆଦାନୀ ଏଣ୍ଟରପ୍ରାଇଜେସ୍ର ନିବେଶକମାନେ କହିଛନ୍ତି। ଏହି କମ୍ପାନିର ସେୟାର ମୂଲ୍ୟରେ ସର୍ବାଧିକ ୨୨.୬୧% ହ୍ରାସ ଘଟି ୨୧୮୨ ଟଙ୍କା ୫୫ ପଇସାରେ ବନ୍ଦ ହୋଇଛି। ଆଦାନୀ ଏନର୍ଜି ସଲ୍ୟୁସନ୍ସର ସେୟାର ମୂଲ୍ୟରେ ୨୦ ପ୍ରତିଶତ ହ୍ରାସ ଘଟି ୬୯୭ ଟଙ୍କା ୭୦ ପଇସାରେ ରହିଛି। ଆଦାନୀ ଗ୍ରିନ ଏନର୍ଜିର ସେୟାର ମୂଲ୍ୟରେ ୧୮.୮୦ ପ୍ରତିଶତ, ଆଦାନୀ ପୋର୍ଟସ ଆଣ୍ଡ୍ ଏସଇଜେଡ୍ ସେୟାର ମୂଲ୍ୟରେ ୧୩.୫୩ ପ୍ରତିଶତ, ଅମ୍ବୁଜା ସିମେଣ୍ଟ୍ସରେ ୧୧.୯୮ ପ୍ରତିଶତ, ଆଦାନୀ ଟୋଟାଲ ଗ୍ୟାସରେ ୧୦.୪୦ ପ୍ରତିଶତ, ଆଦାନୀ ୱିଲମାରରେ ୯.୯୮ ପ୍ରତିଶତ, ଆଦାନୀ ପାୱାରରେ ୯.୧୫ ପ୍ରତିଶତ, ଏସିସିରେ ୭.୨୯ ପ୍ରତିଶତ ଏବଂ ଏନଡିଟିଭିରେ ୦.୦୬ ପ୍ରତିଶତ ହ୍ରାସ ଘଟିଛି। ଲାଞ୍ଚ ଅଭିଯୋଗ ଆସିବା ପରେ ଆଦାନି ଗ୍ରୁପ୍ ୬୦୦ ନିୟୁତ ଡଲାରର ବଣ୍ଡ୍ ବିକ୍ରିକୁ ବାତିଲ କରିଛି। ବଣ୍ଡ୍ର ଦର ନିର୍ଦ୍ଧାରଣ ହେବାର କିଛି ଘଣ୍ଟା ମଧ୍ୟରେ ଏହାକୁ ବାତିଲ କରାଯାଇଛି। ଆଇନଗତ କାରଣରୁ ଏହାକୁ ବନ୍ଦ କରାଯାଇଛି ବୋଲି କୁହାଯାଇଛି।
ଆଦାନୀଙ୍କ ସଂପତ୍ତି ୧୨ ବିଲିଅନ ଡଲାର କମିଲା
ମୁମ୍ବାଇ: ଭାରତର ଅନ୍ୟତମ ପ୍ରମୁଖ ଧନୀବ୍ୟକ୍ତି ଗୌତମ ଆଦାନୀଙ୍କ ନିଟ୍ ସଂପତ୍ତି ଆଜି ୧୨ ବିଲିଅନ ଡଲାର କମିଛି। ଆମେରିକାରେ ଗୌତମ ଆଦାନୀଙ୍କ ସମେତ ଅନ୍ୟମାନଙ୍କ ବିରୋଧରେ ଭାରତୀୟ ଅଧିକାରୀଙ୍କୁ ଲାଞ୍ଚ ପ୍ରଦାନ ଅଭିଯୋଗ ଆସିବା ପରେ ଭାରତୀୟ ଷ୍ଟକ ବଜାରରେ ଏହି ଗ୍ରୁପ୍ ଅଧୀନ କମ୍ପାନିଗୁଡ଼ିକର ସେୟାର ମୂଲ୍ୟ ତାସ୍ ଘର ଭଳି ଭୁଶୁଡ଼ି ପଡ଼ିଛି। ଏହାର ବଡ଼ କ୍ଷତି ନିଜେ ଗୌତମ ଆଦାନୀ ସହିଛନ୍ତି। ତାଙ୍କ ନିଟ୍ ସଂପତ୍ତିରେ ୧୭ ପ୍ରତିଶତ ହ୍ରାସ ଘଟି ୫୭.୭ ବିଲିଅନ ଡଲାର ରହିଛି ବୋଲି ଫୋର୍ବସ ତଥ୍ୟରୁ ସୂଚନା ମିଳିଛି।
୨ ବ୍ୟାବସାୟିକ ଚୁକ୍ତି ବାତିଲ କଲା କେନିଆ
ନୂଆଦିଲ୍ଲୀ: ଆଦାନୀ ଗ୍ରୁପ୍ର ମୁଖ୍ୟ ଏବଂ ଏହାର ଅଧିକାରୀମାନଙ୍କ ବିରୋଧରେ ସରକାରୀ ଅଧିକାରୀଙ୍କୁ ଲାଞ୍ଚ ପ୍ରଦାନ ଅଭିଯୋଗ ଆମେରିକାରେ ହେବା ପରେ ଏହାର ପ୍ରଭାବ କେନିୟାରେ ମଧ୍ୟ ଅନୁଭୂତ ହୋଇଛି। ଆଦାନୀ ଗ୍ରୁପର ଦୁଇଟି କମ୍ପାନି ସହିତ କରିଥିବା ବ୍ୟାବସାୟିକ ଚୁକ୍ତିକୁ କେନିଆ ରାଷ୍ଟ୍ରପତି ୱିଲିୟମ ରୁଟୋ ବାତିଲ କରିଦେଇଛନ୍ତି। ରାଷ୍ଟ୍ରପତି ରୁଟୋ କହିଛନ୍ତି ଦେଶର ମୁଖ୍ୟ ବନ୍ଦର ସଂପ୍ରସାରଣ ପାଇଁ ଆଦାନୀ ଗ୍ରୁପକୁ ଦିଆଯାଇଥିବା କାର୍ଯ୍ୟକୁ ବାତିଲ କରାଯାଇଛି। ସେହିଭଳି ଶକ୍ତି ସଂଚରଣ ବ୍ୟବସ୍ଥା ପ୍ରତିଷ୍ଠା ପାଇଁ ଆଦାନୀ ଗ୍ରୁପ୍ କମ୍ପାନି ସହିତ ତାଙ୍କ ଦେଶର ଶକ୍ତି ମନ୍ତ୍ରାଳୟ କରିଥିବା ୭୦୦ ନିୟୁତ ଡଲାରରୁ ଅଧିକ ମୂଲ୍ୟର ଚୁକ୍ତିକୁ ମଧ୍ୟ ବାତିଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ବ୍ୟବସାୟକୁ ତୁରନ୍ତ ବାତିଲ ପାଇଁ ସେ ଦେଶର ପରିବହନ ଏବଂ ଶକ୍ତି ମନ୍ତ୍ରାଳୟକୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଦେଶବାସୀଙ୍କୁ ଦେଇଥିବା ଉଦ୍ବୋଧନରେ କହିଛନ୍ତି।
ଆଦାନୀଙ୍କ ଅନେକ ବିବାଦ
୨୦୨୩ ଜାନୁଆରିରେ ଆମେରିକାର ହିଣ୍ଡେନ୍ବର୍ଗ ଆଦାନୀ ଗ୍ରୁପ୍ ବିରୋଧରେ ଷ୍ଟକ୍ ମୂଲ୍ୟ ହେରଫେର, ଆକାଉଣ୍ଟିଂ ଜାଲିଆତି ଅଭିଯୋଗ ଆଣିଥିଲା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଘନିଷ୍ଠ ହୋଇଥିବାରୁ ମୁମ୍ବାଇର ୬୧୯ ନିୟୁତ ଡଲାର ଧାରାବୀ ବସ୍ତି ବିକାଶ ପ୍ରକଳ୍ପ ହାତେଇଥିବା ଅଭିଯୋଗ
୨୦୨୧ ଡିସେମ୍ବରରେ ଅଷ୍ଟ୍ରେଲିଆରେ ଆଦାନୀର କାରମାଇକେଲ୍ କୋଇଲା ଖଣିକୁ ପରିବେଶକର୍ମୀଙ୍କ କଡ଼ା ବିରୋଧ
କେନିଆରେ ବିରୋଧ ଯୋଗୁ ବିମାନବନ୍ଦର, ଶକ୍ତି ପ୍ରକଳ୍ପ ବାତିଲ
୨୦୨୧ ଅକ୍ଟୋବରରେ ଆଦାନୀର ମିଆଁମାରରେ ବନ୍ଦର ପ୍ରକଳ୍ପ ବାତିଲ
ବାଂଲାଦେଶ ସହ ଶକ୍ତି ବିଦ୍ୟୁତ ଯୋଗାଣ ବୁଝାମଣା ବିବାଦରେ
ଆଦାନୀର ୯୦୦ ନିୟୁତ ଡଲାରର ଭିଝିଞ୍ଜାମ ବନ୍ଦର ପ୍ରକଳ୍ପକୁ ବିରୋଧ