ନୂଆଦିଲ୍ଲୀ: ଲାଞ୍ଚ କାରବାର ଭଳି ଗମ୍ଭୀର ଅଭିଯୋଗ ସାମ୍ନା କରିଥିବା ଶିଳ୍ପପତି ଗୌତମ ଆଦାନୀଙ୍କ ଆଦାନୀ ଗ୍ରୁପ୍‌କୁ ଆଉ ଏକ ଶକ୍ତ ଝଟ୍‌କା ଲାଗିଛି। ଗ୍ରୁପ୍ ଅଧୀନରେ ପରିଚାଳିତ ହେଉଥିବା ଆଦାନି ଗ୍ରିନ୍ ଏନର୍ଜିସ୍ ଲିମିଟେଡ୍‌ ଓ ଆଦାନି ଟୋଟାଲ୍ ଗ୍ୟାସ୍‌ରେ ପୁଞ୍ଜିନିବେଶ କରିଥିବା ଫ୍ରାନ୍ସର ସଂସ୍ଥା ଟୋଟାଲ୍ଏନର୍ଜିସ୍ ନୂଆ ପାଣ୍ଠି ଦେବା ଉପରେ ରୋକ ଲଗାଇଛି। ଟୋଟାଲ୍‌ଏନର୍ଜିସ୍‌ ସହିତ ମିଶି ଆଦାନି ଟୋଟାଲ୍ ଗ୍ୟାସ୍‌ ଲିମିଟେଡ୍‌ନାମରେ ଯୌଥ ଉଦ୍ୟୋଗ ଗଠନ କରାଯାଇଛି ଯାହା ସହରାଞ୍ଚଳରେ ଗ୍ୟାସ୍‌ ପ୍ରଦାନ କରୁଛି। ଟୋଟାଲ୍‌ଏନର୍ଜିସ୍‌ ପକ୍ଷରୁ କୁହାଯାଇଛି ଯେ ଭାରତରେ ସୌର ଶକ୍ତି ଚୁକ୍ତି ହାସଲ କରିବା ଲାଗି ଗୌତମ ଆଦାନୀ ଓ ତାଙ୍କ ସହଯୋଗୀମାନେ ୨୬୫ ନିୟୁତ ଡଲାର (ପ୍ରାୟ ୨୧୦୦ କୋଟି ଟଙ୍କା) ଲାଞ୍ଚ ଦେଇଥିବା ବିଷୟରେ ଆମେରିକା ଅଭିଯୋଗ କରିଥିବା ଜଣାପଡ଼ିଛି। ଆମର ଆଚାର ସଂହିତା ଅନୁସାରେ ‌ଯେକୌଣସି ପ୍ରକାର ଦୁନୀତିକୁ ଟୋଟାଲ୍‌ଏନର୍ଜିସ୍‌ ପ୍ରତ୍ୟାଖ୍ୟାନ କରୁଛି। ଆମେରିକାରେ ଯେଉଁ ଅଭିଯୋଗପତ୍ର ଦାଖଲ ହୋଇଛି ସେଥିରେ ଟୋଟାଲ୍‌ଏନର୍ଜିସ୍‌ର ସମ୍ପୃକ୍ତି ବିଷୟରେ କିଛି କୁହାଯାଇନାହିଁ। ତେବେ ଆମ ଅଂଶଧନର ସୁରକ୍ଷା ପାଇଁ ଆମେ ପଦକ୍ଷେପ ଗ୍ରହଣ କରିବୁ। ଏହି ଅଭିଯୋଗକୁ ନେଇ କିଛି ସ୍ପଷ୍ଟ ନ ହେବା ପର୍ଯ୍ୟନ୍ତ ଆଦାନୀ ଗ୍ରୁପ୍‌ର କୌଣସି କମ୍ପାନିକୁ ନୂଆ ଆର୍ଥିକ ସହଯୋଗ ପ୍ରଦାନ କରାଯିବ ନାହିଁ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି। ଆଦାନୀ ଗ୍ରିନ୍ ଏନର୍ଜି ଲିମିଟେଡ୍‌ରେ ଟୋଟାଲ୍‌ଏନର୍ଜିସ୍‌ର ୧୯.୭୫ ପ୍ରତିଶତ ଅଂଶଧନ ଥିବା ବେଳେ ଆଦାନୀ ଟୋଟାଲ୍ ଗ୍ୟାସ୍‌ ଲିମିଟେଡ୍‌ରେ ଏହାର ୩୭.୪ ପ୍ରତିଶତ ଅଂଶଧନ ରହିଛି। 

Advertisment

ନୂଆ ପାଣ୍ଠି ଦେବନି ‘ଟୋଟାଲ୍‌ଏନର୍ଜିସ୍‌’
ଷ୍ଟକ୍ ବଜାରରେ ଡୁବିଲା ୨.୪୪ ଲକ୍ଷ କୋଟି

ଏହି ଖବର ପ୍ରଭାବରେ ଷ୍ଟକ୍ ବଜାରରେ ଆଦାନୀ ଗ୍ରୁପ୍‌ର ବିଭିନ୍ନ କମ୍ପାନିର ସେୟାର ମୂଲ୍ୟ ହ୍ରାସ ପାଇଛି। ଲାଞ୍ଚ କାରବାର ରିପୋର୍ଟ ପ୍ରକାଶ ପାଇବା ପରଠାରୁ ବର୍ତ୍ତମାନ ସୁଦ୍ଧା ଆଦାନୀ ଗ୍ରୁପ୍ ୨.୪୪ ଲକ୍ଷ କୋଟି ଟଙ୍କା ହରାଇଛି। କମ୍ପାନିର ମୋଟ ବଜାର ପୁଞ୍ଜି ପରିମାଣ ୧୧.୮୫ ଲକ୍ଷ କୋଟି ଟଙ୍କାକୁ ଖସିଆସିଛି। ଏହି ଅଭିଯୋଗ ହେବା ପୂର୍ବରୁ ଆଦାନୀ ଗ୍ରୁପ୍‌ର ବଜାର ପୁଞ୍ଜି ପରିମାଣ ୧୪.୩୦ ଲକ୍ଷ କୋଟି ଟଙ୍କା ଥିଲା। ଅନ୍ୟ ପକ୍ଷରେ, ଏକ ଦକ୍ଷତା ବିଶ୍ବବିଦ୍ୟାଳୟ ଗଠନ ଲାଗି ଆଦାନୀ ଗ୍ରୁପ୍ ଦେବାକୁ ଥିବା ୧୦୦ କୋଟି ଟଙ୍କାର ଅନୁଦାନକୁ କଂଗ୍ରେସ ନେତୃତ୍ବାଧୀନ ତେଲେଙ୍ଗାନା ସରକାର ପ୍ରତ୍ୟାଖ୍ୟାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡି କହିଛନ୍ତି ଯେ ୟଙ୍ଗ ଇଣ୍ଡିଆ ସ୍କିଲ୍ ୟୁନିଭର୍ସିଟି ପାଇଁ ସରକାର ଆଦାନୀ ଗ୍ରୁପ୍ କିମ୍ବା ଅନ୍ୟ କୌଣସି ସଂସ୍ତାଠାରୁ ପାଣ୍ଠି ନେବେ ନାହିଁ। ଆଦାନୀ ଗ୍ରୁପ୍‌କୁ ଲିଖିତ ଭାବେ ଏବିଷୟରେ ସରକାର ଅବଗତ କରିଥିବା ସେ କହିଛନ୍ତି। 

ଲାଞ୍ଚ କାରବାର ଅଭିଯୋଗ ଆଦାନୀ ସାମ୍ରାଜ୍ୟ ପ୍ରତି ସମସ୍ୟା ସୃଷ୍ଟି କରିଥିବା ବେଳେ ନିବେଶକମାନଙ୍କୁ ଶାନ୍ତ ରଖିବା ଲାଗି ଆଦାନୀ ଗ୍ରୁପ୍‌ ପକ୍ଷରୁ ନିର୍ଭର ପ୍ରତିଶ୍ରୁତି ଦିଆଯାଇଛି। କମ୍ପାନି ପାଖରେ ୫୫,୦୨୪ କୋଟି ଟଙ୍କାର ନଗଦ ରାଶି ରହିଛି ଯାହା ଆସନ୍ତା ୨୮ ମାସ ପର୍ଯ୍ୟନ୍ତ ଋଣ ଶୁଝିପାରିବ। ଭାରତୀୟ ବ୍ୟାଙ୍କଗୁଡ଼ିକଠାରୁ ଆଦାନୀ ଗ୍ରୁପ୍ ୯୪,୪୦୦ କୋଟି ଟଙ୍କାର ଋଣ ନେଇଛି। କମ୍ପାନିର ମୋଟ ଋଣ ମଧ୍ୟରୁ ୨୭ ପ୍ରତିଶତ ବିଦେଶ ବ୍ୟାଙ୍କରୁ ଅଣାଯାଇଛି। ଇତି ମଧ୍ୟରେ ଆଦାନୀ ଗ୍ରୁପ୍‌କୁ ଅନ୍ୟତମ ସହଯୋଗୀ ଜିକ୍ୟୁଜି ପାର୍ଟନର୍ସ ଏହାର ପୂର୍ଣ୍ଣ ସମର୍ଥନ ଦେଇଛି।