ଭୁବନେଶ୍ବର: ଅକ୍ଷୟ ଶକ୍ତି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶିଳ୍ପପତି ଗୌତମ ଆଦାନିଙ୍କ କମ୍ପାନି ଆଦାନି ଗ୍ରୁପ୍ର ସଂସ୍ଥା ଆଦାନି ଗ୍ରିନ୍ ଏନର୍ଜି ଲିମିଟେଡ୍ର ଅଧିକାରୀମାନେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ସାକ୍ଷାତ କରିଛନ୍ତି। ଏହି ବୈଠକରେ କମ୍ପାନିର ସୁବ୍ରତ ତ୍ରିପାଠୀ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।
ବୈଠକରେ ପିଏସ୍ପି (ପମ୍ପ୍ଡ ଷ୍ଟୋରେଜ୍ ପ୍ରୋଜେକ୍ଟ) ସଂକ୍ରାନ୍ତରେ ଆଲୋଚନା ହୋଇଥିଲା। ଯେଉଁଥିରେ ପାହାଡ଼ିଆ ଅଞ୍ଚଳରେ ପମ୍ପ୍ ସାହାଯ୍ୟରେ ପାଣିକୁ ଉଠାଯାଇ ଗୋଟିଏ ଜାଗାରେ ଏକତ୍ରିତ କରି ରଖାଯାଇ ସେହି ଜଳକୁ ବ୍ୟବହାର କରି ବିଦ୍ୟୁତ ଶକ୍ତି ଉତ୍ପାଦନ ହେବ। ଏହି ପ୍ରକଳ୍ପକୁ ଓଡ଼ିଶାରେ ସ୍ଥାପନ ପାଇଁ ଆଦାନି ଗ୍ରୁପ୍ ଆଗ୍ରହୀ ବୋଲି ବୈଠକରେ ମନ୍ତ୍ରୀ ଶ୍ରୀ ସିଂହଦେଓଙ୍କୁ ଆଦାନି ଗ୍ରୁପ୍ର ପ୍ରତିନିଧି କହିଥିଲେ। ନୟାଗଡ଼ର ବିରିଗଡ଼ ଅକ୍ଷୟ ଶକ୍ତିର ଉତ୍ସ ହୋଇଥିବାରୁ ଏହି ସ୍ଥାନରେ ଅକ୍ଷୟ ଶକ୍ତି ପ୍ରକଳ୍ପ ସ୍ଥାପନ କରି ବିଦ୍ୟୁତ ଉତ୍ପାଦନ କରିବାକୁ ଆଦାନି ଗ୍ରୁପ୍ ଆଗ୍ରହୀ ରହିଛି। ନୟାଗଡ଼ ସହ ବରଗଡ଼, ବଲାଙ୍ଗୀର ଭଳି ବହୁ ସ୍ଥାନରେ ଏଭଳି ପ୍ରକଳ୍ପ ସ୍ଥାପନା ନିମନ୍ତେ ଭରପୂର ସୁଯୋଗ ରହିଛି।
୨୦୨୨ ମସିହାରେ ରାଜ୍ୟ ସରକାର ଅକ୍ଷୟ ଶକ୍ତିର ବ୍ୟବହାର ନେଇ ଏକ ନୀତି ପ୍ରଣୟନ କରିଥିଲେ। ତେବେ ଏଭଳି ପ୍ରକଳ୍ପ ସ୍ଥାପନ ଦ୍ୱାରା ରାଜ୍ୟର ଅକ୍ଷୟ ଶକ୍ତି ଉତ୍ପାଦନ ଲକ୍ଷ୍ୟ ହାସଲ ହୋଇପାରିବ। ପରିବେଶ ସୁରକ୍ଷା ସହ ପାରିପାର୍ଶ୍ୱକ ଅଞ୍ଚଳର ବିକାଶ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ। ୨୦୩୦ ସୁଦ୍ଧା ୫୦ ପ୍ରତିଶତ ଅକ୍ଷୟ ଶକ୍ତିର ବ୍ୟବହାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରଖିଥିବା ଲକ୍ଷ୍ୟ ପୂରଣ କରିବାରେ ଏହା ସହାୟକ ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ସିଂହଦେଓ ପ୍ରକାଶ କରିଥିଲେ । ବୈଠକରେ ପ୍ରକଳ୍ପ ନିମନ୍ତେ ଖର୍ଚ୍ଚ ଆକଳନ, ବୈଷୟିକ ଜ୍ଞାନକୌଶଳ, ସ୍ଥାନ ନିରୁପଣ ଆଦି ବିଭିନ୍ନ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା । ଏହି ଅବସରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଦେଓ ରଞ୍ଜନ ସିଂହ, ଶକ୍ତି ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମା ଓ ଅନ୍ୟମାନେ ଉପସ୍ଥିତ ଥିଲେ।