ନୂଆଦିଲ୍ଲୀ: ପହଲଗାମ ଆତଙ୍କୀ ଅକ୍ରମଣ ପରେ ପାକିସ୍ତାନର ଆତଙ୍କବାଦୀ ଆଡା ଉପରେ ଅପରେସନ୍ ସିନ୍ଦୂର ଜରିଆରେ ଭାରତ ଆକ୍ରମଣ କରିଥିଲା। ଏହାକୁ ନେଇ ଦୁଇ ଦେଶ ଭିତରେ ଉତ୍ତେଜନା ଦେଖାଦେଇଥିଲା ଓ ଶେଷରେ ଅସ୍ତ୍ରବିରତି ଘୋଷଣା ହୋଇଥିଲା। ଏହାପରଠାରୁ ପାକିସ୍ତାନ କିଭଳି ଭାରତଠାରୁ ବିଭିନ୍ନ ମାନଦଣ୍ଡରେ ତଳୁଆ ଅଛି ତାହାକୁ ନେଇ ତୁଳନାତ୍ମକ ଚିତ୍ର ଉପସ୍ଥାପନ କରାଯାଉଛି। ଏହି ଦୌଡ଼ରେ ସାମିଲ ହୋଇଛନ୍ତି ବିଶିଷ୍ଟ ଶିଳ୍ପପତି ହର୍ଷ ଗୋଏଙ୍କା। ସେ ଜଣାଇଛନ୍ତି ଯେ ଭାରତର ଗୋଟିଏ କମ୍ପାନି ସହ ପୂରା ପାକିସ୍ତାନ ଅର୍ଥନୀତି ସମକକ୍ଷ ନୁହେଁ।
ଏକା ଆଦାନୀ ଗ୍ରୁପ୍ ପାକିସ୍ତାନ ଅର୍ଥନୀତିଠାରୁ ବଡ଼। ତଥାପି ସେମାନେ ଆମ ସହ ଲଢ଼ିବାକୁ ସାହସ କରୁଛନ୍ତି ବୋଲି ଗୋଏଙ୍କା କହିଛନ୍ତି। ପାକିସ୍ତାନ ଅର୍ଥନୀତି ୫୦ ବିଲିୟନ୍ ଡଲାର ଥିବା ଆକଳନ କରାଯାଇଛି। ଆଦାନୀ ଗ୍ରୁପ୍ର ବଜାର ପୁଞ୍ଜି ପରିମାଣ ହେଉଛି ୧୬୧ ବିଲିୟନ୍ ଡଲାର। ଅର୍ଥାତ ପାକିସ୍ତାନ ଅର୍ଥନୀତିଠାରୁ ଏହି କମ୍ପାନି ତିନି ଗୁଣା ବଡ଼। ଆଦାନୀ ଗ୍ରୁପ୍ ଅଧୀନରେ ୧୫ଟି ବନ୍ଦର ଥିବା ବେଳେ ପାକିସ୍ତାନରେ ମାତ୍ର ୩ଟି ବନ୍ଦର ରହିଛି। ଆଦାନୀର ଅକ୍ଷୟ ଶକ୍ତି କ୍ଷମତା ୧୦.୯ ଗିଗାୱାଟ୍ ହୋଇଥିବା ବେଳେ ସମଗ୍ର ପାକିସ୍ତାନରେ ୯-୧୦ ଗିଗାୱାଟ୍ର ଅକ୍ଷୟ ଶକ୍ତି କ୍ଷମତା ରହିଛି।